ଦିନ ଦ୍ବିପ୍ରହରରେ ୧୫ ଲକ୍ଷର ଗହଣା ଲୁଟ୍‌

ସିସି କ୍ୟାମେରାରେ ଲୁଟେରା

ରାଜନଗର : ଆଜି ଦିନ ଦ୍ବିପ୍ରହରରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଜାରର ଏକ ସୁନାଗହଣା ଦୋକାନରୁ ଦୁଇ ଜଣ ଦୁର୍ବୃତ୍ତ ୧୫ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଛନ୍ତି। ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଅପରାଧୀମାନେ ସୁନାଗହଣା ଲୁଟିନେବା ଘଟଣା ବ୍ୟବସାୟୀଙ୍କ ମଧୢରେ ଆତଙ୍କ ସୃଷ୍ଟି କରିଥିବା ବେଳେ ସିସି କ୍ୟାମେରାରେ ଲୁଟ୍‌ର ସମସ୍ତ ଦୃଶ୍ୟ ରେକର୍ଡ ହୋଇ ରହିଛି।

ରାଜନଗର ହ˚ସୁଆ ସେତୁ ନିକଟରେ ଥିବା ମହାବୀର ବଜାରରେ ‘ଶ୍ରୀମତୀ ଅଳଙ୍କାର ଓ କ˚ସାବାସନ ସୋ-ରୁମ୍‌’ ରହିଛି। ପଟ୍ଟାମୁଣ୍ତାଇ ବ୍ଲକ୍‌ ବନ୍ତପାଟଣା ଗାଁର ନାରାୟଣ କୁଣ୍ତ ଆଜି ଦୋକାନ ଖୋଲି ଧୂପ ଦେବା ପରେ ଜଣେ ଯୁବକ ପହଞ୍ଚି ୯୧୬ର ସୁନା ଲକେଟ ମାଗିଥିଲେ। ଲକେଟ ଦେଖିବା ପରେ ସେ ସୁନା ଚେନ୍‌ ମାଗିଥିଲେ। ଏହି ସମୟରେ ଅନ୍ୟ ଜଣେ ଯୁବକ ପହଞ୍ଚି ରୂପା ପାଉଞ୍ଜି ମାଗିଥିଲେ। ରୂପା ପାଉଞ୍ଜି ଦେଖାଇବା ସମୟରେ ସୁନା ଚେନ ଦେଖୁଥିବା ଯୁବକଜଣକ ୪୨୦ ଗ୍ରାମ ଓଜନର ସୁନା ଅଳଙ୍କାର ଥିବା ପ୍ୟାକେଟ୍‌କୁ ଧରି ଦୌଡି ପଳାଇଥିଲେ। ତାଙ୍କ ପଛେ ପଛେ ରୂପା ପାଉଞ୍ଜି ଦେଖୁଥିବା ଯୁବକ ମଧ୍ୟ ଦୌଡି ପଳାଇଥିଲେ। ଲୁଟେରା ଦୁଇଜଣ ସୋ’ରୁମ୍‌ଠାରୁ ୨୦ଫୁଟ ଦୂରରେ ରଖିଥିବା ହୋଣ୍ତାସାଇନ ଗାଡିରେ ଦ୍ରୁତ ଗତିରେ ପଳାଇଥିଲେ। ମାଲିକ ନାରାୟଣ ଦୋକାନ ବାହାରକୁ ଆସି ଚିତ୍କାର କରି ଡାକିଥିଲେ ବି ସେତେବେଳକୁ ଲୁଟେରା ଦୁଇଜଣ ଚମ୍ପଟ ମାରି ସାରିଥିଲେ। ଦୋକାନୀମାନେ ଏ ନେଇ ପୁଲିସକୁ ଖବର ଦେଇଥିଲେ। ମାତ୍ର ରାତି ସୁଦ୍ଧା ପୁଲିସ ଅପରାଧୀଙ୍କ ଖୋଜ ଖବର ପାଇପାରିନାହିଁ। ଲୁଟ୍‌ ଅଳଙ୍କାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ।

ସମ୍ବନ୍ଧିତ ଖବର