ଶ୍ରୀଗୁଣ୍ଡିଚା ମନ୍ଦିରରେ ଦିନକରେ ୧୯ ଚୋରି

ପରିମାଣିକ ଦର୍ଶନ ବେଳେ ଦମ୍ପତିଙ୍କ ପର୍ସ ଚୋରି

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ଆଡ଼ପ ଦର୍ଶନ। ଆଡ଼ପମଣ୍ଡପରେ ବିଜେ ଠାକୁରଙ୍କୁ ଦର୍ଶନ ‌କଲେ କୋଟିପୁଣ୍ୟ ମିଳିବାର ବିଶ୍ବାସ ଥିବାରୁ କାହିଁ କେତେ ଦୂରରୁ ଭକ୍ତମାନେ ଦର୍ଶନ ପାଇଁ ଆସୁଛନ୍ତି। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି। ଏହାର ସୁଯୋଗ ନେଇ କିଛି ପକେଟ୍‌ମାର ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ଲୁଟପାଟ କରିବା ଆରମ୍ଭ କରି ଦେଇଛନ୍ତି। ବୁଧବାର ଦିନ କଟକରୁ ଆସିଥିବା ଏକ ଦମ୍ପତ୍ତି ପରିମାଣିକ ଦର୍ଶନ ବେଳେ ଏମାନଙ୍କ ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରାମାନେ ଭ୍ୟାନିଟି ବ୍ୟାଗ ଚେନ୍‌ ଖୋଲି ଏଥିରେ ଥିବା ପର୍ସକୁ ‌ଲୁଟି ନେଇଛନ୍ତି। ଯେଉଁଥିରେ ୫ହଜାର ଟଙ୍କା ସହ ଏଟିଏମ କାର୍ଡ଼ ଓ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଥିଲା, ଯାହାକୁ ଲୁଟେରାମାନେ ଲୁଟି ନେଇଛନ୍ତି। ଏହି ଦମ୍ପତ୍ତି ହେଲେ କଟକ ସିଡିଏର ଧରିତ୍ରୀ ମହାନ୍ତି ଓ ରଘୁନାଥ ମହାନ୍ତି। ଧରିତ୍ରୀ ଏ ସଂପର୍କରେ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ ବି କରିଛନ୍ତି।

ଶ୍ରୀ ମହାନ୍ତିଙ୍କ କହିବା ମୁତାବକ, ସେ ଦର୍ଶନ ପୂର୍ବରୁ ଚୋରି ଆଶଙ୍କା କରି ସ୍ତ୍ରୀ ଧରିତ୍ରୀଙ୍କ ଭ୍ୟାନିଟିରେ ପର୍ସ ରଖି ଦେଇଥିଲେ। ପରେ ୫୦ ଟଙ୍କା ଦେଇ ପରିମାଣିକ ଟିକେଟ୍‌ କରି ଭିତରକୁ ଦର୍ଶନ ପାଇଁ ଯାଇଥିଲେ। ଟିକେଟ୍‌ କିଣିବା ବେଳେ ଭ୍ୟାନିଟିରୁ ପର୍ସ କାଢ଼ି ଟଙ୍କା ଦେବା ପରେ ପୁଣି ରଖି ଦେଇଥିଲେ। କିନ୍ତୁ ଗର୍ଭଗୃହରୁ ଦର୍ଶନ କରି ଫେରିବା ବେଳକୁ ତାଙ୍କ ପର୍ସ ନ ଥିଲା। ଭ୍ୟାନିଟିରେ ଚେନ୍‌ ଖୋଲା ଥିଲା। ଏ ସଂପର୍କରେ ସେ ଶ୍ରୀମନ୍ଦିର ସୂଚନା କେନ୍ଦ୍ରରେ ବି ଜଣାଇଥିବା ଶ୍ରୀ ମହାନ୍ତି କହିଛନ୍ତି। ଅନ୍ୟପଟେ ଟଙ୍କା ଛାଡ଼ି ଅନ୍ୟ ଦରକାରୀ କାଗଜପତ୍ର ଫେରାଇ ଦେବାକୁ ନିବେଦନ କରିଛନ୍ତି। ସେପଟେ ବୁଧବାର ଦିନକ ଭିତରେ କୁମ୍ଭାରପଡ଼ା ଥାନାରେ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ଚୋରି ସଂପର୍କରେ ଆହୁରି ୧୯ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ମାଳ ମାଳ ପୁଲିସ ଅଧିକାରୀ, କର୍ମଚାରୀଙ୍କ ଗହଳି ଭିତରେ ଏଭଳି ଚୋରି ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ସମ୍ବନ୍ଧିତ ଖବର