ବାରଙ୍ଗ: ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଗାଁ ନିକଟ ମାରୁତିବିହାରରେ ଘଟିଛି ସଶସ୍ତ୍ର ଡକାୟତି। ଡକାୟତିର ଶିକାର ଇଂଜିନିୟର୍‌ ଦମ୍ପତି ହେଲେ ଆକାଶ କୁମାର ଚାନ୍ଦ(୪୦) ଓ ଏଲିଶ୍ରୀ ଚାନ୍ଦ(୩୮)। ଖଣ୍ଡା, ଭୁଜାଲି, ଛୁରି ଓ ରଡ୍‌ ଭଳି ମାରଣାସ୍ତ୍ର ଧରି ୮ ଡକାୟତ ଏହି ଦମ୍ପତିଙ୍କଠାରୁ ପ୍ରାୟ ୮ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟି ନେଇଛନ୍ତି। ଆଜି ସକାଳୁ କମିସନରେଟ୍‌ ପୁଲିସ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍ ଆରମ୍ଭ କରିଛି। ଗତ କିଛି ଦିନ ହେଲା ରାଜଧାନୀରେ ବଢ଼ୁଥିବା ସିନ୍ଧିଚୋରି ଓ ଡକାୟତି ମାମଲାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ରାଜଧାନୀ ଉପକଣ୍ଠରେ ଥିବା ଆବାସିକ କଲୋନିଗୁଡ଼ିକରେ ଲୋକେ ଆଉ ସୁରକ୍ଷିତ ମଣୁନଥିବା କୁହାଯାଉଛି।

Advertisment

ଗତ ରାତିରେ ଡକାୟତ ଦଳ ଚାନ୍ଦ ନିବାସର ଏକ ଝରକା ତାଡ଼ି ଘର ଭିତରେ ପଶିଥିଲେ। ଶୋଇବା ଘରର କବାଟକୁ ଧକ୍କା ମାରି ଭାଙ୍ଗିବା ପରେ ଦମ୍ପତିଙ୍କ ଖଟ ପାଖକୁ ମାଡ଼ି ଯାଇଥିଲେ। ନିଦରୁ ଉଠିବା ବେଳକୁ ଡକାୟତମାନେ ଦମ୍ପତିଙ୍କୁ ଘେରିସାରିଥିଲେ। ପ୍ରଥମେ ସେମାନେ ୨ ପୁଅଙ୍କୁ ପଣବନ୍ଦୀ କରିନେଇ ଦମ୍ପତିଙ୍କଠାରୁ ଚାବି ନେଇଥିଲେ। ଏହାପରେ ସେମାନଙ୍କ ହାତଗୋଡ଼ ବାନ୍ଧି ଗାଧୁଆ ଘରେ ପୂରାଇ ବାହାରୁ କବାଟ କିଳି ଦେଇଥିଲେ। ଉଭୟ ହିନ୍ଦୀ ଓ ଓଡ଼ିଆରେ କଥାବାର୍ତ୍ତା କରୁଥିବା ଡକାୟତମାନେ ପ୍ରାୟ ୪୫ ମିନିଟ୍‌ ଭିତରେ ଆଲ୍‌ମାରି ଓ କପ୍‌ବୋର୍ଡ ଭାଙ୍ଗି ଅଳଙ୍କାର ଲୁଟି ଚମ୍ପଟ ମାରିଥିଲେ। ଆଜି ସକାଳୁ ଭୁବନେଶ୍ବର ଡିସିପି, ଏସିପି ଓ ନନ୍ଦନକାନନ ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ନେଇ ଛାନ୍‌ଭିନ କରିଥିଲେ ହେଁ ଡକାୟତମାନଙ୍କ ବାବଦରେ ସୁରାକ୍‌ ପାଇନଥିବା ଜଣାପଡ଼ିଛି।