ଓଜନରେ ଠକେଇ : ୩ ହଜାରରୁ ଅଧିକ ବ୍ୟବସାୟୀଙ୍କ ବିରୋଧରେ ମାମଲା

ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ରେ ନାହାନ୍ତି ବୈଧମାପ ବିଜ୍ଞାନ ଇନ୍‌ସପେକ୍ଟର

ଭୁବନେଶ୍ବର : ରାଜ୍ୟର ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଉପଭୋକ୍ତାଙ୍କୁ ଠକୁଛନ୍ତି। ପେଟ୍ରୋଲ ପମ୍ପଠାରୁ ଆରମ୍ଭ କରି ମାଛ/ମାଂସ ବ୍ୟବସାୟୀ, ହାର୍ଡୱେୟାର, ପ୍ୟାକେଟ୍ ଖାଦ୍ୟରେ ଠିକ୍ ଓଜନ ରହୁନାହିଁ। ଚଳିତବର୍ଷ ୯ମାସ ଭିତରେ ରାଜ୍ୟରେ ୩ହଜାରରୁ ଅଧିକ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସରକାରଙ୍କ ପକ୍ଷରୁ ଆବଶ୍ୟକ ସଚେତନତାର ଅଭାବ ଓ ନିୟମିତ ଚଢ଼ଉ ହେଉ ନଥିବାରୁ ବ୍ୟବସାୟୀମାନେ ଉପଭୋକ୍ତାଙ୍କୁ ଠକିବାରେ ଲାଗିଛନ୍ତି।

ସୂଚନା ଅନୁସାରେ, ଚଳିତବର୍ଷ ଏପ୍ରିଲ ମାସରୁ ନଭେମ୍ବର ମାସ ମଧ୍ୟରେ ରାଜ୍ୟ‌ରେ ୩୧୧୭ଜଣ ବ୍ୟବସାୟୀଙ୍କ ବିରୋଧରେ ଓଜନରେ ଠକିବା ମାମଲା ରୁଜୁ ହୋଇଛି। ଓଜନରେ ଠକିବା ସହିତ ପ୍ୟାକେ୍‌ଟରେ ଓଜନଠାରୁ କମ୍ ଜିନିଷ ରହିବା ଭଳି ମାମଲା ରହିଛି। ଏହି ସମସ୍ତ ବ୍ୟବସାୟୀଙ୍କଠାରୁ ୬୨ଲକ୍ଷ ୭ହଜାରରୁ ଅଧିକ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି। ସେହିପରି ଏହି ମାସ ମଧ୍ୟରେ ରାଜ୍ୟରେ ୧ଲକ୍ଷ ୧୯୩୪ଜଣ ବ୍ୟବସାୟୀଙ୍କ ଓଜନ ମାପ ଯନ୍ତ୍ରର ଯାଞ୍ଚ ହୋଇଛି। ଓଜନ ମାପ ଯନ୍ତ୍ରର ବର୍ଷେ ପରେ ନବୀକରଣ ନ କରିବା ଧାର୍ଯ୍ୟ ଓଜନ ମାପ ବଦଳରେ ଅନ୍ୟ ଯନ୍ତ୍ର ବ୍ୟବହାର କରିବା ଭଳି ବ୍ୟବସାୟୀଙ୍କଠାରୁ ୭ କୋଟି ୩୦ଲକ୍ଷ ୧୪୬୩ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ରାଜ୍ୟରେ ଯେତେ ବ୍ୟବସାୟୀ ରହିଛନ୍ତି ତହିଁରେ ମାଛ/ମାଂସ ବ୍ୟବସାୟୀ ଉପଭୋକ୍ତାମାନଙ୍କୁ ଓଜନରେ ଅଧିକ ମାତ୍ରରେ ଠକୁଥିବା ଜଣାପଡ଼ିଛି।

ତେବେ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ବୈଧମାପ ବିଜ୍ଞାନ ଇନ୍‌ସପେକ୍ଟରଙ୍କ ଅଭାବ ଯୋଗୁଁ ନିୟମିତ ଚଢ଼ଉ ହୋଇପାରୁ ନାହିଁ। ବୈଧମାପ ପାଇଁ ରାଜ୍ୟରେ ସମୁଦାୟ ୭୨ଟି ୟୁନିଟ୍ (ପରୀକ୍ଷାଗାର) ରହିଥିବା ବେଳେ ଏଥିପାଇଁ ୫୫ଜଣ ଇନ୍‌ସପେକ୍ଟର ଅଛନ୍ତି। ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରେ ବୈଧମାପ ବିଜ୍ଞାନ ଇନ୍‌ସପେକ୍ଟର ଆଦୌ ନାହାନ୍ତି। ଏହି ୩ଜିଲ୍ଲା ପାଇଁ ଅନ୍ୟ ଜିଲ୍ଲାରେ କାର୍ଯ୍ୟ କରୁଥିବା ଇନ୍‌ସପେକ୍ଟରମାନଙ୍କୁ ଦାୟିତ୍ବ ଦିଆଯାଇଛି। ଯାହାଫଳରେ ଜଣେ ଜଣେ ଇନ୍‌ସପେକ୍ଟରଙ୍କୁ ଏକାଧିକ ଜିଲ୍ଲାରେ କାର୍ଯ୍ୟ କରିବାକୁ ପଡ଼ୁଛି। ଗତ ୨/୩ବର୍ଷ ହେବ ବୈଧମାପ ନିର୍ଦେଶାଳୟରେ ଇନ୍‌ସପେକ୍ଟରମାନଙ୍କ ଏଭଳି ଅଭାବ ଦେଖା ଦେଇଛି। ଏ ନେଇ ନିର୍ଦେଶାଳୟ ପକ୍ଷରୁ ବିଭାଗକୁ ଚିଠି ଲେଖାଯାଇଛି। ଖାଲି ପଡ଼ିଥିବା ପଦବି ପୂରଣ ନେଇ ଏସ୍‌ଏସ୍‌ସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନ ଥିବା ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକାରୀଙ୍କ ସୂଚନା ଅନୁସାରେ, ମାଛ/ମାଂସ ବ୍ୟବସାୟୀ ଓ ପେଟ୍ରୋଲ ପମ୍ପରେ ଉପଭୋକ୍ତମାନେ ଅଧିକା ମାତ୍ରରେ ଠକାମିର ଶିକାର ହେଉଥିବା ନଜରକୁ ଆସୁଛି। ରାଜଧାନୀରେ ମଧ୍ୟ ଠକାମିର ମାତ୍ରା କିଛି କମ୍ ନୁହେଁ। ତେବେ ସୁନା ଗହଣା ଦୋକାନୀଙ୍କ କ୍ଷେତ୍ରରେ ଏହା କମ୍ ରହିଛି। ତେବେ ଓଜନ ମାପ ଯନ୍ତ୍ରର ଠିକ୍ ସମୟରେ ନବୀକରଣ କରୁ ନ ଥିବା ଯୋଗୁଁ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଜିଲ୍ଲାସ୍ତରରେ ଥିବା କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀଙ୍କ ବହୁତ ଅଭାବ ରହିଛି। ତେଣୁ କର୍ମଚାରୀ ନିଯୁକ୍ତି ହେବା ପରେ ନିୟମିତ ଚଢ଼ଉ ହୋଇପାରିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର