ଲୁଟେରାଙ୍କ ଚରାଭୁଇଁ ‘ଜାତୀୟ ରାଜପଥ’ : ବଢୁଛି ଲୁଟ୍‌, ରାହାଜାନି, ଛିନ୍‌ତାଇ, ଲୋକେ ଚିନ୍ତିତ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରୁ ତୋଟାପଡ଼ା ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥ ଲୁଟେରା, ଡକାୟତଙ୍କ ଚରାଭୁଇଁ ପାଲଟିଛି। ଏହି ୭୦ କିଲୋମିଟର ଜାତୀୟ ରାଜପଥରେ ହେଉଥିବା ଲୁଟ୍‌, ରାହାଜାନି, ଛିନ୍‌ତାଇ ପାଇଁ ପରୋକ୍ଷରେ ପ୍ରଶାସନ ଦାୟୀ ବୋଲି ଚର୍ଚ୍ଚା ହେଉଛି। ବିଶେଷ କରି ସନ୍ଧ୍ୟା ପରଠାରୁ ରାଜପଥ ପାଟ୍ରୋଲିଂକୁ ଗୁରୁତ୍ବ ଦିଆଯାଉ ନ ଥିବାରୁ ଏହା ରାଜପଥ ଲୁଟେରାମାନଙ୍କୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ହେଉଛି।

ସୂଚନା ଯୋଗ୍ୟ ବାଲୁଗାଁ ଠାରୁ ତୋଟାପଡ଼ା ପର୍ଯ୍ୟନ୍ତ ରାଜରାସ୍ତା ବେଶ୍‌ ସମ୍ବେଦଦନଶୀଳ ବୋଲି ବିବେଚନା କରାଯାଉଛି। ଏହି ୭୦ କିଲୋମିଟର ରାସ୍ତା ବାଣପୁର, ବାଲୁଗାଁ, ଟାଙ୍ଗୀ, ଚାନ୍ଦପୁର, ନିରାକାରପୁର, ଜଙ୍କିଆ, ଖୋର୍ଦ୍ଧା ସଦର ଥାନା ଓ ନାଚୁଣୀ, କୁହୁଡି ଫାଣ୍ତି ପରିସରଭୁକ୍ତ। ଏହି ରାସ୍ତାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ଧନ ଜୀବନହାନୀ ଘଟିବା ଏକ ନିତିଦିନିଆ ଘଟଣା। ଏଭଳି ଦୁର୍ଘଟଣାକୁ ଏଡାଇବା ପାଇଁ ସ୍ବର୍ଣ୍ଣ ଚତୁର୍ଭୁଜ ଯୋଜନାରେ ରାସ୍ତା ସମ୍ପ୍ରସାରଣ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତାରୁ ଦୁର୍ଘଟଣା କମିବା ନାଁ ଧରୁ ନାହିଁ। ବିଶେଷ କରି ରାଜପଥରେ ବୁଲା ଗୋରୁଗାଈଙ୍କ ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏହି ସମସ୍ୟା ସହିତ ଜାତୀୟ ରାଜପଥରେ ପାଟ୍ରୋଲିଂ କରା ଯାଉ ନ ଥିବା ଅଭିଯୋଗ ହେଉଛି। ଏହି ଅଞ୍ଚଳ ୭ଟି ଥାନା ଓ ୨ଟି ଫାଣ୍ତି ପରିସର ଭୁକ୍ତ ହୋଇଥିଲେ ମଧ୍ୟ ଚୋରି, ଡକାୟତି, ରାହାଜାନିକୁ ଲଗାମ ଲଗାଇବା ପାଇଁ ପର୍ଯ୍ୟାପ୍ତ ପୁଲିସ ପାଟ୍ରୋଲିଂର ଅଭାବ ଲୋକଙ୍କ ଚିନ୍ତାର କାରଣ ହୋଇଛି।

haribhoomi.com

ସନ୍ଧ୍ୟା ହେଲେ ବଡପୋଖରୀଆ, ଚମ୍ପାଗଡ, କଇଥପଲ୍ଲା, କୁହୁଡି, ଚଣ୍ଡେଶ୍ବର, ନାଚୁଣୀ ଓ ଏହାର ଆଖପାଖ ରାଜରାସ୍ତାରେ ଲୁଟ୍ , ଡକାୟତି କେବଳ ବାଟୋଇ ମାନଙ୍କ ପାଇଁ ନୁହେଁ ପୁଲିସ ପାଇଁ ମଧ୍ୟ ମୁଣ୍ତବ୍ୟଥାର କାରଣ ପାଲିଟିଛି। ବିଚ୍ ରାଜପଥରେ ଦିବାଲୋକରେ ବନ୍ଧୁକ ତଥା ବିଭିନ୍ନ ମାରାଣାସ୍ତ୍ର ଦେଖାଇ ଲୁଟ କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ବି ପାଟ୍ରୋଲିଂ ଅଭାବ ଯୋଗୁ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି। ଗତ ୨୬ ତାରିଖରେ କୁହୁଡି ରାସ୍ତା ପାର୍ଶ୍ବରେ ଥିବା ଜଣେ ଡାକ୍ତରଙ୍କ ଘରୁ ବନ୍ଧୁକ ଦେଖାଇ ୨୫ଲକ୍ଷ ଟଙ୍କାର ସୁନାଗହଣା, ନଗଦ ୫ଲକ୍ଷ ଟଙ୍କା ଲୁଟ ଘଟଣାରେ ଏବେ ବି ପୁଲିସ ହାତ ଖାଲି। ସେହିପରି ଗତ ୧୫ଦିନ ତଳେ କୁହୁଡି ଫାଣ୍ତି ଅନ୍ତର୍ଗତ କଇଥପଲ୍ଲା ନିକଟରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ପରିବାରର କାରକୁ ଅଟକାଇ, ଯାତ୍ରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଲୁଟ୍‌ କରିଥିଲେ। ଏହି ଘଟଣାରେ ମଧ୍ୟ ପୁଲିସ କାହାରିକୁ ଧରି ପାରିନାହିଁ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଜିଲ୍ଲା ପୁଲିସ ବିଭାଗ ବର୍ତ୍ତମାନ ସୁଦ୍ଧା ଜାତୀୟ ରାଜପଥକୁ ଅପରାଧମୁକ୍ତ କରିବା ପାଇଁ ବିଭିନ୍ନ ଥାନାଗୁଡ଼ିକୁ ନେଇ ଏକ ସମନ୍ବିତ ଯୋଜନା ପ୍ରସ୍ତୁତ କରି ପାରି ନାହିଁ। ଗୋଟିଏ ପଟେ ଥାନାଗୁଡ଼ିକ ମଧ୍ୟରେ ସମନ୍ବୟର ଅଭାବ ଓ ଅନ୍ୟ ପଟେ ଥାନାଗୁଡ଼ିକ ରାଜପଥ ପାଟ୍ରୋଲିଂକୁ ଗୁରୁତ୍ବ ଦେଉ ନ ଥିବାରୁ ରାଜପଥ ଲୁଟେରାମାନେ ବିଭିନ୍ନ ସମୟରେ ଟ୍ରକ୍‌, କାର ଅଟକାଇ ଲୁଟ୍‌ତରାଜ ଚଳାଇଥିବା ଅଭିଯୋଗ ହେଉଛି। ତେଣୁ ଏ ଦିଗରେ ଜିଲ୍ଲା ପୁଲିସ ମୁଖ୍ୟ ପଦକ୍ଷେପ ନେବାକୁ ଦାବି ହେଉଛି। ସେହିପରି ଭୁବନେଶ୍ବର ମହାନଗରରେ ଦ୍ରୁତଗାଡି ଚାଳନାରେ ରୋକ ଲଗାଇବା ପାଇଁ ଇଣ୍ଟରସେପ୍ଟର ବିନିଯୋଗ କରାଯାଉଥିବା ବେଳେ ଏହି ୧୬ନମ୍ବର ଜାତୀୟ ରାଜପଥରେ ଦ୍ରୁତଗତିକୁ ରୋକିବା ପାଇଁ ଏହି ଇଣ୍ଟରସେପ୍ଟର ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହେଉଛି।

ସମ୍ବନ୍ଧିତ ଖବର