‘ମୋ ସରକାର’ କରାମତି : ବ୍ୟାଙ୍କ ଖାତାକୁ ଫେରିଲା ଗାଏବ ୮୦ ହଜାର ଟଙ୍କା

ବଡ଼ବିଲ : ବ୍ୟାଙ୍କ ଖାତାରୁ ଗାଏବ ହୋଇଯାଇଥିଲା ୮୦ ହଜାର ଟଙ୍କା। ୨୦୧୯ ଜାନୁଆରି ୨୨ ତାରିଖରେ ବଡ଼ବିଲ ଥାନାରେ ଏହି ଅଭିଯୋଗ କରିଥିଲେ ଖାତାଧାରୀ ଭୀମସେନ ବେହେରା। ବାରମ୍ବାର ଥାନାକୁ ଯାଇ ବହୁ ଜାଗାରେ ହାରିଗୁହାରି କରି ନିରାଶ ହୋଇଥିଲେ। ଶେଷରେ ‘ମୋ ସରକାର’ ଟୋଲ୍‌ ଫ୍ରି ନମ୍ବରକୁ ଫୋନ କରିଥିଲେ। ଆଉ ତତ୍‌କ୍ଷଣାତ ସମାଧାନ ହୋଇଗଲା। ଯେଉଁ ଥାନାକୁ ସେ ବାରମ୍ବାର ଦୌଡ଼ୁଥିଲେ, ସେହି ଥାନା ଅଧିକାରୀ ତାଙ୍କୁ ଯୋଗାଯୋଗ କଲେ। ଆଉ ପୁଲିସବାବୁ ନିଜେ ବ୍ୟାଙ୍କକୁ ଯାଇ ଟଙ୍କା ଫେରିବାରେ ସହଯୋଗ କଲେ। ଶେଷରେ ଦୀର୍ଘ ୯ ମାସ ପରେ ତାଙ୍କ ଆକାଉଣ୍ଟରେ ୮୦ ହଜାର ଟଙ୍କା ଜମା ହୋଇଗଲା। ଏଥିରେ ଆନନ୍ଦ ପ୍ରକାଶ କରି ଭୀମସେନ ଟୁଇଟ୍‌ କରି ମୋ ସରକାର ଓ ପୁଲିସ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯାହା ୯ ମାସ ଧରି ହେଉନଥିଲା, ମୋ ସରକାର ପ୍ରଭାବରେ ୨୫ ଦିନରେ ହେଲା ବୋଲି ସେ କହିଛନ୍ତି।

ଏ ଖବରଟି ଏବେ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଖବର ଅନୁସାରେ କଳିଙ୍ଗ ଲୁହା କାରଖାନାର ଅବସରପ୍ରାପ୍ତ ସୁରକ୍ଷାକର୍ମୀ ଭୀମସେନ ବେହରାଙ୍କ ବଡ଼ବିଲସ୍ଥିତ ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ଗତ ଜାନୁଆରି ୨୨ ତାରିଖ ବିଳମ୍ବିତ ରାତିରେ ଦୁଇଟି ପର୍ଯ୍ୟାୟରେ ୪୦ ହଜାର ଓ ଭୋର ସମୟରେ ପୁନର୍ବାର ଦୁଇଟି ପର୍ଯ୍ୟାୟରେ ୪୦ ହଜାର ଟଙ୍କା ସହ ସମୁଦାୟ ୮୦ ହଜାର ଟଙ୍କା କେହି ଉଠାଇ ନେଇଥିଲା। ସକାଳେ ମୋବାଇଲ ମେସେଜ ଦେଖି ସେ ଏହା ଜାଣିବାକୁ ପାଇଥିଲେ। ତା’ ପରଦିନ ଅର୍ଥାତ ୨୩ ତାରିଖରେ ବଡ଼ବିଲ ବ୍ୟାଙ୍କ ଶାଖାକୁ ଯାଇ ବୁଝିଥିଲେ। ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ମିଳିଥିଲା। ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଥାପି ସୁଫଳ ମିଳି ନଥିଲା। ବାରମ୍ବାର ଥାନା ଓ ବ୍ୟାଙ୍କକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇଥିଲେ। ପୁଣି ଗତ ଏପ୍ରିଲ ୧୯ ତାରିଖରେ ଥାନାକୁ ଯାଇ ନିରାଶ ହୋଇଥିଲେ। ଟଙ୍କା ଫେରିପାଇବାର ଆଶା ମଧ୍ୟ ଛାଡ଼ି ଦେଇଥିଲେ।

ଶେଷରେ ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନା ବିଷୟରେ ଶୁଣିବା ପରେ ଟୋଲ୍‌ ଫ୍ରି ନମ୍ବରରେ ଗତ ଅକ୍ଟୋବର ୫ରେ ସେ ଯୋଗାଯୋଗ କରିଥିଲେ। ଏହାପରେ ସୁଫଳ ମିଳିବା ଆରମ୍ଭ ହୋଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଫୋନ କରି ସବୁ ବୁଝିଥିଲେ। ପରେ ଡିଆଇଜି ଜଲାନ, ଏ ବିଷୟରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ତାଗିଦ କରିଥିଲେ। ଏସ୍‌ପିଙ୍କ ନିର୍ଦେଶରେ ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ, ବଡ଼ବିଲ ବ୍ୟାଙ୍କ ଶାଖାକୁ ଯାଇ ଶାଖା ପ୍ରବନ୍ଧକଙ୍କ ସହ ଆଲୋଚନା କରିଥିଲେ। ଶେଷରେ ଗତ ଅକ୍ଟୋବର ୩୦ ତାରିଖରେ ସମୁଦାୟ ୮୦ ହଜାର ଟଙ୍କା ତାଙ୍କ ଖାତାରେ ପୁନଃ ଜମା ହୋଇଯାଇଥିଲା। ଏହି ଟଙ୍କା ଫେରିପାଇବାପରେ ଭୀମସେନ ‘ମୋ ସରକାର’ ଯୋଜନାକୁ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର