ଲଘୁ ଖଣିଜ ଦ୍ରବ୍ୟ ଚୋରି ସୀମା ଲଂଘିଲାଣି

ଭୁବନେଶ୍ୱର : ରାଜ୍ୟରେ ବେଧଡ଼କ ଭାବେ ଚାଲିଛି ଲଘୁ ଖଣିଜ ଦ୍ରବ୍ୟ ଚୋରି। ବାଲି, ମରମ୍‌ ଓ ପଥର ମନଇଚ୍ଛା ଉଠାଯାଉଛି। ମାଫିଆମାନେ ପ୍ରଚୁର ରୋଜଗାର କରୁଛନ୍ତି। କିନ୍ତୁ ସରକାର ଟଙ୍କାଟିଏ ରାଜସ୍ୱ ପାଉ ନାହାନ୍ତି। ଆଜି ବିଧାନସଭାରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଏମିତି ଉଦ୍‌ବେଗ ପ୍ରକାଶ କରିଥିଲେ। ସେମାନଙ୍କ ଶାଣିତ ସ୍ୱରରୁ ଲାଗୁଥିଲା ରାଜ୍ୟରେ ଲଘୁ ଖଣିଜ ଦ୍ର୍ୟବ ଚୋରିର ଆକାର କେତେ ବିଶାଳ ? ସମସ୍ତେ ରାଜସ୍ୱ ବିଭାଗକୁ ଆରୋପ ଲଗାଇଥିଲେ, ସରକାର କାହିଁକି ମାଫିଆଙ୍କ ପ୍ରତି କଠୋର ହେଉ ନାହାନ୍ତି?

ରାଜସ୍ୱ ମନ୍ତ୍ରୀ ବି ବିଧାୟକଙ୍କ କଥାକୁ କାଟି ପାରି ନ ଥିଲେ। ସହମତ ହୋଇଥିଲେ ଯେ ଚୋରାଚାଲାଣ ବଢ଼ିଛି। କିନ୍ତୁ ତାହାକୁ ରୋକିବାରେ ଅସହାୟତା ପ୍ରକାଶ କରିଥିଲେ। ଗୃହକୁ ଜଣାଇଥିଲେ, ସରକାର ଚୋରି ରୋକିବା ପାଇଁ ବିଶେଷ କିଛି କରିପାରି ନାହାନ୍ତି। କାରଣ ଆମ ପାଖରେ ଆବଶ୍ୟକ ଲୋକ ବଳ ନାହାନ୍ତି। ତେବେ ପ୍ରତିଶ୍ରୁତି ଦେଇଥିଲେ, ଆଗକୁ ସରକାର କଠୋର ହେବେ। ଓଡ଼ିଶା ଶିଳ୍ପ ସୁରକ୍ଷା ବଳକୁ ମୁତୟନ କରି ଦୃଢ଼ ହସ୍ତରେ ଚୋରାଚାଲାଣ ରୋକିବେ।

ଆଜି ପ୍ରଶ୍ନକାଳରେ ଶାସକ ଦଳ ସଭ୍ୟ ପ୍ରିୟଦର୍ଶୀ ମିଶ୍ରଙ୍କ ମୂଳ ପ୍ରଶ୍ନରୁ ଆରମ୍ଭ ହୋଇଥିଲା ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଶ୍ରୀ ମିଶ୍ରଙ୍କ ପ୍ରଶ୍ନ ଥିଲା, ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ ପରିମାଣ କେତେ ପ୍ରତିଶତ ବୃଦ୍ଧି ପାଇଛି ? ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉତ୍ତର ଦେଇଥିଲେ, ଚଳିତ ଆର୍ଥିକ ବର୍ଷର ଫେବ୍ରୁଆରି ମାସ ଶେଷ ସୁଦ୍ଧା ଲକ୍ଷ୍ୟ ଧାର୍ଯ୍ୟର ୭୨.୩୭ ପ୍ରତିଶତ ଭାଗ ପୂରଣ କରାଯାଇପାରିଛି। ଖଣି ଲିଜ୍‌/ନବୀକରଣ ହାର କ୍ରମାଗତ ଭାବେ ହ୍ରାସ ଘଟିବା, ସହରୀ ଯୋଜନା କ୍ଷେତ୍ରଗୁଡ଼ିକରେ କୋଠାବାଡ଼ି ନିର୍ମାଣ ଆଇନ୍‌ ଲାଗୁ ହେବା, ଗ୍ରାମାଞ୍ଚଳରେ ଲୋକମାନଙ୍କର ଭୂକ୍ରୟ କ୍ଷେତ୍ରରେ ଅର୍ଥ ବିନିଯୋଗ ପ୍ରତି ଅନାଗ୍ରହ ଭାବ ଓ ପଞ୍ଜୀକରଣ ଆଇନ୍‌ର ଧାରା ୨୨-କ ଅନୁଯାୟୀ ଜମିର ସତ୍ତ୍ୱାଧିକାରୀ ଯାଞ୍ଚ୍‌ ଲାଗୁ ହେବା ଯୋଗୁଁ ମୁଦ୍ରାଙ୍କ ଦେୟ ଓ ନିବନ୍ଧନ ଫି’ ଆଦାୟ କ୍ଷେତ୍ରରେ ଦ୍ରୁତ ଅବନତି ଘଟିଛି। ବିଜେପି ସଭ୍ୟ ପ୍ରଦୀପ ପୁରୋହିତ ପଦ୍ମପୁର ନିର୍ବାଚନମଣ୍ଡଳୀରୁ ଛତିଶଗଡ଼କୁ ବାଲି ଚୋରାଚାଲାଣ ହେଉଥିବା ନେଇ କହିଥିଲେ। ମହେଶ ସାହୁ କହିଥିଲେ, ରାଜସ୍ୱ ଆଦାୟ ଆହୁରି ବୃଦ୍ଧି ହେବା କଥା। ସରକାର କାହିଁକି କଠୋର ପଦକ୍ଷେପ ନେଉ ନାହାନ୍ତି ? ଜୀବନ ପ୍ରଦୀପ ଦାସ କହିଥିଲେ, ବହୁ ଖାଦାନ ନିଲାମ ହେଉନି। କିନ୍ତୁ ସେଠାରେ ବାଲି ଉଠୁଛି। ଚୋରା ଚାଲାଣ ଜୋର୍‌ଦାର୍‌ ଚାଲିଛି। ଶାସକ ଦଳ ମୁଖ୍ୟ ସଚେତନ ଅମର ଶତପଥୀ ମଧ୍ୟ ଲଘୁ ଖଣିଜ ଦ୍ରବ୍ୟର ଚୋରାଚାଲାଣ ରୋକିବାକୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମତ ଦେଇଥିଲେ। ପୂର୍ଣ୍ଣଚନ୍ଦ୍ର ସେଠୀ କହିଥିଲେ, ପୁରୁଷୋତ୍ତମପୁର ନିର୍ବାଚନମଣ୍ଡଳୀର ଋଷିକୁଲ୍ୟା ନଦୀରେ ବାଲିଘାଟ ନିଲାମ ହୋଇଛି। କିନ୍ତୁ ତାହା ସୀମା ସ୍ଥିର କରାଯାଇନି। ଫଳରେ ହଜାର ହଜାର ଟ୍ରକ୍‌ ବାଲି ସେଠାରୁ ମନଇଚ୍ଛା ଉଠାଯାଉଛି। ଅତନୁ ସବ୍ୟସାଚ୍ଚୀ ନାୟକ କହିଥିଲେ, ବାଲିଘାଟ ନିଲାମ ହେଲା ବେଳେ ଜଳସମ୍ପଦ ବିଭାଗର କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରୁ। କାରଣ ନିଲାମଧାରୀମାନେ ବାଲି ଉଠାଇଲା ବେଳେ ନଦୀ ବନ୍ଧ ଉପରେ ପ୍ରଭାବ ପଡ଼ୁଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ପରିବେଶର ସୁରକ୍ଷା ଓ ରାସ୍ତାର ସୁରକ୍ଷା ପାଇଁ ବାଲିଘାଟର ନିଲାମ କରାଯାଉନି ବୋଲି ମନ୍ତ୍ରୀ କହୁଛନ୍ତି। ନିଲାମ ନ କଲେ ମଧ୍ୟ ଶହ ଶହ ଗାଡ଼ି ବାଲି ଉଠାଇ ନେଉଛନ୍ତି। ଫଳରେ ପରିବେଶ, ରାସ୍ତା ଓ ରାଜସ୍ୱ ସବୁ ନଷ୍ଟ ହେଉଛି। ମନ୍ତ୍ରୀ କହୁଛନ୍ତି ଯେ ଲୋକବଳ ନାହିଁ ରୋକିବା ପାଇଁ। ସରକାର କ’ଣ ହାତ ଟେକିଦେଲେ କି ? ରାଜସ୍ୱ ବିଭାଗ ପୁଲିସ୍‌ର ସାହାଯ୍ୟ କାହିଁକି ନେଉନି ?

ମନ୍ତ୍ରୀ ଉତ୍ତର ଦେଇଥିଲେ, ସରକାର ହାତ ଟେକି ନାହାନ୍ତି। ଚଢ଼ାଉ ଜୋର୍‌ଦାର୍‌ ହେଉଛି। କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ। ଆହୁରି କଠୋର ପଦକ୍ଷେପ ନିଆଯିବ। ଅଧିକ ଚୋରାଚାଲାଣ ହେଉଥିବା ୧୦ଟି ତହସିଲ୍‌ରେ ଶିଳ୍ପ ସୁରକ୍ଷା ବଳ ନିୟୋଜିତ କରାଯିବ। ତେବେ ସରକାର କାହିଁକି ଆଗରୁ ସଚେତନ ହେଉ ନ ଥିଲେ ଓ ସ୍ଥାନୀୟ ପୁଲିସ୍‌ର ସହଯୋଗ କାହିଁକି ନେଉ ନାହାନ୍ତି, ସେ ନେଇ ମନ୍ତ୍ରୀ ନିରୁତ୍ତର ରହିଥିଲେ।

ନବକିଶୋର ଦାସ, ତାରାପ୍ରସାଦ ବାହିନୀପତି, ସମୀର ଦାଶ, ପ୍ରଫୁଲ୍ଲ ମାଝୀ, ସଞ୍ଜୀବ ସାହୁ, ରାଧାରାଣୀ ପଣ୍ଡା ଓ ଅଶ୍ୱିନୀ ପାତ୍ର ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର