ବଣାଇଗଡ଼: ସୁନ୍ଦରଗଡ଼ଜିଲ୍ଲା ବଣାଇ ସହରରେ ହୋଇଛି ସଶସ୍ତ୍ର ଡକାୟତି। ୫ ଜଣ ମୁଖାଧାରୀ ଡକାୟତ ମା’ଝିଅଙ୍କୁ ମାଡ଼ମାରିବା ସହିତ ଝିଅକୁ ଦୁଷ୍କର୍ମ ଧମକ ଦେଇ ଲୁଟି ନେଇଛନ୍ତି କୋଟିଏ ଟଙ୍କାର ସମ୍ପତ୍ତି। ବଣାଇ ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ରାଉରକେଲା ଏସ୍ପି ଓ ବଣାଇ ଏସ୍ଡିପିଓଙ୍କ ସମେତ ୬ ଥାନାର ଆଇଆଇସି ପହଞ୍ଚି ତଦନ୍ତକୁ ଜୋର୍ଦାର କରିଛନ୍ତି। ଅପରାହ୍ଣରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ତନାଘନା କରିଛି। ବଣାଇଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ରଶ୍ମି ଇଲେକ୍ଟ୍ରିକାଲ ଦୋକାନର ମାଲିକ ତୃପ୍ତିମୟୀ ସାହୁ(୫୨) ଝିଅ ସହ ରହନ୍ତି। ଦୋକାନର ଜଣେ କର୍ମଚାରୀ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ତିର୍ଚୁ ମଧ୍ୟ ତାଙ୍କ ଘରେ ରହେ। ରବିବାର ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପହଞ୍ଚି ତିର୍ଚୁକୁ ମାଡ଼ମାରିବା ସହ ବାନ୍ଧି ଦେଇଥିଲେ।
ତନାଘନା କଲେ ଏସ୍ପି ଓ ୬ ଥାନାଧିକାରୀ
ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ
ମୁଣ୍ଡରେ ବନ୍ଧୁକ ଲଗାଇ ମାଲିକାଣୀଙ୍କୁ ଡାକିବାକୁ କହିଥିଲେ। ଡକାୟତଙ୍କ ପାଖରେ ବନ୍ଧୁକ, ମାଂସକଟା ଚାପଡ଼ ଓ ଶାବଳ ଥିଲା। ଭୟରେ ତିର୍ଚୁ ‘ପେଟ ବିନ୍ଧୁଛି, ଔଷଧ ଦିଅ’ ବୋଲି ମାଲିକାଣୀ(ତୃପ୍ତିମୟୀ)ଙ୍କୁ ଫୋନ୍ ଯୋଗେ କହିଥିଲା। ମା’-ଝିଅ ଔଷଧ ବାହାର କରି କବାଟ ଖୋଲିଥିଲେ। ସେତିକିବେଳେ ଛକି ରହିଥିବା ଦୁର୍ବୃତ୍ତମାନେ ସେମାନଙ୍କୁ ଧକ୍କା ମାରି ଘର ଭିତରକୁ ପଶିଥିଲେ। ମା’ଝିଅଙ୍କ ମୁହଁ, ଗୋଡ଼ହାତ ସବୁ ବାନ୍ଧିବା ସହ ଚାବି ମାଗିଥିଲେ। ଚାବି ନ ଦେଲେ ଝିଅକୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ୍ କରିଦେବୁ ବୋଲି ଧମକ ଦେଇଥିଲେ। ଏହାପରେ ଡାକାୟତମାନେ ତୃପ୍ତିମୟୀଙ୍କଠାରୁ ଚାବିନେଇ ପ୍ରାୟ ୭୫ ଲକ୍ଷ ଟଙ୍କାର ସୁନାଗହଣା ଓ ୨୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ।
ଦୁର୍ବୃତ୍ତମାନେ ପ୍ରାୟ ତିନିଘଣ୍ଟା ଧରି ଏଭଳି କାଣ୍ଡ ଭିଆଇଥିବା ବେଳେ ଯିବା ସମୟରେ ସିସିଟିଭି କ୍ୟାମେରା ଭାଙ୍ଗି ହାର୍ଡଡିସ୍କ ନେଇଯାଇଥିଲେ। ଭୋର୍ ସମୟରେ ଖବରପାଇ ବଣାଇ ଥାନାଧିକାରୀ ଜ୍ଞାନେନ୍ଦ୍ର ସାହୁ ପୁଲିସବଳ ସହ ପହଞ୍ଚିଥିଲେ। ପରେପରେ ବଣାଇ ଏସ୍ଡିପିଓ ରାମଚନ୍ଦ୍ର ବିଶ୍ବାଳ, ଟିକାୟତପାଲି, ଲହୁଣିପଡ଼ା, ମହୁଲପଦା, ଗୁରୁଣ୍ଡି ଓ ଚାନ୍ଦିପୋଷ ଥାନାଧିକାରୀ ପହଞ୍ଚି ତଦନ୍ତ ଜୋର୍ଦାର କରିଥିଲେ। ଅପରାହ୍ଣରେ ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ପହଞ୍ଚି ତଦନ୍ତର ତଦାରଖ କରିଥିଲେ। ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ସନ୍ଧାନୀକୁକୁର ଘଟଣାସ୍ଥଳରୁ ପ୍ରାୟ ଦେଢ଼କିମି ଦୂର କନ୍ତଯୋଡ଼ି ରାଧାକୃଷ୍ଣ ମନ୍ଦିର ପର୍ଯ୍ୟନ୍ତ ଯାଇ ଅଟକି ଯାଇଥିଲା। ବଣାଇ ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି ଯେ ପୁଲିସ ତିର୍ଚୁକୁ ଅଟକ ରଖି ପଚରାଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/loot-2025-10-28-01-38-40.jpg)