ପଦାରେ ପଡ଼ିଲା ସୌନ୍ଦର୍ଯ୍ୟକରଣ ନାଁରେ ହରିଲୁଟ୍‌, ଲାଗିଥିବା ପାମ୍‌ ଟ୍ରି ଉପୁଡାଗଲା

୩.୪ କି.ମି.ର ରାସ୍ତାରେ ଲାଗିଥିଲା ପାମ୍‌ ଟ୍ରି, ଗଛ ଗୋଟାକୁ ୬୦୦ରୁ ୮୦୦ ଟଙ୍କା

ରାଉରକେଲା: ସ୍ମାର୍ଟସିଟିରେ ସୌନ୍ଦର୍ଯ୍ୟକରଣ ନାଁରେ ଚାଲିଛି ବ୍ୟାପକ ହରିଲୁଟ୍‌। ବର୍ଷ ବର୍ଷ ଧରି ଖର୍ଚ୍ଚ ନ ହୋଇ ପଡିଥିବା ପାଣ୍ଠି କେମିତି ସରିବ, ଉଭୟ ସ୍ମାର୍ଟସିଟି ଅଧିକାରୀ ଓ ଠିକା ସଂସ୍ଥା ଲାଗି ପଡିଛନ୍ତି। ତରବରିଆ ଭାବେ କାମ କରି ବିଲ୍‌ ଉଠାଇ ଠିକାସଂସ୍ଥାଗୁଡ଼ିକ ଯେନତେନ ପ୍ରକାର କାମ କରୁଛନ୍ତି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ନିକଟରେ ଦାମି ଗଛ ଲଗାଇ ବିଲ୍‌ ଉଠାଇ ନେବାକୁ ଠିକାସଂସ୍ଥା ଚଳାଇଥିବା କାରସାଦି ପଦାରେ ପଡିଛି।

ଏ ସମ୍ପର୍କିତ ଖବର ଦୈନିକ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଲଗାଇଥିବା ଗଛଗୁଡ଼ିକୁ ଉପାଡ଼ି ନେବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଠିକାସଂସ୍ଥା ତରିବରିଆ ଗଛ ଲଗାଇ ବିଲ୍‌ ଉଠାଇ ନେବାକୁ ଚଳାଥିବା ଚକ୍ରାନ୍ତ ଫେଲ୍‌ ମାରିଛି। ଗତ ଦୁଇ ପ୍ରାୟ ୨୦ ଦିନ ତଳେ ଉଦିତନଗର ଏସ୍‌ପିଙ୍କ ଅଫିସ୍‌ ନିକଟରୁ ପାନପୋଷ ଗାନ୍ଧିଛକ ପର୍ଯ୍ୟନ୍ତ ପ୍ରାୟ ୩.୪ କି.ମି. ରାସ୍ତାରେ ଲଗାଯାଇଥିବା ପାମ୍‌ ଟ୍ରିକୁ ଉପାଡିନେବାକୁ ବାଧ୍ୟ ହୋଇଛନ୍ତି। ଆଜିଠୁ ଠିକାସଂସ୍ଥା ଲଗାଇଥିବା ପାମ୍‌ ଟ୍ରିଗୁଡ଼ିକୁ ଉପାଡିବା କାମ ଆରମ୍ଭ କରିଛନ୍ତି। ପ୍ରତିଗଛ ପିଛା ପ୍ରାୟ ୬୦୦ରୁ ୮୦୦ ଟଙ୍କା ଖର୍ଚ୍ଚ ହୋଇଥିଲା।

ଉଦିତନଗରରୁ ଆମ୍ବେଦକର ପର୍ଯ୍ୟନ୍ତ ପ୍ରାୟ ୩୦୦୦ରୁ ଅଧିକ ଗଛ ଲାଗିଥିଲା। ଅର୍ଥାତ୍‌ ଗଛ ଲଗାରେ କେବଳ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏ ସଂକ୍ରାନ୍ତରେ କାମ ତଦାରଖ କରୁଥିବା ସ୍ମାର୍ଟସିଟିର କନିଷ୍ଠ ଯନ୍ତ୍ରୀ ଅମରଜିତ୍‌ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଗଛଗୁଡ଼ିକ ନଷ୍ଟ ହୋଇଯିବାରୁ ଠିକାସଂସ୍ଥାକୁ ଉପାଡ଼ି ନେଇଯିବାକୁ କୁହାଯାଇଛି। ସେହି ଜାଗାରେ ଅନ୍ୟ ଦାମି ଗଛଗୁଡ଼ିକ ଲଗାଯିବାକୁ କୁହାଯାଇଛି। ଗଛ ବାବଦ ଖର୍ଚ୍ଚ ଠିକାସଂସ୍ଥା ଭରଣା କରିବ ବୋଲି ସେ କହିଛନ୍ତି। କେବଳ ଉଦିତନଗର-ପାନପୋଷ ଗାନ୍ଧି ଛକ ନୁହେଁ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟରୁ କଳିଙ୍ଗବିହାର ବିଏସ୍‌ଏନ୍‌ଏଲ୍‌ ଛକ ପର୍ଯ୍ୟନ୍ତ ଠିକା ସଂସ୍ଥା ପକ୍ଷରୁ ସେହି ସମାନ ଗଛ ଲଗାଯାଇଥିବାରୁ ସେହି ସମାନ ସ୍ଥିତି ଉପୁଜିବାର ସମ୍ଭାବନା ରହିଛି।

କେବଳ ଗୋଟିଏ ଉଦାହରଣ ନୁହେଁ ବିଗତ ଦିନରେ ସ୍ମାର୍ଟସିଟି ପକ୍ଷରୁ ଚାଲିଥିବା ଅନେକ ପ୍ରକଳ୍ପରେ ବ୍ୟାପକ ଅନିୟମିତତାର ଅଭିଯୋଗ ଆସୁଛି। ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସଠିକ୍‌ ଯାଞ୍ଚ ହେଉ ନଥିବାରୁ ଠିକାସଂସ୍ଥାମାନେ ଯେ‌ନତେନ ପ୍ରକାରେ କାମ କରି ବିଲ୍‌ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ, ସହରର ପ୍ରବେଶ ପଥ ପାନପୋ‌ଷ ଗାନ୍ଧି ଛକରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ (ପ୍ରାୟ ୩.୪ କି.ମି.) ରାସ୍ତାର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଆଲୋକୀକରଣ, ଫୁଟ୍‌ଫାଥ୍‌ ସମେତ ପାମ୍‌ ଗଛ ଲଗାଯାଉଛି। ଠିକା ସଂସ୍ଥା ‘ ଗ୍ରୀନ୍‌ ବ୍ଲୋ’କୁ ଏସବୁ କାମ ଦିଆଯାଇଥିବା ସ୍ମାର୍ଟସିଟି ଅଧିକାରୀ କହିଛନ୍ତି। ମାତ୍ର ଉଦିତନଗରରୁ ପାନପୋଷ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ପ୍ରାୟ ୩ ହଜାର ପାମ୍‌ ଗଛ ଲଗାଯାଇଥିଲା।

ଠିକା ସଂସ୍ଥା ଗଛ ଗୁଡ଼ିକୁ ‌ତରବରିଆ ଭାବେ ସେମିତି ପୋତି କାମ ସାରି ଦେଇଥିଲା। ଏହାର ଚତୁଃପାର୍ଶ୍ବକୁ ଘେରାବନ୍ଦୀ କରାଯାଇ ନଥିଲା। ଫଳରେ ଯେତିକି ଗଛ ଲାଗିଛି ତା’ର ୩୦% ନଷ୍ଟ ହୋଇଯାଇଥିଲା। ଗଛଗୁଡ଼ିକ ଏମିତି ଲାଗିଛି ଯେ, ଯଦି ୩/୪ ଦିନରେ ୩୦% ଗଛ ନଷ୍ଟ ହୋଇ ହୋଇଥିଲା। ପରବର୍ତ୍ତୀ ସମୟରେ ଆହୁରି ଅଧିକ ଗଛ ନଷ୍ଟ ହୋଇଯାଇଥିଲା। ସ‌େତେବେଳେ କନିଷ୍ଠଯନ୍ତ୍ରୀ ଅମରଜିତ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, କାମ ତଦାରଖ ଦାୟିତ୍ବରେ ଅଛି। କିନ୍ତୁ ଏ ସଂକ୍ରାନ୍ତରେ କିଛି ଜାଣି ନାହିଁ। ଏ ସଂକ୍ରାନ୍ତରେ ସ୍ମାର୍ଟସିଟିର ଅଧିକାରୀଙ୍କୁ ପଚାରନ୍ତୁ, ସେ କହି ପାରିବେ। ଅର୍ଥାତ୍‌ ସ୍ମାର୍ଟସିଟି କାମ ତଦାରଖ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ସହରରେ କି କି ବିକାଶମୂଳକ କାମ ହେଉଛି, ନ ଜାଣି ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେମିତି ଛେଣ୍ଡକଲୋନି ଭିଏସ୍‌ଏସ୍‌ ମାର୍କେଟରୁ ବିଏସ୍‌ଏନ୍‌ଏଲ୍‌ ଛକ ପର୍ଯ୍ୟନ୍ତ ରାସ୍ତା ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ, ଫୁଟ୍‌ପାଥ, ଗଛ ଲଗାଇବାରେ ପାଖାପାଖି ୮ କୋଟି ଟଙ୍କା ଖର୍ଚ୍ଚ ହେଉଛି। ପୂର୍ତ୍ତବିଭାଗ ପକ୍ଷରୁ ଚାଲିଥିବା ଏହି କାମ ଠିକାସଂସ୍ଥା ‘ଗ୍ରୀନ୍‌ ବ୍ଲୋ’କୁ ଦିଆଯାଇଛି। ଆଗାମୀ ଦିନରେ ଛେଣ୍ଡରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାମ ଉଦିତନଗର-ପାନପୋଷ ରାସ୍ତା ପରି ହେବ ନାହିଁ ତ, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।

ସମ୍ବନ୍ଧିତ ଖବର