ସମ୍ବଲପୁର: ସମ୍ବଲପୁର ସହରରେ ଆଇନ ଶୃଙ୍ଖଳା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସାଇବର୍‌ ଅପରାଧ ସମ୍ବଲପୁର ପୁଲିସଙ୍କ ସହ ଲୁଚକାଳି ଖେଳୁଥିବା ବେଳେ ପୁଲିସ କେବଳ ମାମଲା ରୁଜୁ କରି ଖେଳ ଦେଖୁଛି। ଚୋରି, ଲୁଟ୍‌ ସହରବାସୀଙ୍କ ପାଇଁ ଦେହସୁହା କରିସାରିଲେଣି। ଏକଥା ଆମେ କହୁନାହୁଁ, ସହରରେ ଘଟୁଥିବା ଅପରାଧ ତାଲିକା ଓ ବୁଦ୍ଧିଜୀବୀ କହୁଛନ୍ତି। ଅନ୍ୟପଟେ ସହରରେ ମଙ୍ଗଳବାର ୨ଟି ଲୁଟ୍‌ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ୧୧ ଲକ୍ଷ ଟଙ୍କା ଲୁଟି ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିବା ବେଳେ, ଅପରାଧୀମାନେ ଦିନ ଦ୍ବିପହରେ ଟାଉନ୍‌ ଥାନା ସମ୍ମୁଖରୁ ଜଣେ ବୃଦ୍ଧଙ୍କୁ ଲୁଟିଛନ୍ତି। ଟାଉନ୍‌ ଥାନାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ହିନ୍ଦୀ ହାଇସ୍କୁଲ୍‌ ସମ୍ମୁଖରୁ ଦେଦର ନୂଆପାଲିର ଜୟଦ୍ରଥ ନାଥ(୭୩)ଙ୍କ ଠାରୁ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଲୁଟିଥିଲେ।

Advertisment

ସୂଚନାନୁଯାୟୀ, ଜୟଦ୍ରଥ ମଙ୍ଗଳବାର ଦିନ ୧୨ଟା ପାଖାପାଖି କଚେରି ଛକ ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ୍‌ରୁ ତାଙ୍କ ପେନ୍‌ସନ୍‌ର ୧୨ ହଜାର ଟଙ୍କା ଉଠାଇଥିଲେ। ତାପରେ ହିନ୍ଦୀ ହାଇସ୍କୁଲ୍‌ ନିକଟରେ ବିଦ୍ୟୁତ୍‌ ସାମଗ୍ରୀ କିଣିବା ପାଇଁ ଆସିଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇବା ପରଠୁ ୨ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ ଏବଂ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଦୋକାନ ନିକଟରେ ସେ ଛିଡ଼ା ହୋଇଥିବା ବେଳେ ବ୍ୟାଗ୍‌ଟିକୁ ଛଡ଼ାଇ ନେଇଥିଲେ। ଏ ନେଇ ଜୟଦ୍ରଥ ଲିଖିତ ଅଭିଯୋଗ କରିବା ପରେ  ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।