ଖାକିରେ କଳଙ୍କ: ଲୁଟ ପିକ୍‌ଅପ୍‌ ଉଦ୍ଧାର, ହୋମଗାର୍ଡ ସମେତ ୩ଗିରଫ

ସୋହେଲା : ଅପରେସନ୍‌ କରି ମାଓ ନେତାଙ୍କୁ ଢେର୍‌ କରିଥିବା ବରଗଡ଼ ପୁଲିସ୍‌ ସୁନାମ ଅର୍ଜନ କରିଥିବାବେଳେ ଖାକିରେ କଳଙ୍କ ଲାଗିଛି। ସୋହେଲା ଥାନା ଅନ୍ତର୍ଗତ ସୀମାନ୍ତ ଲୁହୁରାଚଟିର ଜାତୀୟ ରାଜପଥ ପାର୍ଶ୍ବରେ ଏକ ଚା ଦୋକାନରୁ ଗତ ୮ ତାରିଖ ପ୍ରାୟ ଅଢ଼େଇଟା ବେଳେ ଲୁଟ ହୋଇଥିବା ଏକ ପିକ୍ଅ‌ପ୍‌ ଭ୍ୟାନକୁ ପୁଲିସ ଜବତ କରିବା ସହିତ ଏଥିରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିରେ ଜଣେ ହୋମଗାର୍ଡ ବି ସାମିଲ ଅଛନ୍ତି। ଏନେଇ ସ୍ଥାନୀୟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ଏସଡିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି ।

ବିଜେପୁର ଥାନା ଏମ୍‌ ଗଣ୍ଡପାଲି ଗ୍ରାମର ଦୀପକ ପାଣିଗ୍ରାହୀଙ୍କ ପିକ୍ଅ‌ପ୍‌ ଭ୍ୟାନ (ନମ୍ବର ଓଡି୧୭/ପି/୬୫୪୧) କିଛି ଶ୍ରମିକଙ୍କୁ ନେଇ ଛତିଶଗଡ଼ ରାଜ୍ୟ ବସନାକୁ ଯାଇଥିଲା । ଫେରିବା ବାଟରେ ସୀମାନ୍ତ ଲୁହୁରାଚଟିର ଏକ ଦୋକାନରେ ଡ୍ରାଇଭର ଘନଶ୍ୟାମ ବନଛୋର ଅଟକିଥିଲେ । ଏତିକିବେଳେ ଦୁଇଜଣ ଅଜ୍ଞାତ ଯୁବକ ଅନ୍ୟ ଏକ ବୋଲେରୋ ପିକଅପ ଭ୍ୟାନ (ଓଡି୧୭-ଏନ୍‌ ୮୯୮୮)ରେ ସେଠାକୁ ଆସି ଘନଶ୍ୟାମଙ୍କୁ ଧମକ ଚମକ ଦେଇ ଗାଡିକୁ ଲୁଟି ନେଇ ବରଗଡ଼ ଆଡ଼କୁ ପଳାଇଥିଲେ। ସୋହେଲା-ବରଗଡ଼ ମଝି ଗୋବିନ୍ଦପୁର ନିକଟରେ ଲୁଟ୍‌ ଗାଡ଼ି ଅଚଳ ହୋଇଯାଇଥିଲା । ଏହାର ସୁଯୋଗ ନେଇ ବନ୍ଧକ ଥିବା ଡ୍ରାଇଭର ଘନଶ୍ୟାମ ଖସି ଯିବାରେ ସକ୍ଷମ ହୋଇଥିଲା। ପରଦିନ ସକାଳେ ଘନଶ୍ୟାମ ସୋହେଲା ଥାନାକୁ ଆସି ଅଭିଯୋଗ କରିଥିଲେ। ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ପୁଲିସ୍ ମାମଲା ରୁଜୁ କରିଥିଲା।

ଏସଡିପିଓ ପ୍ରଦୀପ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା । ଏହି ଟିମରେ ସୋହେଲା ଥାନା ଆଇଆଇସି ହାଡିବନ୍ଧୁ ଗଡତିଆ, ପାଇକମାଲ ଆଇଆଇସି ବିଶ୍ୱଜିତ ମନବୋଧ, ବିଜେପୁର ଥାନା ଅଧିକାରୀ ଏସ୍‌ ନାୟକ ଓ ପଦ୍ମପୁର ଥାନା ଏସ୍‌ଆଇ ସୌମ୍ୟରଂଜନ ପାତ୍ର ସାମିଲ ଥିଲେ। ଏହି ଟିମ ସମ୍ବଲପୁରରୁ ଜଣେ ପୁଲିସ ବିଭାଗରେ କାର୍ଯ୍ୟରତ ହୋମଗାର୍ଡ ତରୁଣ ସୁରୁଜାଲଙ୍କ ନିକଟରୁ ଲୁଟ ଗାଡି ଜବତ କରିଥିଲେ। ମାମଲାର ମୁଖ୍ୟ ଅଭିଯୁକ୍ତ ରବି ଯାଦବ ଓରଫ ରବିଆ ଓରଫ ସିଂହମ ବି ଗିରଫ ହୋଇଛି। ତା’ ନାମରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ଅନ୍ୟ ଅଭିଯୁକ୍ତ ବରଗଡ଼ ନିବାସୀ ମୋହିତ ଅଗ୍ରୱାଲ ମଧ୍ୟ ଗିରଫ ହୋଇଛି।

ସମ୍ବନ୍ଧିତ ଖବର