ନିମାପଡ଼ା : ନିମାପଡ଼ା ବଜାର ଦୋଳବେଦୀ ଛକରେ ତେଜରାତି ଦୋକାନ ଦେଇଥିବା ନରେନ୍ଦ୍ର ସାହୁ (୬୫)ଙ୍କୁ କିଛି ଦୁର୍ବୃତ୍ତ ବାଡ଼ିଆପିଟା କରି ଲକ୍ଷେ ୭୫ ହଜାର ଟଙ୍କା ଛଡ଼ାଇ ନେଇଛନ୍ତି। ଆଜି ରାତି ପ୍ରାୟ ସାଢେ ୧୧ଟା ବେଳେ ଘଟିଛି ଏହି ଘଟଣା।
ସୂଚନା ମୁତାବକ, ସବୁଦିନ ଭଳି ନରେନ୍ଦ୍ର ଆଜି ଦୋକାନ ବନ୍ଦ କରି ନିଜ ସ୍କୁଟରରେ ଘରକୁ ଫେରିଥିଲେ। ଦେବୀ ମଣ୍ଡପ ସାହିସ୍ଥିତ ବାସଭବନରେ ପହଞ୍ଚିବା ପୂର୍ବରୁ ୩ ଜଣ ଯୁବକ ଏକ ବାଇକ୍ରେ ଆସି ତାଙ୍କୁ ଅଟକାଇବା ପରେ ପାଖରେ ଯାହା ଅଛି ଦେବାକୁ କହିଥିଲେ। ନରେନ୍ଦ୍ର ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ବାଡ଼ିଆପିଟା କରିବା ସହ ମାରଣାସ୍ତ୍ରରେ ହାଣି ତାଙ୍କଠୁ ଲକ୍ଷେ ୭୫ ହଜାର ଟଙ୍କା ଛଡ଼ାଇ ନେଇ ଆଖି ପିଛୁଳାକେ ସେଠାରୁ ଚମ୍ପଟ୍ ମାରିଥିଲେ। ନରେନ୍ଦ୍ରଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ଲାଗିଛି। ଏହି ଟଙ୍କା ନରେନ୍ଦ୍ର ତାଙ୍କ ଦୋକାନରୁ ନେଇ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ପିଛା କରିଥିବା ଅନୁମାନ କରାଯାଉଛି। ଏହି ଖବର ଲେଖାଯିବା ବେଳକୁ ଥାନାରେ କୌଣସି ଅଭିଯୋଗ ହୋଇନଥିଲା।