ଭୁବନେଶ୍ବର : କ୍ରେଡ୍ ଆପ୍ ଜରିଆରେ ପୁଣି ସାଇବର ଠକ ଜଣେ ବ୍ୟକ୍ତିଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛି। ଲୁଟ୍ର ଶିକା ହୋଇଥିବା ବ୍ୟକ୍ତି ରମେଶ କୁମାର ରାୟ ଏନେଇ ମଞ୍ଚେଶ୍ବର ଥାନା ସହ ସାଇବର ସେଲ୍ରେ ଅଭିଯୋଗ କରିଛନ୍ତି। ୫ଟି ପର୍ଯ୍ୟାୟରେ ଦୁଇଟି କ୍ରେଡିଟ୍ କାର୍ଡରୁ ଏହି ଟଙ୍କା ଲୁଟ୍ ହୋଇଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।
ଅଭିଯୋଗକାରୀ ରମେଶଙ୍କ କହିବାନୁଯାୟୀ, ଗତ ୯ ତାରିଖରେ ତାଙ୍କ ମୋବାଇଲ୍କୁ କ୍ରେଡ୍ ପକ୍ଷରୁ ୩୦ ହଜାର କଏନ୍ ବୋନସ୍ ଅଫର୍ ପାଇବା ପାଇଁ ଏକ ମେସେଜ୍ ଆସିଥିଲା। ସେ ଉକ୍ତ ନମ୍ବରକୁ ଯୋଗାଯୋଗ କରିବା ପରେ ଜଣେ ବ୍ୟକ୍ତି ଅଫର୍ ସମ୍ପର୍କରେ ବୁଝାଇଥିଲେ। ସେ ଜଣେ ସାଇବର ଠକ ବୋଲି ରମେଶ ବୁଝି ପାରିନଥିଲେ। ତେବେ ଯେତେବେଳେ ସେ ରମେଶଙ୍କୁ ‘ଏନି ଡେସ୍କ’ ଆପ୍ ଡାଉନ୍ଲୋଡ୍ କରିବାକୁ କହିଲା, ରମେଶଙ୍କର ସନ୍ଦେହ ହେଲା। ସେ ଏହି ଅଫର୍ ନେବେ ନାହିଁ ବୋଲି ମନା କରିଥିଲେ। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ସନ୍ଧ୍ୟା ୬ଟା ୧୯ରେ ତାଙ୍କ ଆକ୍ସିସ୍ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ୨୪ ହଜାର ୨ଶହ ୭୯ ଟଙ୍କା, କିଛି ସେକେଣ୍ଡ ପରେ ସେହି ଆକାଉଣ୍ଟ୍ରୁ ୨୫ ହଜାର ଗାଏବ୍ ହୋଇ ଯାଇଥିଲା। ଏହିଭଳି ୩ ପର୍ଯ୍ୟାୟରେ ଆକ୍ସିସ୍ ବ୍ୟାଙ୍କ୍ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଉଡ଼ାଇ ନେବା ପରେ ତାଙ୍କ ଏସ୍ବିଆଇ କ୍ରେଡିଟ୍ କାର୍ଡରୁ ୫୦ ହଜାର ଟଙ୍କା ଲୁଟି ନେଇଥିଲା। ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ପ୍ରଶାନ୍ତ କୁମାର ପତିଙ୍କ ଠାରୁ ସାଇବର ଠକ ଲକ୍ଷେ ୩୬ହଜାର ଟଙ୍କା ଲୁଟି ନେଇଥିଲା। କ୍ରେଡ୍ ଆପ୍ରେ କଷ୍ଟମର୍ କେୟାର୍ ନମ୍ବର ଖୋଜିବାକୁ ଯାଇ ସେ ଏହି ଲୁଟ୍ର ଶିକାର ହୋଇଥିଲେ।