ଲୁଟ ଆଇରନ୍ ବୋଝେଇ ଟ୍ରକ ଉଦ୍ଧାର

ତେଲକୋଇ : ଗତକାଲି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ ବାରହା ଦେବତା ନିକଟରେ ଚୋରା ଆଇରନ୍ ବୋଝେଇ ଟ୍ରକ(ଓଡି ୦୯ ଏଚ ୬୦୫୬) ଆଇରନ୍ ଖାଲି କରୁଥିବା ବେଳେ ମାଇନିଙ୍ଗ ଅଫିସର ଅସିତ କୁମାର ବେହେରା ଜବତ କରିଥିଲେ। ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜବତ ଆଇରନ୍ ଗୁଡିକୁ ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକାସଂସ୍ଥା ମଣ୍ଟେକାର୍ଲୋର ଟ୍ରକ(ସିଜି ୦୪ ଏଲଇ ୫୩୪୬) ରେ ବୋଝେଇ କରି ଠିକାସଂସ୍ଥା କ୍ୟାମ୍ପରେ ଜିମା ଦେଇଥିଲେ। ଉକ୍ତ ଆଇରନ୍ ବୋଝେଇ ଟ୍ରକକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରି ନେଇ ପଳାଇଥିଲା।

ଏ ସମ୍ପର୍କରେ ଠିକାସଂସ୍ଥା ପକ୍ଷରୁ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ତନାଘନା କରିଥିଲା। ୪୯ ନମ୍ବର ଜାତୀୟ ରାଜପଥ ବାରକୋଟ-ଦେବଗଡ ସୀମାନ୍ତ ମକରମୁଣ୍ଡା ନିକଟରୁ ଟ୍ରକକୁ ତେଲକୋଇ ପୁଲିସ ଉଦ୍ଧାର କରିଛି। ଦୁର୍ବୁତ୍ତ ଗାଡି ଲୁଟ କରି ନେଇ ପଳାଉଥିବା ବେଳେ ଭାରସାମ୍ୟ ହରାଇ ରୋଡ ଡିଭାଇଡରରେ ଫସି ଯାଇଥିଲା। ଫଳରେ ଲୁଟେରା ଗାଡି ଛାଡି ପଲାଇ ଯାଇଥିଲା। ଗାଡ଼ିରେ ୧୬ଟନ ଆଇରନ୍ ବୋଝେଇ ହୋଇଛି ବୋଲି ଆଇଆଇସି ପଦ୍ମାସିନୀ ମେହେର ସୂଚନା ଦେଇଛନ୍ତି। ମଣ୍ଟେକାର୍ଲୋ ଭଳି ଏକ ଜାତୀୟସ୍ତରୀୟ ଠିକାସଂସ୍ଥା କ୍ୟାମ୍ପରୁ ଟ୍ରକ ଲୁଟ ହେବା ଘଟଣା ସନ୍ଦେହ ସୃଷ୍ଟି କରିଛି। ଅନେକ ସମୟରେ ଚୋରା ଆଇରନ୍ କାରବାର ଚାଲୁଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର