ଏସ୍‌ପିଙ୍କ ନାଁ ନେଇ ବିଚ୍‌ ରାସ୍ତାରୁ ଲୁଟ୍‌

ବାଲେଶ୍ବର: ବାଲେଶ୍ବର ସହରର ଫକୀରମୋହନ ନଗରରେ ଲୁଟେରା ଦଳ ଆଜି ଅଭିନବ ଢଙ୍ଗରେ ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ ହୋଇଥିବା ବେଳେ ତାଙ୍କ ନାଁ ସଚିନ୍ଦ୍ର ଦାସ ବୋଲି ଜଣାଯାଇଛି।

ଶ୍ରୀ ଦାସ ପ୍ରତିଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ହୋଇଥିବା ଜଳଛତ୍ର ଶିବିର‌ରେ ଜଳଦାନ କରିବାକୁ ଯାଇଥାନ୍ତି। ଆଜି ସାଢ଼େ ୧୨ଟା ବେଳେ ସେଠାରୁ ଫେରି ବାଇକ୍‌ରେ ଫକୀରମୋହନ ନଗରରେ ଥିବା ତାଙ୍କ ଘରକୁ ଫେରୁଥିଲେ। ଘରେ ପହଞ୍ଚିବାକୁ ଆଉ ଅଳ୍ପବାଟ ବାକି ଥିବା ବେଳେ ହଠାତ୍‌ ୨ ଜଣ ଅଚିହ୍ନା ଯୁବକ ଦୁଇଟି ବାଇକ୍‌ରେ ଆସି ତାଙ୍କୁ ରାସ୍ତା ମଝିରେ ଅଟକାଇଥିଲେ ଏବଂ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ଓ ଧମକଚମକ ଦେଇଥଲେ। ଏହାପରେ ସେମାନେ ତାଙ୍କୁ ଏସ୍‌ପିଙ୍କ ନାଁ ନେଇ ସେ ସୁନାଅଳଙ୍କାର ପିନ୍ଧି କେହି ବାହାରକୁ ବାହାରିବାକୁ ମନା କରିଥିବା ବେଳେ ତାଙ୍କ ନିର୍ଦ୍ଦେଶ କାହିଁକି ମାନୁନାହଁ କହି ତୁରନ୍ତ ସେଗୁଡ଼ିକୁ ବାହାର କରିବାକୁ ଧମକାଇଥିଲେ। ଶ୍ରୀ ଦାସ ଏସ୍‌ପି ଏପରି କେବେ ନିୟମ କଲେ ପଚାରିବାରୁ ସେହି ସ୍ଥାନରେ ଆଉ ୨ ଜଣ ଅଚିହ୍ନା ଯୁବକ ଆସି ପହଞ୍ଚିଥିଲେ। ସେମାନଙ୍କୁ ଏହି ୨ ଜଣ ଯୁବକ ଧମକାଇବା ସହ ସେମାନେ ପିନ୍ଧିଥିବା ମୁଦି ବାହାର କରିବାକୁ କହିଥିଲେ। ତେବେ ଯୁବକ ଦୁଇଜଣ ମୁଦି ବାହାର କରି ଦେବା ପ‌େର ସେମାନଙ୍କୁ କାଗଜରେ ଗୁଡ଼ାଇ ସେଠାରୁ ଚାଲିଯିବାକୁ କୁହାଯାଇଥିଲା। ଉକ୍ତ ଯୁବକ ଦୁଇଜଣ ସେଠାରୁ ଯିବାପରେ ଶ୍ରୀ ଦାସଙ୍କ ବେକରୁ ଓ ହାତରୁ ସେମାନେ ଜବରଦସ୍ତ ସୁନାଚେନ୍‌ ଓ ମୁଦି ବାହାର କରାଇ ଆଖି ପିଛୁଳାକେ ସେଠାରୁ ଛୁ ହୋଇ ଯାଇଥିଲେ। ଶ୍ରୀ ଦାସ ବଡ଼ପାଟିରେ ଡାକ ଛାଡ଼ିଥିଲେ କେହି ସେମାନଙ୍କୁ କାବୁ କରି ପାରିନଥିଲେ।

ପରେ ଉକ୍ତ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରାରୁ ଜଣାପଡ଼ିଛି ଯେ ସେହି ୪ ଜଣ ଲୁଟ୍‌ ଯୋଜନା କରି ସେଠାକୁ ଆସିଥିଲେ। ଲୁଟ୍‌ ପରେ ସେମାନେ ଏକାଠି ହୋଇ ଫେରିଥିବା ଦେଖିବାକୁ ମିଳିଥିଲା। ଏନେଇ ଶ୍ରୀ ଦାସ ସଦର ଥାନାରେ ଏତଲା ଦେଇଥିବା ଜଣାଇଛନ୍ତି। ଚିନ୍ତାର ବିଷୟ ଯେ, ବାଲେଶ୍ବର ସହରରେ ଲୁଟେରାଙ୍କ ଆତଙ୍କ ଦିନକୁୁଦିନ ବଢ଼ି ଚାଲିଥିବା‌ ବେଳେ ଏହାକୁ ରୋକ୍‌ ଲଗାଇବାରେ ପୁଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି। ପୁଲିସର ବିଭାଗର ଅପାରଗତା ପାଇଁ ଶେଷରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତ‌ାରେ ଲୋକଙ୍କୁ ଅଟକାଇ ଖୋଦ୍‌ ଏସ୍‌ପିଙ୍କ ନାଁ ନେଇ ଲୁଟିବାକୁ ତିଳେମାତ୍ର ଭୟ କରୁନାହାନ୍ତି।

ସମ୍ବନ୍ଧିତ ଖବର