ରାଉରକେଲା: ସ୍ମାର୍ଟସିଟିରେ ମାତିଛନ୍ତି ଚୋର। ଜନଗହଳିପୂର୍ଣ୍ଣ ସ୍ଥାନ ହେଉ ଅବା କଲୋନି ସବୁଠି ପୁଲିସ୍କୁ ଚକ୍ମା ଦେଇ ଚୋରି ଓ ଲୁଟ୍ କରି ଚମ୍ପଟ ମାରୁଛନ୍ତି। ଟେର୍ ପାଉନି ପୁଲିସ। ଗତ କିଛି ଦିନ ହେବ ବାସନ୍ତୀ ଓ ଛେଣ୍ଡ କେଲାନିରେ ଚୋରି ବେଶ୍ ବଢ଼ି ଯାଇଛି। ଗତ ସପ୍ତାହକ ମଧ୍ୟରେ ଛେଣ୍ଡ ଓ ବାସନ୍ତୀ କଲୋନିରୁ ୭ରୁ ଅଧିକ ଚୋରି ଓ ଛିନ୍ତାଇ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପୁଲିସ ଜଣକୁ ହେଲେ ଗିରଫ କରିବାରେ ସଫଳ ହୋଇନି। ଗତକାଲି ସଂଧ୍ୟାରେ ବାସନ୍ତୀ କଲୋନିସ୍ଥ ଏଲ୍-୧୧୨ (ଫେଜ୍-୧) ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ହୋଇଛି।
ଲୁଟେରା ଜଣକ ଜୋରଜବରଦସ୍ତ ଘରେ ପଶି ମହିଳାଙ୍କୁ ଆକ୍ରମଣ କରି ସୁନା ଚେଟ୍ ଲୁଟ କରି ଚମ୍ପଟ ମାରିଥିଲ। ମହିଳା ପୁଅ ଚନ୍ଦନ କବିଙ୍କ ଲିଖିତ ଏତଲା ଆଧାରରେ ଉଦିତନଗର ପୁଲିସ ଘଟଣାର ତଦନ୍ତ ଚଳାଇଛି। ଉଲ୍ଲେଖଯୋଗ୍ୟ, ଗତ ତିନି ଦିନ ତଳେ ଛେଣ୍ଡ କଲୋନି ଏଲ୍ସିଆର୍ ବ୍ଲକରେ ଏକ ଘରେ ଚୋର ପଶି ଲାପଟପ୍ ଚୋରି କରି ନେଇଥିଲେ। ସେମିତି ଛେଣ୍ଡ କଲୋନିର ଅନ୍ୟ ଜଣଙ୍କ ଘରକୁ ମଧ୍ୟ ଲାପ୍ଟପ୍ ଚୋରି ହୋଇଛି। ଉଭୟ କଲୋନିରେ ବାରମ୍ବାର ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁଲିସ ପେଟ୍ରୋଲିଂ ଅଭାବରୁ ବାରମ୍ବାର ଏମିତି ଚୋରି ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏସ୍ପି ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦୁଇ କଲୋନିବାସୀ ଦାବି କରିଛନ୍ତି।