ଜୟପୁର: ଗତ ପେବୃଆରୀ ୩ ତାରିଖ ଦିନ ସହରର ପ୍ରମୁଖ ମନ୍ଦିର ମା’କନ୍ୟକାପରମେଶ୍ବରୀ ମନ୍ଦିରରେ ୧୪ ଗ୍ରାମର ସୁନା ଅଳଙ୍କାର, ରୁପା ସହ ଟଙ୍କା ଆଦି ଚୋରି ହୋଇଥିଲା। ଏହି ମାମଲାରେ କୋରାପୁଟ ପୁଲିସକୁ ମିଳିଛି ସଫଳତା। ୪ ରାଜ୍ୟ ଆନ୍ଧ୍ର, କର୍ଣ୍ଣାଟକ, ଓଡିଶା ଓ କେରଳ ରାଜ୍ୟର ବିଭିନ୍ନ ମନ୍ଦିର ଚୋରିର ମୋଷ୍ଟୱାଣ୍ଟେଡ୍ ଦୁର୍ବୁତ୍ତକୁ ଗିରଫ କରିଛି ଜୟପୁର ପୁଲିସ। ତା ଠାରୁ ପୁଲିସ ରୁପା ସାମଗ୍ରୀ ସହ ୨ଲକ୍ଷ ଟଙ୍କା ଜବତ କରିଛି। ଅଭିଯୁକ୍ତ ଜଣକ ନୟାଗଡର ଇଟାମାଟି ଥାନା ଅର୍ନ୍ତଗତ ନାଗପୁର ଗାଁର ଘନଶ୍ୟାମ ଦାଶ ଓରଫ ପ୍ରକାଶ କୁମାର ସାହୁ ଓରଫ ସନ୍ତୋଷ କୁମାର ଦାଶ। ଏହି ମାମଲା ଘଟାଇବାର ୯ଦିନ ପରେ ରାୟଗଡ଼ାସ୍ଥ ସାଇ ମନ୍ଦିରରେ ହୋଇଥିବା ୫ଲକ୍ଷ ଟଙ୍କା ଚୋରିରେ ବି ମୁଖ୍ୟ ଅଭିଯୁକ୍ତ ଘନଶ୍ୟାମ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସଡିପିଓ ଅଙ୍କିତ ବର୍ମା ସୂଚନା ଦେଇଛନ୍ତି। ଜୟପୁରରେ ଗତ ପେବୃଆରୀ ୩ତାରିଖ ରାତିରେ ଦୁର୍ବୁତ୍ତ ଅଭିଯୁକ୍ତ ଜଣକ ମନ୍ଦିର କାର୍ଯ୍ୟାଳୟର ଆଲମିରା ଭାଙ୍ଗି ଏଥିରୁ ୨୧ହଜାର ୧୪୨ଟଙ୍କା, ୨୪କ୍ୟାରେଟର ୧୪ଗ୍ରାମ ସୁନା, ରୁପା ୩୧୨ଗ୍ରାମ, ରୁପାର ପୂଜା ସାମଗ୍ରୀ ୩୫୦ଗ୍ରାମ, ସିସି କ୍ୟାମେରାର ଡିଭିଆର ଚୋରି ହୋଇଥିବା ଜଣାପଡ଼ିଥିଲା। ସେଭଳି ମୁଖ୍ୟମନ୍ଦିରରୁ ମାଙ୍କ ୨କିଲୋ ରୁପାର ମକରତୋରଣମ, ୨୦୦ଗ୍ରାମ ରୁପାର ୨ଟି ମୁକୁଟ, ୬ଗ୍ରାମର ଦୁଇଟି ସୁନା ମଙ୍ଗଳସୁତ୍ର, ୩୦୦ଗ୍ରାମର ରୁପାର ମାଁଙ୍କ ପାଦ, ରୁପାର ତ୍ରିଶୁଳ ଓ ଛତା ଚୋରି କରିଥିଲେ।

Advertisment

ଏ ନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହେବା ପରେ ଏସପି ଅଭିନବ ସୋନକରଙ୍କ ନିର୍ଦ୍ଦେଶରେ ଜୟପୁର ଏସଡିପିଓ ଅଙ୍କିତ ବର୍ମାଙ୍କ ତତ୍ବାବଧାନରେ ଜୟପୁର ଥାନା ଅଧିକାରୀ ରମଣୀ ରଂଜନ ଦଳାଇ ଓ ସବଇନିସପେକ୍ଟର ସିଦ୍ଦାର୍ଥ ବେହେରାଙ୍କୁ ନେଇ ଟିମ୍ ଗଠନ କରାଯାଇଥିଲା। ବାହାରୁ କିଛି ସିସିଟିଭି ଫୁଟେଜ୍ ସଂଗ୍ରହ କରି ଏଥିରୁ ଅଭିଯୁକ୍ତର ଚେହରାକୁ ଚିହ୍ନଟ କରାଯାଇଥିଲା। ତା ପରେ ବହୁ ତଦନ୍ତ ପରେ ଅଭିଯୁକ୍ତ ସଂପର୍କରେ ସୂଚନା ପାଇବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ହେଁ ଫେଲ୍ ମାରିଥିଲେ। ଶେଷରେ ଅଭିଯୁକ୍ତ ଜଣକ କେରଳର ଏକ ମନ୍ଦିର ଚୋରି ମାମଲାରେ ଜାମିନରେ ଫେରି ନୟାଗଡ ସହରରେ ଏକ ପରିତ୍ୟକ୍ତ ଘରେ ଥିବା ସୂଚନା ପାଇଥିଲା ପୁଲିସ। ସବଇନିସପେକ୍ଟର ସିଦ୍ଧାର୍ଥ ବେହେରା ସେ ଘର ଉପରେ ଅଚାନକ ଚଢ଼ାଉ କରି ଅଭିଯୁକ୍ତ ଘନଶ୍ୟାମକୁ ଧରିଥିଲେ। ଅଭିଯୁକ୍ତ ଜଣକ ସୁନାକୁ ତରଳାଇ ବିକ୍ରି କରିଦେଇଥିବା ବେଳେ ରୁପା ସାମଗ୍ରୀ ସବୁ ମିଳିଥିଲା। ତା ସହ ତା ନିକଟରୁ ୨ଲକ୍ଷ ଟଙ୍କା ମିଳିଥିବା ସୂଚନା ଦେଇଛନ୍ତି ଏସଡିପିଓ।

publive-image

ଅଭିଯୁକ୍ତ ଜଣକର ବୟସ ଏବେ ୪୫। ଅଭିଯୁକ୍ତକୁ ୧୮ବର୍ଷ ବୟସରେ ୧୯୮୮ମସିହାରେ ଅଭିଯୁକ୍ତ ଆନ୍ଧ୍ରପ୍ରଦେଶର ବିଜୟୱାଡାସ୍ଥ ମା’କନକଦୁର୍ଗା ମନ୍ଦିରରେ ମା’ଙ୍କ କୀରିଟ ଚୋରି କରିଥିଲେ। ଏହା ଅଭିଯୁକ୍ତର ପ୍ରଥମ ମନ୍ଦିର ଚୋରି ଥିଲା। ଏହା ପରେ ୨୦୧୫ମସିହାରେ ପ୍ରସାଦମପାଢ଼ୁ ସାଇବାବା ମନ୍ଦିରରେ ୧୮କେଜିରେ ଅଳଙ୍କାର ଚୋରି କରିଥିଲେ। ୨୦୧୫ରେ ହିଁ ଅଭିଯୁକ୍ତ କେନ୍ଦ୍ରୀୟ କ୍ରାଇମ୍ ଷ୍ଟେସନ୍ ଦ୍ବାରା ୬୦କିଲୋର ରୁପା ଅଳଙ୍କାର ସହ ଏକଲକ୍ଷ ୧୯ହଜାର ଟଙ୍କା ସହ ଧରାପଡ଼ିଥିଲେ। ଅଭିଯୁକ୍ତ ଜଣକ ଗତ କିଛି ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୨୪ଟି, ଓଡିଶାରେ ୧୪ଟି ଓ କର୍ଣ୍ଣାଟକରେ ୯ଟି ଏଭଳି ୪୭ଟି ମାମଲା ରହିଥିବା ପୁଲିସ ଏଯାଏଁ ଚିହ୍ନଟ କରିପାରିଛି। ଅଭିଯୁକ୍ତ ଜଣକ ଚୋରି କରିବା ପାଇଁ କିଛି ସ୍କୃ ଡ୍ରାଇଭର, ଲୁହା ରଡ଼ ଆଦି ଧରି ଯାଉଥିଲେ। ଖାସ୍ କରି ଗତ ୨୭ବର୍ଷ ମଧ୍ୟରେ ଅଭିଯୁକ୍ତ ଜଣକ କେବଳ ମନ୍ଦିର ଗୁଡିକରେ ହିଁ ଚୋରି କରୁଥିଲେ। ଖାସ୍ କରି ବଡ଼ ବଡ଼ ମନ୍ଦିର ଏବଂ ଯେଉଁ ମନ୍ଦିରରେ ଦେବାଦେବୀଙ୍କର ଅଧିକା ଅଳଙ୍କାର ରହୁଥିଲା ସେହି ମନ୍ଦିରକୁ ହିଁ ଅଭିଯୁକ୍ତ ଜଣକ ଟାର୍ଗେଟ କରୁଥିଲା। ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଆଦିର ସେ ପ୍ରଥମେ ତଦାରଖ କରିବା ସହ ପରେ ଚୋରି କରୁଥିବା ତଦନ୍ତ ବେଳେ ସ୍ବୀକାର କରିଥିବା ଏସଡିପିଓ କହିଛନ୍ତି। ଅନ୍ୟ ରାଜ୍ୟଗୁଡିକର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ହୋଇଥିବାରୁ ସବୁ ରାଜ୍ୟର ପୁଲିସକୁ ସୂଚନା ଦିଆଯାଇଛି।

ଅଧିକା ପଚରାଉଚରା କରିବା ପାଇଁ ରିମାଣ୍ଡ ପାଇଁ ଆବେଦନ କରାଯିବ ବୋଲି କହିଛନ୍ତି ଏସଡିପିଓ। ଅଭିଯୁକ୍ତ ନିକଟରୁ ୨ଲକ୍ଷ ଟଙ୍କା, ସିଲଭରର ହାଣ୍ଡି , ଢାଳ, ଗ୍ଲାସ, ଘଣ୍ଟି, ଅଳତୀ ଷ୍ଟାଣ୍ଡ, ୨ଟି ତାଳି, ପଂଚପତ୍ର, ରୁହାନୀ, ପଂଚପତ୍ର ପ୍ଲେଟ୍, ଦୀପ ଷ୍ଟାଣ୍ଡ ଆଦି ଗୋଟିଏ ଲେଖାଏଁ ମିଳିଥିବା ସୂଚନା ଦେଇଛନ୍ତି ଏସଡିପିଓ। ମିଳିଥିବା ସମସ୍ତ ସାମଗ୍ରୀ ଗୁଡିକୁ ମନ୍ଦିର ପରିଚାଳନା କମିଟିର ସଂପାଦକ ଶ୍ରୀନିବାସ ରାଓ, ଏସ୍ ଚନ୍ଦ୍ରଶେଖର ରାଓ ଆଦିଙ୍କୁ ହସ୍ତାନ୍ତର କରିଥିଲେ। ମନ୍ଦିର ପରିଚାଳନା କମିଟି ଜୟପୁର ପୁଲିସ ଟିମକୁ ଧନ୍ୟବାଦ ଞାପନ କରିଛନ୍ତି। ଦୁର୍ବୁତ୍ତ ଜଣକ ଡବଲ ଏମଏ ପଢ଼ିଥିବା କହିଛନ୍ତି। ତେବେ ଓଡିଶାରେ କର୍ମନିଯୁକ୍ତି ମିଳୁନି। ଅପରପକ୍ଷରେ କିଛି ବ୍ୟୁରୋକ୍ରାଟ୍ ଓ ରାଜନୈତିକ ନେତାମାନେ ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଓ ଠିକା ଦେଇ ଆସୁଛନ୍ତି। ସେମାନଙ୍କ ଠାରୁ ମୋଟା ଟଙ୍କା ଆଦାୟ କରି ସେମାନେ ଭଲରେ ରହିଛନ୍ତି। ଶିକ୍ଷିତ ବେକାର ହୋଇ କେତେ ଦିନ ରହିବି। ତେଣୁ ବାଧ୍ୟ ହୋଇ ଏପରି କରିଥିଲି ବୋଲି କହିଛନ୍ତି ଅଭିଯୁକ୍ତ।