ବ୍ରହ୍ମଗିରି : ବିଳମ୍ବିତ ରାତିରେ ବ୍ରହ୍ମଗିରି ଥାନା ମଣପଡା ଗାଁରେ ଘରେ ପଶି ଦୁଇ ଜଣ ଡକାୟତି କରିବା ବେଳେ ଜଣଙ୍କୁ ଲୋକେ ମାଡ଼ି ବସିଥିବା ବେଳେ ଅନ୍ୟ ଜଣେ ଡକାୟତକୁ ପୁଲିସ ବାନ୍ଧିଛି। ଦୁଇ ଡକାୟତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ବ୍ରହ୍ମଗିରି ଥାନା ମଣପଡ଼ା ଗାଁର ବ୍ରଜ ପ୍ରଧାନଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମଗିରି ଥାନା କେଳାସାହି ଶାସନ ଗାଁର ଇନ୍ଦ୍ରମଣି ଦାସଙ୍କ ପୁଅ ଅଶୋକ ଦାସ ଓ ଏହି ଥାନା ଅର୍ନ୍ତଗତ ବ୍ରହ୍ମପୁର ଗାଁର ଧୁନା ସାହୁଙ୍କ ପୁଅ ବିଜୟ କୁମାର ସାହୁ ଡକାୟତି କରିଥିଲେ। ଗୋଟିଏ ବାଇକ୍, ମୋବାଇଲ ଫୋନ୍ ଓ ସାଇକେଲ ଲୁଟ୍ କରିବା ପରେ ଅନ୍ୟ ଜିନିଷ ଲୁଟ ପାଇଁ ଉଦ୍ୟମ କରିବା ବେଳେ ବାହାରକୁ ଉଠିଥିବା ବ୍ରଜଙ୍କ ହାବୁଡରେ ପଡିଥିଲେ। ବିଜୟକୁ ବ୍ରଜ କାବୁ କରିଥିବା ବେଳେ ଅଶୋକ ଫେରାର ହୋଇଯାଇଥିଲା।
ପୁଲିସ ବିଜୟକୁ ଅଟକ ରଖି ପଚରା ଉଚରା କରିବା ପରେ ଅଶୋକ ଏଥିରେ ସମ୍ପୃକ୍ତ ଥିବା କହିଥିଲା। ଏନେଇ ବ୍ରଜ ଥାନାରେ ଅଭିଯୋଗ କରିବା ପରେ ଏକ ଡକାୟତି ମାମଲା ରୁଜୁ କରି ଅଶୋକ ଓ ବିଜୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଉଭୟଙ୍କ ପାଖରୁ ଏକ ବାଇକ୍, ଗୋଟିଏ ସାଇକେଲ ଓ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ବ୍ରହ୍ମଗିରି ଥାନା ଦାୟିତ୍ବରେ ଥିବା ଅରଖକୁଦା ମେରାଇନ ଥାନା ଆଇଆଇସି ଦିଲୀପ କୁମାର ଧଳ କହିଛନ୍ତି।