ବାଲେଶ୍ବର: ସହରର ଟାଉନ୍ ହାଇସ୍କୁଲ୍ ଛକ ମିର୍ଜାପୋଖରୀଠାରେ ଆଜି ପୂର୍ବାହ୍ନରେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କଠାରୁ ଲୁଟ୍ ହୋଇଥିବା ଜଣାଯାଇଛି। ଛାତ୍ରୀ ଜଣକ ଏହି ସମୟରେ କଲେଜରେ ପରୀକ୍ଷା ଦେଇ ରାଣୀପାଟଣାସ୍ଥିତ ନିଜ ଘରକୁ ସାଇକେଲ୍ ଯୋଗେ ଫେରୁଥିଲେ। ତେବେ ମିର୍ଜାପୋଖରୀଠାରେ ଏକ ନମ୍ବର ବିହୀନ ବାଇକ୍ରେ ଦୁଇଜଣ ଯୁବକ ଆସି ସାଇକେଲ ବାସ୍କେଟ୍ରେ ଥିବା ତାଙ୍କ ବ୍ୟାଗ୍କୁ ଝାମ୍ପି ନେଇଥିଲେ। ଏହି ସମୟରେ ଛାତ୍ରୀ ଜଣକ ଚିତ୍କାର କରିବା ସହ ୨ ଲୁଟେରାଙ୍କ ମଧ୍ୟରୁ ଜଣଙ୍କ ହାତ ଧରି ବ୍ୟାଗ୍ରେ ତାଙ୍କର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଛଡ଼ା ଆଉ କିଛିନାହିଁ ବୋଲି କାକୁତିମିନତି ହୋଇଥିଲେ। କିନ୍ତୁ, ଆଖି ପିଛୁଳାକେ ୨ ଲୁଟେରା ସେଠାରୁ ଫେରାର୍ ହୋଇଯାଇଥିଲେ ହେଁ କେହି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ନଥିଲେ। ସ୍ଥାନୀୟ ଲୋକଙ୍କଠାରୁ ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି। ହେଲେ ଖବର ପ୍ରସ୍ତୁତ ବେଳକୁ ଏନେଇ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ପୁଲିସ ପକ୍ଷରୁ ଜଣାଯାଇଛି।
ସେହିପରି ଆଜି ପୂର୍ବାହ୍ନ ୧୧ଟା ବେଳେ ଷ୍ଟେସନ୍ଛକରୁ ପଢ଼ୁଆଁପଦା ଯିବା ବାଟରେ ଜିଲ୍ଲା ନାରୀସଂଘ ଭବନଠାରେ ଆଜି ଜଣେ ମହିଳା ଛିନ୍ତାଇର ଶିକାର ହୋଇଥିଲେ। ମହିଳା ଜଣକ ମୋବାଇଲ୍ରେ କଥା ହୋଇ ଯାଉଥିବା ବେଳେ ଏକ ସ୍କୁଟିରେ ଜଣେ ପିଲା ଆସିି ତାଙ୍କଠାରୁ ମୋବାଇଲ୍ ଛଡ଼ାଇ ଫେରାର୍ ହେବାକୁ ଉଦ୍ୟମ କରୁଥିିଲା। ହେଲେ କୌଶଳକ୍ରମେ ମହିଳା ଜଣକ ତାକୁ ଧରିନେବାରୁ ସେ ଗାଡ଼ିରୁ ପଡ଼ି ପୁଣି ଖସିଯିବାକୁ ଉଦ୍ୟମ କରୁଥିଲା। ନିକଟରେ ଥିବା ଲୋକେ ତାକୁ କାବୁ କରି ନିସ୍ତୁକ ମାଡ଼ ମାରିିଥିିଲେ। କିଛି ସମୟ ପରେ ସହଦେବଖୁଣ୍ଟା ଥାନା ପୁଲିସ ସେଠାରେ ପହଞ୍ଚିଥିଲେ। ଏହାପରେ ପୁଲିସ ହାତରେ ଲୁଟେରାଜଣକୁ ଜିମା ଦିଆଯାଇଥିଲା। ତେବେ ତା’ର ଘର ଅରଡ଼ବଜାର ଅଞ୍ଚଳର ଏବଂ ସେ ନାବାଳକ ଥିବା ପୁଲିସ ଜାଣିବାକୁ ପାଇଥିଲା।
କେବଳ ଏତିକି ନୁହେଁ, ଚଳିତବର୍ଷ ଜାନୁଆରି ମାସରେ ସହରରେ ହୋଇଥିବା ଏକ ହତ୍ୟାକାଣ୍ଡରେ ମଧ୍ୟ ତା’ର ସମ୍ପୃକ୍ତି ରହିଥିଲା। ପୁଲିସ ସେତେବେଳେ ତାକୁ ଧରି ବାଳସ୍ବଧାର କେନ୍ଦ୍ରକୁ ପଠାଇଥିିଲା। ପରେ ତାକୁ ଅଣ୍ଡରଟେକିଂ ଲେଖାଯାଇ ଛଡ଼ାଯାଇଥିଲା। ସହରରେ ପ୍ରତିିଦିନ ଛିନ୍ତାଇ, ଲୁଟ୍, ଡକାୟତି ଏବଂ ଅବାଧ ନିଶାକାରବାର ଘଟଣା ବାଲେଶ୍ବର ସହରବାସୀଙ୍କ ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ସେଥିରେ ନାବାଳକ ଅପରାଧୀଙ୍କ ସମ୍ପୃକ୍ତି ଆଉ ଏକ ଚିନ୍ତାର ବିଷୟ।