ଉଦୟଗିରି : କନ୍ଧମାଳ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଲୁଟ ଚଳେଇ ଥିବା ଏକ ଗ୍ୟାଙ୍ଗର ଜଣେ ସଦସ୍ୟ ଘୁ.ଉଦୟଗିରି ପୁଲିସ ହାତରେ ଧରାପଡିବା ପରେ ଲୁଟର ଗୁମର ଖୋଲୁଛି ଅଭିଯୁକ୍ତ ଲୁଟେରା। କେବଳ ଯେ କନ୍ଧମାଳ ଜିଲ୍ଲା ତା ନୁହେଁ ନୟାଗଡ଼ ଜିଲ୍ଲାରେ ମଧ୍ୟ ଲୁଟିଛନ୍ତି ଏହି ଗ୍ୟାଙ୍ଗ। ଦୀର୍ଘ ବର୍ଷ ହେଲା ଗଞ୍ଜମ ଜିଲ୍ଲାର ଆସ୍କା ଅଂଚଳର ଦଳେ ଯୁବକ ଏକ ଗ୍ୟାଙ୍ଗ ତିଆରି କରି ଅଭିନବ ଉପାୟରେ ନିରୀହ ଲୋକଙ୍କୁ ଟାର୍ଗେଟ କରି ଲୁଟୁଥିଲେ, ହେଲେ ପୁଲିସ କୌଣସି ସୁରାକ ପାଇପାରୁନଥିଲା। ଗତ ଦୁଇ ଦିନ ତଳେ ୪ଜଣ ଲୁଟେରା ଦୁଇଟି ବାଇକରେ ଘୁ.ଉଦୟଗିରି ଆସି ସ୍ଥାନୀୟ ଷ୍ଟେଟବ୍ୟାଙ୍କରୁ ଜଣେ ବ୍ୟକ୍ତିଙ୍କୁ ପିଛା କରି ତାଙ୍କ ସାର୍ଟ ପଛପଟେ ବିସ୍କେଟ ଗୁଣ୍ଡ କରି ପାଣି ଗୋଳେଇ ତାକୁ ତାଙ୍କ ସାର୍ଟ ପଛପଟେ ପକେଇ ସେଇ ବ୍ୟକ୍ତିଙ୍କୁ ଆଜ୍ଞା ଆପଣଙ୍କ ସାର୍ଟ ପଛପଟେ କଣ ପଡ଼ିଛି କହିଥିଲେ। ସେଇ ବ୍ୟକ୍ତି ନିଜ ସାର୍ଟକୁ ପଛପଟେ ଦେଖିବାରେ ଲାଗିଲା ବେଳକୁ ହାତରେ ଧରିଥିବା ଟଙ୍କା ବ୍ୟାଗ ନେବା ଉଦ୍ୟମ କରିଥିଲେ। ଏହାପରେ ଉକ୍ତ ଲୁଟେରା ଗୋଷ୍ଠୀ ସେଇ ସ୍ଥାନ ଛାଡି ଗୁଟିଙ୍ଗିଆରେ ପହଂଚି ସେଠାରେ ପୁଣି ଲୁଟ ଉଦ୍ୟମ କରିବା ସମୟରେ ଲୋକଙ୍କ ହାବୁଡ଼ରେ ଜଣେ ଯୁବକ ପଡ଼ି ଛେଚା ଖାଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଲୁଟେରା ଦାଶ ଦେବାକୁ ଥାନାକୁ ଆଣି ପଚରା ଉଚରା କରିବା ପରେ ସବୁକଥା ଜଣାପଡିଥିଲା।

Advertisment

ପ୍ରାପ୍ତ ସୂଚନାନୁସାରେ ଗିରଫ ହୋଇଥିବା ଲୁଟେରା ଜଣକ ଗଞ୍ଜମ ଜିଲ୍ଲା ଆସ୍କାର ପାକେଲାପଲିର ଦାସ ଲମ୍ବୁଙ୍କ ୧୯ବର୍ଷୀୟ ପୁଅ ଦାସ ଦେବା। ଦାସ କହିବା ପ୍ରକାରେ ସେମାନଙ୍କ ୨୦ଜଣିଆ ଗ୍ୟାଙ୍ଗ ରହିଛି। ପ୍ରତ୍ୟକ ଦିନ ସେମାନେ ଚୋରା ବାଇକରେ ବାହାରି ବିଭିନ୍ନ ସ୍ଥାନକୁ ଯାଆନ୍ତି ଲୁଟିବା ପାଇଁ। ଟାର୍ଗେଟରେ କନ୍ଧମାଳ ଜିଲ୍ଲା ଏବଂ ନୟାଗଡ଼ ଜିଲ୍ଲା। କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି, ରାଇକିଆ,ବାଲିଗୁଡା, ଫୁଲବାଣୀ ପ୍ରଭୁତି ସହରରେ ଦୀର୍ଘ ଦିନ ହେଲା ଲୁଟି ଚାଲିଥିଲେ। ଗତ କିଛିଦିନ ତଳେ ନୟାଗଡ଼ ସହରର ବିବୁଲୁ ଢ଼ାବା ସମୁଖରୁ ତିନି ଲକ୍ଷ ଟଙ୍କା ଲୁଟ କରିଥିବା ସୂଚନା ମିଳିଛି। ଏହି ଲୁଟେରା ଗ୍ୟାଙ୍ଗର ଚେର ଆସ୍କାରୁ ଆରମ୍ଭ କରି କନ୍ଧମାଳ ନୟାଗଡ଼କୁ ଲମ୍ବିଛି । ପୁଲିସ ଆଖିରେ ଧୂଳି ଦେଇ ଅନାୟାସରେ ଲୋକଙ୍କୁ ଲୁଟି ଚାଲିଥିଲେ ଏହି ଗ୍ୟାଙ୍ଗ।