ଖୋର୍ଦ୍ଧା : ୮ ଦିନ ତଳେ ବୋଲଗଡ଼ର ଏକ ଚୋରି ଘଟଣାର ଅନୁସନ୍ଧାନ କରୁକରୁ ପୁଲିସ ଏକ ବଡ଼ଧରଣର ଲୁଟେରା ଗ୍ୟାଙ୍ଗ୍ର ସନ୍ଧାନ ପାଇଛି। ୫ରୁ ଅଧିକ ଜିଲ୍ଲାରେ ୧୦୦ରୁ ଊର୍ଦ୍ଧ୍ବ ଚୋରି ଓ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଏହି ଗୋଷ୍ଠୀ ଜଙ୍ଗଲୀ ଜୀବଜନ୍ତୁଙ୍କ ଶିକାର ଓ ଚୋରାଚାଲାଣ ମଧ୍ୟ କରୁଥିଲା। ଗୋଷ୍ଠୀର ୧୫ଜଣ ସଦସ୍ୟଙ୍କ ମଧ୍ୟରୁ ମାତ୍ର ୩ ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କ ନିକଟରୁ ୫ କେଜି ରୁପା ଅଳଙ୍କାର, ୨୫୦ ଗ୍ରାମ୍ ସୁନା ଅଳଙ୍କାର ଓ ଗୋଟିଏ ମୃତ ବଜ୍ରକାପ୍ତା ଜବତ କରାଯାଇଛି।
ଗୁରୁବାର ଦିନ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଗ୍ୟାଙ୍ଗ୍ ସମ୍ପର୍କରେ କହିଛନ୍ତି ଯେ ୧୮ ଜୁଲାଇରେ ବୋଲଗଡ଼ ମାଣିକଗୋଡ଼ା ଗାଁ’ କୁମୁଟିସାହିର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରୁ ଚୋରି ହୋଇଥିଲା। ଏନେଇ ୧୯ ତାରିଖରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ୧୯୪/୨୦୨୩ରେ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା। ଅନୁସନ୍ଧାନରେ ଏକ ବଡ଼ ଚୋର ଗୋଷ୍ଠୀ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଏଥିପାଇଁ ସାଇବର କ୍ରାଇମ, ସ୍ବତନ୍ତ୍ର ସ୍କ୍ବାଡ୍ ଓ ବୋଲଗଡ଼ ପୁଲିସକୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଦୁଇ ଦିନ ତଳେ ବୋଲଗଡ଼ର ଜଙ୍ଗଲରୁ ସେମାନଙ୍କୁ ଧରାଯାଇଥିଲା। ପଚରାଉଚରାରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା ଜଣାପଡ଼ିଛି। ଏହି ଗୋଷ୍ଠୀ ଫେରିବାଲା ଭାବେ ଦିନରେ ବୁଲି ବିଭିନ୍ନ ସ୍ଥାନରେ ରେକି (ପ୍ରାକ୍ ଯୋଜନା) କରୁଥିଲେ। ଯେଉଁଘରେ କେହି ନଥିବେ, ସୁରକ୍ଷା ବ୍ୟବସ୍ଥା ଢିଲା ଥିବ ସେଭଳି ଘରକୁ ଲକ୍ଷ୍ୟକରି ରାତିରେ ଚୋରି କରୁଥିଲେ। ଘରର ତାଲା ଭାଙ୍ଗିବା, ଝରକା ଗ୍ରିଲ୍ ତାଡ଼ିବା ପାଇଁ ଅତି ସାଧାରଣ ଯନ୍ତ୍ରପାତି ବ୍ୟବହାର କରୁଥିଲେ। ଗୋଷ୍ଠୀରେ ୧୫ଜଣ ସଦସ୍ୟ ରହିଥିବା ବେଳେ କଟକ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ୧୦୦ରୁ ଉର୍ଦ୍ଧ୍ବ ଚୋରି ମାମଲାରେ ସମ୍ପୃକ୍ତ ଅଛନ୍ତି ଏମାନେ। ଚୋରି ସହ ସେମାନେ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ଶିକାର କରି ହାଡ଼, ମାଂସ, ଶିଙ୍ଗ ଆଦି ବିକ୍ରି କରୁଥିଲେ।