କଟକ : ଓଡ଼ିଶା ପୁଲିସକୁ ଚ୍ୟାଲେଞ୍ଜ୍ ଦେଇ ପୁଲିସ ପରିଚୟରେ ଲୁଟ୍ କରୁଥିବା ଡେଙ୍ଗା-ଗେଡ଼ା ଗ୍ୟାଙ୍ଗକୁ ଶେଷରେ କାବୁ କରିଛି କଟକ କମିସନରେଟ୍ ପୁଲିସ। ପୁଲିସ କଟକରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ପିଛା କରି ଉକ୍ତ ଗ୍ୟାଙ୍ଗକୁ ନିୟନ୍ତ୍ରଣ କରୁଥିବା ଦୁଇ କାର୍ପଟଦାରଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଜବତ କରାଯାଇଥିବା ବେଳେ ପୁଲିସ ଦୁହିଁଙ୍କୁ ଟ୍ରାନ୍ଜିଟ୍ ରିମାଣ୍ତରେ କଟକ ଆଣୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।
ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ ଗତ ଦୁଇବର୍ଷ ହେଲା କଟକ, ଭୁବନେଶ୍ବର କମିସନରେଟ୍ ସମେତ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ପୁଲିସକୁ ଅସ୍ତବ୍ୟସ୍ତ କରି ଦେଇଥିଲା। ଉତ୍ତରପ୍ରଦେଶରୁ ଆସିଥିବା ଏହି ଗ୍ୟାଙ୍ଗ ଓଡ଼ିଶାରେ ପୁଲିସ ପରିଚୟ ଦେଇ ବରିଷ୍ଠ ନାଗରିକମାନଙ୍କୁ ଟାର୍ଗେଟ୍ କରୁଥିଲେ। ଯୋଜନାବଦ୍ଧ ଭାବେ ବରିଷ୍ଠ ନାଗରିକଙ୍କୁ ପିଛା କରୁଥିଲେ ଓ ରାସ୍ତାରେ ଲୁଟେରା ମାତିଥିବା କହି ଲୋକଙ୍କୁ କାଗଜ ବଢ଼ାଇ ସେଥିରେ ଅଳଙ୍କାର ରଖିବାକୁ ପ୍ରବର୍ତ୍ତାଉଥିଲେ। ପରେ କୌଶଳକ୍ରମେ ଉକ୍ତ ଅଳଙ୍କାର ଲୁଟି ଫେରାର ହୋଇ ଯାଉଥିଲେ। ଗ୍ୟାଙ୍ଗର ସଦସ୍ୟ ମୁଖ୍ୟତଃ ଫାଙ୍କା ରାସ୍ତାରେ ଏଭଳି ଢ˚ଗରେ ଲୁଟ୍ କରୁଥିଲେ। ଲୁଟେରା ଦ୍ବୟଙ୍କ ଆନୁମାନିକ ବୟସ ୩୦ରୁ ୩୫ ବର୍ଷର ହେବ। ଏକ କଳା ରଙ୍ଗର ପଲ୍ସର୍ ବାଇକ୍ରେ ଆସି ସେମାନେ ଏଭଳି କାଣ୍ତ ଘଟାଉଥିଲେ। ଲୁଟେରା ଗେଡ଼ା କଳାରଙ୍ଗର ସାର୍ଟ-ପ୍ୟାଣ୍ଟ ପିନ୍ଧୁଥିବା ବେଳେ ଡେଙ୍ଗା ଧଳାରଙ୍ଗର ସାର୍ଟ ପ୍ୟାଣ୍ଟ ପିନ୍ଧୁଥିବା ଦେଖିବାକୁ ମିଳିଥିଲା। ସେମାନେ ହିନ୍ଦୀରେ କଥାବାର୍ତ୍ତା କରୁଥିବା ବେଳେ ଉତ୍ତରପ୍ରଦେଶର ନମ୍ବର ବ୍ୟବହାର କରୁଥିବା ନେଇ ପୁଲିସକୁ ସୁରାକ୍ ମିଳିଥିଲା। ମର୍କତନଗର ଥାନା ଅଞ୍ଚଳରେ ଲୁଟ୍ କଲା ବେଳେ ପୁଲିସକୁ ସିସି କ୍ୟାମେରାରୁ ଯେଉଁ ଫଟୋ ମିଳିଥିଲା, ତାହା ପୁଲିସକୁ ଉତ୍ତରପ୍ରଦେଶରେ ପହଞ୍ଚାଇବାରେ ରାସ୍ତା ଦେଖାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/arrest.jpeg)