ଏବେ ନୂଆ ଗ୍ୟାଙ୍ଗ୍‌ ଗଢ଼ି ପୁରୁଣା ଷ୍ଟାଇଲରେ କରୁଛନ୍ତି ଡକାୟତି
ସୁନାଗହଣା ଦୋକାନୀ ଗିରଫ

Advertisment

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ଭୋଗଡ଼ା ଗାଁ’ରେ ଗତ ମେ ମାସ ୨୫ ତାରିଖରେ ଘଟିଥିବା ଚର୍ଚ୍ଚିତ ଡକାୟତି ମାମଲାର ରିଂଲିଡର ଆଜି ପୁଲିସ ହାତରେ ଧରାପଡ଼ିଛି। ତାଙ୍କ ସହ ଜଣେ ସୁନା ବ୍ୟବସାୟୀ ମଧ୍ୟ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ବନ୍ଧୁକ, ଢଲେଇ ସୁନା, ରୁପା ଓ ଅଳଙ୍କାର ଜବତ କରାଯାଇଛି। ଗିରଫ ସୁନା ଦୋକାନୀଜଣକ ପୂର୍ବରୁ ଡକାୟତମାନଙ୍କଠାରୁ ସୁନା କିଣିଥିବା ଅଭିଯୋଗରେ ଗିରଫ ହୋଇଥିବା ଅନିତା ସାହୁଙ୍କ ସ୍ବାମୀ ରତ୍ନାକର ସାହୁ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତଜଣକ ଭୋଗଡ଼ା ଡକାୟତିର ରିଂ ଲିଡର ତଥା ଏକଦା ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଗଦାଧର ନାୟକ ବୋଲି ପୁଲିସ ସୂଚନା ଦେଇଛି।

ବାଘମାରୀ ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ବାଘମାରୀ ଥାନା ଅଧିକାରୀ ପ୍ରଣିତା ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍ ବାମଡିହ ଛକ ନିକଟରେ ଛକି ବସିଥିଲେ। ନୟାଗଡ଼ରୁ ଓଡି–୨୫ ଜେ ୧୦୩୪ ନମ୍ବର ଏକ କଳା ପଲ୍‌ସରରେ ଖୋର୍ଦ୍ଧା ଆସୁଥିବା ଗଦାଧର ନାୟକ ଓ ରତ୍ନାକର ସାହୁଙ୍କୁ ଏହି ଟିମ୍‌ ଅଟକାଇଥିଲେ। ରତ୍ନାକର ମୋଟରସାଇକେଲ ଚଳାଉଥିବାବେଳେ ଗଦାଧର ପଛରେ ବସିଥିଲେ। ତଲାସିରେ ସେମାନଙ୍କ ନିକଟରୁ ଢଳାଯାଇଥିବା ୩୮ ଗ୍ରାମ ୨୦୦ ମିଲିଗ୍ରାମ ସୁନା, ୧ କିଲୋଗ୍ରାମ ୫୨୮ ଗ୍ରାମ ଓଜନର ରୁପାଗହଣା, ନଗଦ ୪,୭୦୦ ଟଙ୍କା , ଗୋଟିଏ ଦେଶୀ ବନ୍ଧୁକ, ବୋମା ତିଆରିରେ ବ୍ୟବହୃତ ବାରୁଦ ୪୦୦ ଗ୍ରାମ, ଜର୍ଦ୍ଦା ଡବା ୫ଟି ଓ ସେଲୋଟେପ୍ ଆଦି ଜବତ କରାଯାଇଥିଲା। ଏହା ସହ ରତ୍ନାକରଙ୍କ ନିକଟରୁ ଅଳଙ୍କାର ଓଜନ କରିବାର ନିକିତି, ବଟକରା ଆଦି ମଧ୍ୟ ମିଳିଥିଲା। ତେଣୁ ସଙ୍ଗେ ସଙ୍ଗେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ ରତ୍ନାକରଙ୍କର ନୟାଗଡ଼ ବଜାରରେ ଲକ୍ଷ୍ମୀନାରାୟଣ ଜୁଏଲାରି ନାମକ ଏକ ସୁନା ଦୋକାନ ରହିଛି। ଗତ ୧୨ ତାରିଖରେ ରତ୍ନାକରଙ୍କ ପତ୍ନୀ ଅନିତା ଡକାୟତଙ୍କ ଠାରୁ ସୁନା କିଣିବା ଅଭିଯୋଗରେ ଗିରଫ ହୋଇଥିଲେ।

publive-image

କିଏ ସେ ଗଦାଧର ନାଏକ?
ଗଦାଧର ନାୟକଙ୍କ ଡକାୟତିରେ ସମ୍ପୃକ୍ତି ନୂଆ ନୁହେଁ। ବେଗୁନିଆର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଗଦାଧର ୧୬/୧୭ ବୟସରୁ ଡକାୟତି କରିବା ଆରମ୍ଭ କରିଥିଲେ। ୧୯୯୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିକଟରେ ବେଗୁନିଆଠାରେ ଗଦାଧରଙ୍କ ସହ ୨୦ରୁ ଊର୍ଦ୍ଧ୍ବ କୁଖ୍ୟାତ ଡକାୟତ ବନ୍ଧୁକ, ମାରଣାସ୍ତ୍ର ଆଦି ସହ ଆତ୍ମସମର୍ପଣ କରିଥିଲେ। ଏହି ଘଟଣା ସେହି ସମୟରେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହାକୁ ନେଇ ରାଜନୀତି ମଧ୍ୟ ବେଶ୍ ଜମିଥିଲା। ଆତ୍ମସମର୍ପଣ କରିଥିବା ଅନେକ ନିରପରାଧି ଥିବା ଓ କେବଳ ପ୍ରଚାର ପାଇଁ ଏଭଳି ନାଟକ ରଚନା କରାଯାଇଥିବା ତତ୍କାଳୀନ ବିରୋଧୀ ଦଳ ଅଭିଯୋଗ କରିଥିଲେ। ଗଦାଧର ଓ ଅନ୍ୟ ଡକାୟତମାନେ ଆତ୍ମସମର୍ପଣ କରିବା ପରେ କିଛି ଦିନ ମୁକ୍ତାକାଶ ଜେଲ୍‌ରେ ରହିଥିଲେ। ଏହାପରେ ସେମାନେ ସମାଜରେ ସ୍ବାଭାବିକ ଭାବେ ଚଳିବା ପାଇଁ ଜମି, କିଛି ଟଙ୍କା ମଧ୍ୟ ଦିଆଯାଇଥିଲା। ତେବେ ଗଦାଧର ୨୦୧୨ ଠାରୁ ନୟାଗଡ଼, ବେଗୁନିଆ, ବାଙ୍କୀ ଆଦିର କିଛି ଅସାମାଜିକ ଯୁବକଙ୍କୁ ନେଇ ପୁଣି ଏକ ଡକାୟତ ଗ୍ୟାଙ୍ଗ୍ ଗଠନ କରିଥିଲେ। ନିକଟରେ ଏକ ଡକାୟତ ମାମଲାରେ ସେ ଗିରଫ ହୋଇ ନୟାଗଡ଼ ଜେଲ୍‌ରେ ୨ ବର୍ଷ କାରାଦଣ୍ତ ଭୋଗିଥିଲେ। ଭୋଗଡ଼ା ଗାଁ’ରେ ଗତ ମେ ମାସ ୨୫ ତାରିଖରେ ଘଟିଥିବା ଡକାୟତି ଘଟଣାରେ ରାଜ୍ୟରେ ପ୍ରଥମ ଥର ପାଇଁ ଘରର କବାଟ ଭାଙ୍ଗିବା ପାଇଁ ଟିଫିନ୍ ବୋମା ବ୍ୟବହାର କରାଯାଇଥିଲା। ଏହା ପୁରୁଣା ଷ୍ଟାଇଲ୍‌ର ଡକାୟତି ହୋଇଥିବାରୁ ପୁଲିସ ପାଇଁ ଏହି ଘଟଣା ଚାଲେଞ୍ଜ୍‌ ସୃଷ୍ଟି କରିଥିଲା। ତେଣୁ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁଙ୍କ ‌ନିର୍ଦ୍ଦେଶକ୍ରମେ ଓ ଏସ୍‌ଡିପିଓ ସୁଶିଲ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପୁରୁଣା ଓ ନୂଆ ଅପରାଧୀମାନଙ୍କ ଗତିବିଧି ଉପରେ ନଜର ରଖାଯାଇ ତଦନ୍ତ କରାଯାଉଥିଲା। ଏଥିରେ ପୁଲିସକୁ ପ୍ରଥମେ ଯେଉଁ ସଫଳତା ମିଳିଥିଲା, ସେଥିରେ ପୁଲିସ ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ସୁନା ସହ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।