କଟକ : ଜାତୀୟ ରାଜପଥରେ ଆତଙ୍କ ସୃଷ୍ଟିକାରୀ ପେସାଦାର ଅପରାଧୀକୁ ଆଜି ଏନ୍‌କାଉଣ୍ଟର୍‌ ହୋଇଛି। ଚୌଦ୍ବାର ଥାନା ପୁଲିସ୍‌ ନୂଆପାଟଣାରେ କରିଥିବା ଏହି ଏନ୍‌କାଉଣ୍ଟରରେ ହାଇୱେ ଲୁଟେରା ଚାଉଳିଆଗଞ୍ଜ ଅପର୍ଣ୍ଣାନଗରର ଜିତୁ ଓରଫ ଅଜୟ ସାହୁ (୨୮) ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ପୁଲିସ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଛି। ପୁଲିସ ତା’ ନିକଟରୁ ଗୋଟିଏ ୯ଏମ୍‌ଏମ୍‌ ଦେଶୀ ପିସ୍ତଲ, ଗୋଟିଏ ମାଗାଜିନ୍‌ ଓ ଗୁଳି, ଗୋଟିଏ କାଟ୍ରିଜ୍‌ ଏବ˚ ନମ୍ବର ବିହୀନ ଏକ ବାଇକ୍‌ ଜବତ କରିଛି।

Advertisment

ଅଭିଯୁକ୍ତ ଜିତୁ ଜଣେ ପେସାଦାର ଅପରାଧୀ ହୋଇଥିବା ବେଳେ ତା’ ନାମରେ ପୂର୍ବରୁ ଢେଙ୍କାନାଳ ସଦର ଥାନାରେ ୫ଟି ମାମଲା ଥିବା ବେଳେ ବାରଙ୍ଗ, ଆଠଗଡ଼ ଏବଂ ଚାଉଳିଆଗଞ୍ଜ ଥାନାରେ ୨ଟି ଏବଂ ସାଲେପୁର, ବଡ଼ମ୍ବା, ଚୌଦ୍ବାର, କନ୍ଦରପୁର, ମଧୁପାଟଣା ଥାନାରେ ୧ଟା ଲେଖାଏଁ ମାମଲା ରହିଥିବା ପୁଲିସ ସୂଚନା ଦେଇଛି।

publive-image

ସୂଚନା ଅନୁଯାୟୀ, ଗତ ମାସ ୨୪ ତାରିଖ ରାତି ସାଢେ ୯ଟାରେ ଲାଲା ଲଳିତ ସି˚ହ ତାଙ୍କ ପରିବାର ସହ ଢେଙ୍କାନାଳରୁ ପୁରୀ ଯାଉଥିଲେ। ନୂଆପାଟଣା ଧାନ ମିଲ୍‌ ନିକଟରେ ଦୁର୍ବୃତ୍ତ ତାଙ୍କ ମୁଣ୍ତକୁ ଗୁଳି ମାରି ତାଙ୍କଠୁ ଟଙ୍କା ଓ ସୁନା ଗହଣା ଲୁଟି ନେଇ ଫେରାର‌୍‌ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଆହତଙ୍କୁ ବଡ଼ ମେଡିକାଲ୍‌ ପଠାଯାଇଥିଲାବେଳେ ଏବେ ସେ ଚିକିତ୍ସିତ ହେଉଛନ୍ତି। ପରେ ଚୌଦ୍ବାର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଦୁର୍ବୃତ୍ତଙ୍କ ବିରୋଧରେ ଆଇପିସି ଦଫା ୩୯୪, ୩୯୭, ୩୦୨ , ୨୫ ଓ ୨୭ ଆର୍ମ୍ସ ଆକ୍ଟ୍‌ରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ ଜଣକ ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣାନଗରର ସୁରେଶ କୁମାର ସାହୁଙ୍କ ପୁଅ ଜିତୁ ଓରଫ ଅଜୟ ସାହୁ ଓ ତାହାର ତିନିଜଣ ସାଥୀ ବୋଲି ପୁଲିସ ଜାଣିବାକୁ ପାଇଥିଲା। ସେବେଠାରୁ ପୁଲିସ ଅଭିଯୁକ୍ତ ଜିତୁର ଗତିବିଧି ଉପରେ ନଜର ରଖିଥିଲା। ନିୟମିତ ଭାବେ ଜିତୁ ବନ୍ଧୁକ ଦେଖାଇ ରାସ୍ତା ଉପରୁ ଲୁଟ୍‌ କରୁଥିଲା ଓ ପାଖ ଜଙ୍ଗଲରେ ଲୁଚିଯାଉଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ତେଣୁ ତାକୁ ଧରିବା ପାଇଁ ଚୌଦ୍ବାର ଥାନାର ସ୍ବତନ୍ତ୍ର ଦଳ ସହିତ କମିସନରେଟ୍‌ ପୁଲିସ୍‌ର ସ୍ପେଶାଲ ସ୍କ୍ବାଡ୍‌ ଯୋଜନା ପ୍ରସ୍ତୁତ କରିଥିଲେ।

ରବିବାର ଜିତୁ ଗହଣ୍ତା ସ୍ଥିତ ଏକ ଫାର୍ମ ହାଉସ୍‌ରେ ଲୁଚିଥିବା ପୁଲିସ୍‌କୁ ଖବର ମିଳିଥିଲା। ସ୍ବତନ୍ତ୍ର ଦଳ ସହ ସ୍ପେଶାଲ ସ୍କ୍ବାଡ ସେଠାରେ ପହଞ୍ଚିବା ବେଳକୁ ଜିତୁ ଜଙ୍ଗଲ ରାସ୍ତା ଦେଇ ଟାଙ୍ଗୀ-କପିଳାସ ରୋଡ୍‌ରେ ଅଭିମୁଖେ ଯାଉଥିଲା। ପୁଲିସ୍‌କୁ ଦେଖି ଜିତୁ ବନ୍ଧୁକ ଦେଖାଇ ମୋଟର ସାଇକେଲ ଯୋଗେ ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସ୍‌ ବାରମ୍ବାର ତାକୁ ଆତ୍ମସମର୍ପଣ କରିବାକୁ କହିଥିଲେ ବି ଜିତୁ ଏହା ବଦଳରେ ପୁଲିସ୍‌ ଉପରକୁ ଗୁଳିଚାଳନା କରିଥିଲା। ଚୌଦ୍ବାର ଥାନା ଆଇଆଇସି ପାଲଟା ଗୁଳି ଚଳାଇଥିଲେ। ଏହି ସମୟରେ ଡାହାଣ ଗୋଡ଼ ଆଣ୍ଠୁରେ ଗୁଳି ବାଜିବାରୁ ଜିତୁ ତଳେ ପଡ଼ି ଯାଇଥିଲା। ପୁଲିସ୍‌ ତାକୁ କାବୁ କରିବା ପରେ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସା ପରେ ଅଭିଯୁକ୍ତ ଜିତୁ ସୁସ୍ଥ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏନ୍‌କାଉଣ୍ଟର ବେଳେ ଇନ୍ସପେକ୍ଟର ପଦ୍ମନାଭ ପ୍ରଧାନ, ଏସ୍‌ଆଇ ପାର୍ଥ ବେହୁରା, କନଷ୍ଟେବଳ ବିଶ୍ବଜିତ ଦାସ ଆହତ ହୋଇଥିଲେ। ମେଡିକାଲ୍‌ରେ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଏବେବି ଚଢଉ ଜାରି ରହିଥିବା ପୁଲିସ ସୂଚନା ଦେଇଛି।