ପୁଲିସ୍‌ ଆକ୍ସନ୍‌କୁ ଡରୁନାହାନ୍ତି ଲୁଟେରା!

ବାଲେଶ୍ବର: ଗୋଟିଏ ପଟେ ଅପରାଧ ମୁକାବିଲା ପାଇଁ ଜିଲ୍ଲା ପୁଲିସ ସ୍ବତନ୍ତ୍ର ଟିମ୍‌ ଓ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିବା କୁହାଯାଉଛି। ମାତ୍ର ଅନ୍ୟପଟେ ଅପରାଧୀ ଗ୍ୟାଙ୍ଗ୍‌ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ପୁଲିସକୁ ଚ୍ୟାଲେଞ୍ଜ୍‌ ଦେବାରେ ସଫଳ ହେଉଛନ୍ତି। ପୁଲିସ ଆଜିି ଗୋଟିଏ ଘଟଣାରେ ଜଣେ ଦୁଇଜଣ ଅପରାଧୀଙ୍କୁ ଗିରଫ କରିଲେ ପରଦିନ ଆଉ ଏକ ‌ଗ୍ୟାଙ୍ଗ୍‌ ଅପରାଧ ଘଟାଇ ପୁଲିସକୁ ଚକ୍‌ମା ଦେଖାଉଛନ୍ତି। ବାଲେଶ୍ବର ସହରରେ ଏବେ ଅପରାଧୀ ଓ ପୁଲିସଙ୍କ ମଧ୍ୟରେ ଏହି ଲୁଚକାଳି ଖେଳ ସାଧାରଣ ଜନଜୀବନ ପ୍ରତି ବିପଦ ସୃଷ୍ଟି କରିଛି।

ଘଟଣାକ୍ରମରେ ଆଜି ବାଲେଶ୍ବର ସହରର ବିଭିନ୍ନ ସ୍ଥାନରେ ମୋବାଇଲ ଛିନ୍‌ତାଇ କରୁଥିବା ଜଣେ ଲୁଟେରା ଶେଷରେ ଲୋକଙ୍କ ହାତରେ ଧରାପଡ଼ି ଖସିଯିବାରେ ସଫଳ ହୋଇଛି। ଲୁଟେରାଜଣକ ପୂର୍ବାହ୍ନରେ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଜଣେ ମହିଳାଙ୍କ ମୋବାଇଲ ଲୁଟିଥିଲା। ଲୁଟ୍‌ବେଳେ  ମହିଳାଜଣକ ବଡ଼ପାଟି କରି ତାକୁ ଧରିବା ପାଇଁ ଡାକ ପକାଇ ଥିଲେ ହେଁ ଆଖିପିଛୁଳାକେ ଲୁଟେରାଜଣକ ଫେରାର ହୋଇଯାଇଥିଲା। ସବୁଠୁ ବଡ଼କଥା ହେଉଛି ଡାକ୍ତରଖାନାରେ ୨୪ ଘଣ୍ଟା ସୁରକ୍ଷାକର୍ମୀ ଓ ପୁଲିସ ଫାଣ୍ଡିର ବ୍ୟବସ୍ଥା ରହିଥିଲେ ହେଁ ଦିନଦ୍ବିପ୍ରହରେ ଏମିତି ଘଟଣା ପୁଲିସ ଓ ସୁରକ୍ଷାକର୍ମୀଙ୍କ ପାରିବାପଣିଆକୁ ପଦାରେ ପକାଇଛି। ଏହାପରେ ଆଜିମାବାଦ ଅଞ୍ଚଳରେ ସେହି ଲୁଟେରା ଆଉଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ ଲୁଟିବାରେ ସଫଳ ହୋଇଥିଲା। ସେଠାରେ ସେହି ସମାନ ଘଟଣା ଘଟିଥିଲା। ଆଜିମାବାଦ ରାସ୍ତା ସହରର ଏକ ବ୍ୟସ୍ତବହୁଳ ତଥା ସବୁବେଳେ ଜନସମାଗମ ଓ ଗା‌ଡ଼ିମୋଟର ଯାତାୟାତ ହେଉଥିବା ରାସ୍ତା। ତାଛଡ଼ା ଏହି ରାସ୍ତାରେ ଗଲେ ଏସ୍‌ପି, ଆଇଜି କ୍ବାର୍ଟର୍ସ ଓ ପୁଲିସ କଲୋନି ପଡ଼ିଥାଏ। ତେଣୁ ଏ ଅଞ୍ଚଳରେ ମଧ୍ୟ ସବୁବେଳେ ପୁଲିସ କର୍ମୀ ମୁତୟନ ହୋଇଥାନ୍ତି ଏବଂ ପିସିଆର ଭ୍ୟାନ୍‌ ଲଗାତାର ପାଟ୍ରୋଲିଂ କରିଥାଏ। ତେବେ ଲୁଟେରାଜଣକ ନିର୍ଭୟରେ ଲୁଟ୍‌ କରି ଏଠାରୁ ବି ଖସିବାରେ ସଫଳ ହେଲା।

ସେହିପରି ସନ୍ଧ୍ୟାବେଳେ ସେ ପୁଣି ଫାଣ୍ତିଛକ ନିକଟସ୍ଥ ଏକ ‌ଦୋକାନରୁ ମୋବାଇଲ ଲୁଟ୍ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ତାକୁ କାବୁ ନିର୍ଧୂମ୍‌ ଛେଚିଥିଲେ। ତା’ ନିକଟରୁ ୩ଟି ମୋବାଇଲ ଓ ବାଇକ ଜବତ କରିବା ପ‌େର ଦିନସାରା ସେ କରିଥିବା ଲୁଟ୍‌ ଘଟଣା ସାମ୍‌ନାକୁ ଆସିଥିଲା। ଲୋକେ ତାକୁ ଘେରିଯାଇ ସହଦେବଖୁଣ୍ଟା ଥାନାକୁ ଖବର ଦେଇଥିଲେ। ହେଲେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେ କୌଶଳକ୍ରମେ ଲୋକଙ୍କ ଭିଡ଼ ମଧ୍ୟରୁ ଫେରାର ହେବାରେ ସଫଳ ହୋଇଥିଲା‌। ତେବେ ତାଠାରୁ ଜବତ କରାଯାଇଥିବା ମୋବାଇଲଗୁଡ଼ିକୁ ଲୋକେ ପୁଲିସକୁ ଦେଇଥିଲେ। ସେଥିରୁ ଗୋଟିଏ ମୋବାଇଲକୁ କଲ୍‌ ଆ‌ସିବା ପରେ ପୁଲିସ ତାର ମାଲିକଙ୍କୁ ଡକାଇ ମୋବାଇଲ ଫେରାଇଥିବା ବେଳେ ଅନ୍ୟ ମୋବାଇଲ ସହ ଲୁଟେରାର ବାଇକ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି। ତାର ମୋବାଇଲ ଓ ‌ବାଇକ୍‌କୁ ଜବତ କରାଯାଇଥିବାରୁ ସମ୍ପୃକ୍ତ ଲୁଟେରା ଓ ତାର ଗ୍ୟାଙ୍ଗ୍‌ ସମ୍ପର୍କରେ ଖୁବ୍‌ଶୀଘ୍ର ପର୍ଦ୍ଦାଫାସ କରାଯିବ ବୋଲି ପୁଲିସ ଆଶାବାଦୀ ଥିବା ଜଣାଇଛି।

ସମ୍ବନ୍ଧିତ ଖବର