ଦ୍ୱାରଶୁଣୀ ଘାଟିରେ ବନ୍ଧୁକ ଦେଖାଇ ଲୁଟ୍‌

କଳାବାଡ଼ିଆ: ବାଙ୍ଗିରିପୋଷି ଥାନା ଦ୍ବାରଶୁଣୀ ଘାଟି ରାସ୍ତାରେ ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।

ସୂଚନା ଅନୁଯାୟୀ; ଆବସ ଖାନ୍ ଓ ପତ୍ନୀ ବବିତା ଏକ ବାଇକ୍‌ରେ ବିଶୋଇରୁ ବାରିପଦା ଫେରୁଥିବା ବେଳେ ଏକ ଅନ୍ୟ ବାଇକ୍‌(ଜେଏଚ-୦୫ଏଚ-୬୧୦୮)ରେ ୩ଜଣ ଦୁର୍ବୃତ୍ତ ସେମାନଙ୍କ ପିଛା ‌କରିଥିଲେ। ଦ୍ବାରଶୁଣୀ ଘାଟି ଉପରେ ଦମ୍ପତିଙ୍କ ବାଟ ଓଗାଳିବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ୧୫ ହଜାର ଟଙ୍କା ଓ ବାଇକ୍‌ ଚାବି ନେଇ ପଳାଇଥିଲେ ଦୁର୍ବୃତ୍ତ। ଏହି ସମୟରେ ଘାଟି ରାସ୍ତାର ସମ୍ପ୍ରସାରଣ ବାବଦ ଆଲୋଚନା ପାଇଁ କିଛି ଦୂରରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ଏକ ସମୀକ୍ଷା ବୈଠକ କରୁଥିବା ବେଳେ ସେଠାରେ ମୁତୟନ ଥିବା ପୁଲିସ ଲୁଟ୍‌ ଖବର ପାଇ ତୁରନ୍ତ ଲୁଟେରାଙ୍କ ପିଛା କରିଥିଲା। ହେଲେ ଦୁର୍ବୃତ୍ତମାନେ ଖଡ଼ମବେଡ଼ା ଜଙ୍ଗଲ ରାସ୍ତା ଦେଇ ଝାଡ଼ଖଣ୍ଡକୁ ଖସି ପଳାଇଥିଲେ। ଦୁର୍ବୃତ୍ତମାନେ ଚମ୍ପଟ ମାରିବା ଆଗରୁ ସେମାନଙ୍କ ବାଇକ୍‌ର ଫଟୋ ଉଠାଇଥିଲେ ଲୁଟ୍‌ର ଶିକାର ଦମ୍ପତି। ସେମାନେ ଏହି ଫଟୋ ପୁଲିସକୁ ଦେଇଥିବା ବେଳେ ପୁଲିସ ନମ୍ବର ପ୍ଲେଟ ଯାଞ୍ଚ୍‌ କରିବାରୁ ଏହା ନକଲି ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର