ବାଲିକୁଦା: ବାଲିକୁଦା ଥାନା ଅନ୍ତର୍ଗତ ଅନନ୍ତପୁର ଫାଣ୍ଡି ଅଧିନସ୍ଥ ତିହୁଡି ମରିଚପୁର ମୁଖ୍ୟ ରାସ୍ତା  କଡରେ ଥିବା ଦଶବାଟିଆ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଗ୍ରିଲ୍ ତାଲା ଶାବଳରେ ଭାଙ୍ଗି ନଗଦ ଟଙ୍କା ଓ ଅନେକ ଦାମିକା ବିଦେଶୀ ମଦ ଚୋରି କରି ନେଇଛନ୍ତି।

Advertisment

ଏପରିକି ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଓ ହାର୍ଡ ଡିସ୍କ୍ ମଧ୍ୟ ଚୋରି କରି ନେଇଥିବା ଜଣାପଡିଛି। ଦୋକାନ ଠାରୁ ୧୦୦ ମିଟର ଦୂରରେ ଥିବା ଏକ କେବିନ ଭାଙ୍ଗି କିଛି ଟଙ୍କା ଓ ସିଗାରେଟ ତଥା ଗୁଟଖା ଚୋରି କରି ନେଇଛନ୍ତି। ଏନେଇ କୌଣସି ଲିଖିତ ଅଭିଯୋଗ ହୋଇ ନଥିଲେ ସୁଦ୍ଧା ଫାଣ୍ଡି ଅଧିକାରୀ ଭାସତ ରଞ୍ଜନ ରାୟଙ୍କୁ ମଦ ଦୋକାନ କର୍ମଚାରୀମାନେ ଫୋନ ଯୋଗେ ଅବଗତ କରାଥିଲେ। 

ଏହା ପରେ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। କୌଣସି କର୍ମଚାରୀ ଦୋକାନ ମଧ୍ୟକୁ ନଯିବାକୁ ସେ ତାଗିଦ୍ କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦ ଟା ୧୫ ମିନିଟ ସମୟରେ ଦୋକାନରେ କାର୍ଯ୍ୟ କରୁଥିବା ୫ ଜଣ କର୍ମଚାରୀ ଦୋକାନ ସଟର ତାଲା ପକାଇବା ସହ ସମ୍ମୁଖରେ ଥିବା ଗ୍ରିଲ୍‌ରେ ୨ଟି ତାଲା ପକାଇ ନିଜ ନିଜ ଘରକୁ ଯାଇଥିଲେ।

WhatsApp Image 2025-09-18 at 11.53.47 AM

ହେଲେ ସକାଳ ପ୍ରାୟ ୬ ଟା ସମୟରେ ଦୋକାନରେ କାର୍ଯ୍ୟ କରୁଥିବା ଆଶିଷ ଦଳାଇ ନିଜର କୌଣସି ଏକ କାର୍ଯ୍ୟରେ ଦଶବାଟିଆ ବଜାର ଯାଇଥିବା ବେଳେ ଗ୍ରିଲ୍ ତାଲା ଖୋଲା ଥିବା ଦେଖି ଭିତରେ ନିଜର ସାଥି କର୍ମଚାରୀ ଥିବେ ବୋଲି ଭାବି ଡାକ ପକାଇଥିଲେ। ହେଲେ ଭିତରୂ କେହି ଶୁଣି ନଥିଲେ। ସେ ସିସିଟିଭି କ୍ୟାମେରା ଭାଙ୍ଗି ଯାଇଥିବା ଦେଖି ଅନ୍ୟ ସାଥି ମାନଙ୍କୁ ଦୋକାନ ଚୋରି ସମ୍ପର୍କରେ ଅବଗତ କରାଇଥିଲେ। ପରେ ନିକଟସ୍ଥ ଫାଣ୍ଡି ଅଧିକାରୀଙ୍କୁ ଜଣାଇଥିଲେ। 

ଦୁର୍ବୃତ୍ତମାନେ ଏକ ଝରକା ଦେଇ ମଦ ଦୋକାନ ଭିତରେ ପ୍ରବେଶ କରିଥିବା ପୁଲିସ ଜାଣିବାକୁ ପାଇଛନ୍ତି।  ନିକଟରେ ଥିବା ରଞ୍ଜିତ ପରିଡାଙ୍କ କେବିନ ତାଲା ଭାଙ୍ଗି ଚୋରି ହୋଇଥିବା ଦେଖିବାକୁ ମିଳିଛି।  ଫାଣ୍ଡି ଅଧିକାରୀ ପ୍ରାଥମିକ ସ୍ତରରେ କିଛି ଦୋକାନର ସିସି ଟିଭି ଫୁଟେଜ ଯାଞ୍ଚ୍ କରିବା ଆରମ୍ଭ କରିଛନ୍ତି। ଦୋକାନ ଖୋଲା ଯାଇ ନଥିବାରୁ ପୁଲିସ ସନ୍ଧାନୀ କୁକୁର ସହାୟତା ନେଇପାରେ ବୋଲି ଆଲୋଚନା ହେଉଥିବା ବେଳେ କିଭଳି କର୍ମଚାରୀମାନେ ରାସ୍ତା କଡରେ ଥିବା ଦୋକାନରେ ୨ ଦିନର ବିକ୍ରି ଅର୍ଥ ପ୍ରାୟ ୩ ଲକ୍ଷ ଟଙ୍କା ରଖିଥିଲେ ତାହା ସନ୍ଦେହ ଘେରକୁ ଆସିଛି।

ଏପରିକି ଫାଣ୍ଡି ଠାରୁ ମାତ୍ର ୫୦୦ ମିଟର ଦୂର ଏହି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରୁ ପୁଲିସକୁ ଖୁଲମ ଖୁଲା ଚ୍ୟାଲେଞ୍ଜ ଦେଇ ଚୋର ଚୋରି କରି ପୁଲିସର ପାଟ୍ରୋଲିଙ୍ଗ ଓ ପାରିବାର ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।