ଯଶିପୁର ଗହଣା ଦୋକାନରୁ ଲୁଟ୍‌ ଉଦ୍ୟମ ପଣ୍ଡ, ଫାଙ୍କା ଗୁଳି ଚଳାଇ ଖସିଗଲେ ୩ ଦୁର୍ବୃତ୍ତ

ଭୁଜାଲି ଚୋଟରେ ଦୋକାନୀ ଓ ଗ୍ରାହକ ଆହତ

କରଞ୍ଜିଆ ଗୋଲେଇ : ଭୁଜାଲିରେ ଆକ୍ରମଣ ଉଦ୍ୟମ କରି ଗହଣା ଦୋକାନୀଙ୍କଠାରୁ ଲୁଟ୍‌ ଉଦ୍ୟମ। ହୋହଲ୍ଲା ଶୁଣି ସ୍ଥାନୀୟ ଲୋକେ ଜମା ହେବାରୁ ଫାଙ୍କା ଗୁଳି ଚଳାଇ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଛନ୍ତି ୩ ଦୁର୍ବୃତ୍ତ।

ଶନିବାର ରାତି ପ୍ରାୟ ୮ଟା ପାଖାପାଖି ସମୟ ହେବ। ଯଶିପୁର ଥାନା ଭଞ୍ଜକିଆ ବଜାରରେ ମୋତିଲାଲ ସାହୁଙ୍କ ଅଳଙ୍କାର ଦୋକାନକୁ ଧସେଇ ପଶିଥିଲେ ୩ ଯୁବକ। ସମସ୍ତଙ୍କ ମୁହଁରେ ଥିଲା ମାସ୍କ। ସେତେ‌ବେଳେ ଗହଣା ବ୍ୟବସାୟୀ ଶ୍ରୀ ସାହୁଙ୍କ ସହିତ ଦୋକାନରେ ଜଣେ ଗ୍ରାହକ ଥିଲେ। ଅଳଙ୍କାର ଲୁଟିବା ଉଦ୍ଦେଶ୍ୟରେ ଆସିଥିବା ତିନି ଦୁର୍ବୃତ୍ତ ପ୍ରଥମେ ଇଆଡୁ ସିଆଡୁ କହି ଶ୍ରୀ ସାହୁଙ୍କ ଦୃଷ୍ଟି ଅନ୍ୟଆଡ଼େ ନେବାକୁ ଆରମ୍ଭ କରିଦେଇଥିଲେ ଯୁକ୍ତିତର୍କ। ଠିକ୍‌ ଏହି ସମୟରେ ଜଣେ ଦୁର୍ବୃତ୍ତ ଦୋକାନୀ ମୋତିଲାଲଙ୍କୁ ଭୁଜାଲିରେ ଆକ୍ରମଣ ଉଦ୍ୟମ କରିବା ଦେଖି ପାଖରେ ଛିଡ଼ା ହୋଇଥିବା ଗ୍ରାହକଜଣକ ବାଧା ଦେଇଥିଲେ। ଫଳରେ ଭୁଜାଲି ଚୋଟରେ ଗ୍ରାହକଙ୍କ ହାତରେ ଗୁରୁତର କ୍ଷତ ହୋଇଥିଲା। ଏସବୁ ଭିତରେ ଅନ୍ୟ ଜଣେ ଦୁର୍ବୃତ୍ତ ମୋତିଲାଲଙ୍କ ମୁଣ୍ଡକୁ ଭୁଜାଲିରେ ହାଣି ଦେବାରୁ ସେ ଆହତ ହୋଇଥିଲେ। ଦୋକାନ ଭିତରେ ଏହି ଘଟଣା ଦେଖି ପାଖରେ ଥିବା ସ୍ଥାନୀୟ ଲୋକ ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ହଡ଼ବଡ଼େଇ ଯାଇଥିଲେ। ଲୋକଙ୍କୁ ଭୟଭୀତ କରିବା ପାଇଁ ଦୁର୍ବୃତ୍ତମାନେ ଦୋକାନ ବାହାରେ ଫାଙ୍କା ଗୁଳି ଚଳାଇବା ସହ ଆସିଥିବା ବାଇକ୍‌ରେ ଯଶିପୁର ପଟକୁ କ୍ଷୀପ୍ର ଗତିରେ ପଳାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି।

ଖବର ପାଇବା ପରେ ଯଶିପୁର ଥାନା ପୁଲିସ ଗହଣା ଦୋକାନ ଓ ଆଖପାଖରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନର ସିସିଟିଭି ଫୁଟେଜ୍‌କୁ ସଂଗ୍ରହ କରି ତଦନ୍ତ ଚଳାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସ ଅପରାଧୀଙ୍କ ସଂପର୍କରେ କିଛି ସୁରାକ୍ ପାଇନଥିଲା। ତେବେ ସେମାନେ ଗହଣା ଦୋକାନକୁ ଲୁଟିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିଲେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର