ଟିଟିଲାଗଡ଼ ଗ୍ୟାସ୍‌ ଗୋଦାମରୁ ଲୁଟ୍‌ ମାମଲା, ଆଉ ଦୁଇ ଅଭିଯୁକ୍ତ ଗିରଫ

ଟିଟିଲାଗଡ଼ : ଗତ ୨୧ ତାରିଖ ରାତିରେ ଘଟିଥିବା ଟିଟିଲାଗଡ଼ ହିନ୍ଦୁସ୍ତାନ ପେଟ୍ରୋଲିୟମ ଗ୍ୟାସ୍‌ ଗୋଦାମରୁ ଲୁଟ୍‌ ମାମଲାରେ ପୁଲିସ ସୋମବାର ଆଉ ଦୁଇଜଣଙ୍କୁ ଗିରଫ କରିଛି। ସେ ଦୁହେଁ ହେଲେ ଦେଓଗାଁ ଥାନା ଜଲିଆ ଗାଁର ମାନଚନ ବାରିକ ଓ ଅଶ୍ୱିନୀ ହରପାଲ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୧ ତାରିଖ ରାତିରେ ଉକ୍ତ ଗ୍ୟାସ୍‌ ଗୋଦାମର ଜଣେ କର୍ମଚାରୀଙ୍କଠାରୁ ୩ ଜଣ ଅଭିଯୁକ୍ତ ବାଇକ୍‌ରେ ଆସି ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିଲେ। ସେତେବେଳେ ସ୍ଥାନୀୟ ଲୋକେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଅରୁସଡୁଙ୍ଗୁରି ଗାଁର ପ୍ରଶାନ୍ତ ନନ୍ଦ ନାମକ ଜଣେ ଲୁଟେରାକୁ କାବୁ କରି ପୁଲିସ ଜିମା ଦେଇଥିଲେ। ଏନେଇ ଟିଟିଲାଗଡ଼ ଥାନା କେସ୍‌ ନଂ ୪୮୩/୨୦ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରଶାନ୍ତକୁ ଜେରା କରିବାରୁ ସେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ନାଁ କହିଥିଲା। ଗିରଫ ଅଭିଯୁକ୍ତମାନେ ସେମାନେ ଗୋଟିଏ ସ୍ଥାନରେ ଲୁଟ କରିଥିବା ବ୍ୟାଗ ଫିଙ୍ଗି ଦେଇଥିବା ସୂଚନା ଦେଇଥିଲେ। ପୁଲିସ ସେଠାରୁ ଉକ୍ତ ବ୍ୟାଗକୁ ଜବତ କରିଥିଲା। ହେଲେ ସେଥିରୁ ମୋଟ ୯ହଜାର ୭ଶହ ଟଙ୍କା ମିଳିଥିଲା। ସେମାନଙ୍କ ନିକଟରୁ ପୁଲିସ ଲୁଟ୍‌ ହୋଇଥିବା ବ୍ୟାଗ୍‌ରେ ଥିବା ଗ୍ୟାସ୍‌ ଗୋଦାମର ଚାବି ଓ ଲୁଟ୍‌ରେ ବ୍ୟବହାର ହୋଇଥିବା ବାଇକ୍‌ (ଓଡି ୧୪ ଏ ୨୨୭୮)କୁ ମଧ୍ୟ ଜବତ କରିଛି।

ଏହା ପୂର୍ବରୁ ମଧ୍ୟ ଏହି ତିନିଜଣଙ୍କ ନାଁରେ ଟିଟିଲାଗଡ଼, ସଇଁତଳା ଓ ତୁଷୁରା ଥାନାରେ ଲୁଟ ମାମଲା ରହିଥିବା ପୁଲିସ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛି। ଏହି ସାମ୍ୱାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଏସଆଇ ମନୋଜ ମୁଣ୍ଡା ପ୍ରମୁଖ ଉପସ୍ଥିତଥିଲେ। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର