ନବରଙ୍ଗପୁର : ଠିକାସଂସ୍ଥାକୁ ରାଜସ୍ବ ବିଭାଗର ଅହେତୁକ ଅନୁକମ୍ପା। ବିନା ଲିଜ୍ରେ ଖାଦାନରୁ କୋଟିକୋଟି ଟଙ୍କାର ପଥର ଲୁଟିନେଲା ସଂସ୍ଥା। ତାହା ପୁଣି ଜଙ୍ଗଲ କିସମ ଜମିରୁ। ଅଳ୍ପ କିଛି ରାଜସ୍ବ ଆଦାୟ କରି ଚୁପ୍ ହୋଇଗଲା ବିଭାଗ। ଏହି ଘଟଣା ଘଟିଛି ଉମରକୋଟ ତହସିଲ ଚିକିଲପଦର ରାଜସ୍ବ ସର୍କଲରେ। ସିରଲିଗୁଡ଼ା ବଡ ଜଙ୍ଗଲରୁ ପଥର ଲୁଟ୍ ହୋଇଥିବା ଜଣାପଡ଼ିଛି। ବେଆଇନ ଖନନ କରିଥିବା ସଂସ୍ଥା ପ୍ରତି କାହିଁକି ନରମ ମନୋଭାବ ପ୍ରଦର୍ଶନ କରାଗଲା, ସେନେଇ ପ୍ରଶ୍ନ ଉଠିଛି। ଠିକା ସଂସ୍ଥା ହେଲା ଭାରତମାଳା ପ୍ରକଳ୍ପ କାମ କରୁଥିବା ପିଆରଏ ପ୍ରାଇଭେଟ ଲିମିଟେଡ।
ଜଙ୍ଗଲ କିସମ ଜମିରୁ ପଥର ଖନନ ପାଇଁ ରାଜସ୍ବ ବିଭାଗ ଲିଜ୍ ଦେଇପାରିବ ନାହିଁ ବୋଲି ନିୟମ ରହିଛି। କିନ୍ତୁ ସମ୍ପୃକ୍ତ ଠିକା ସଂସ୍ଥା ଜଙ୍ଗଲ ଜମି (ଖାତା ନଂ-୯୯, ପ୍ଲଟ ନଂ-୪୫ ଏବଂ ଡଙ୍ଗର ୧ କିସମ, ଖାତା ନଂ ୯୭/୨/୯ ପ୍ଲଟ ନଂ ୪୨/୫୫୫)ରୁ ପ୍ରାୟ ୩.୩୦ ଏକର ଜମିରୁ ଲକ୍ଷାଧିକ ସେଣ୍ଟିମିଟର ପଥର କାଢ଼ି ନେଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ତହସିଲ ପକ୍ଷରୁ ଗତ ୨୩ ମାର୍ଚ୍ଚରେ ଠିକା ସଂସ୍ଥାକୁ ୩୦ ଲକ୍ଷ ୫ ହଜାର ଟଙ୍କା ରାଜସ୍ବ ପଇଠ କରିବାକୁ ନୋଟିସ୍ ହୋଇଥିଲା। ଉକ୍ତ ଜମି ଜଙ୍ଗଲ କିସମ ହୋଇଥିବା ପ୍ରଶାସନ ଜାଣି ବି ଚୁପ୍ ରହିଥିଲା ବୋଲି ଲୋକେ ଅଭିଯୋଗରେ କହିଥିଲେ। ସେହି ସମୟରେ ଖଣି ବନ୍ଦ କରି ଥାନାରେ ମାମଲା ରୁଜୁ କରିବା ବଦଳରେ ପୁଣି ଉକ୍ତ ସଂସ୍ଥାକୁ ପଥର ଖୋଳିବାକୁ ସୁଯୋଗ ଦିଆଯାଇଥିଲା। ଏହାପରେ ପୁଣିଥରେ ରାଜସ୍ବ ବିଭାଗ ପକ୍ଷରୁ ଗତ ମେ’ ୨୫ ତାରିଖରେ ୩୫ହଜାର ସେମି ପଥର ପାଇଁ ୫୨ଲକ୍ଷ ୪୦ ହଜାର ଟଙ୍କା ପଇଠ କରିବାକୁ କୁହାଯାଇଥିଲା। ଏପରି ମୋଟ ୮୦ ଲକ୍ଷରୁ ଅଧିକ ଟଙ୍କା ରାଜସ୍ବ ପଇଠ କରିବାକୁ ନୋଟିସ ହୋଇଥିଲା।
ଲୋକଙ୍କ ପ୍ରତିବାଦ ଯୋଗୁ ଗତ ଜୁନ୍ ଶେଷ ବେଳକୁ ଖଣି ବନ୍ଦ କରିଦିଆଗଲା। ଏହି ସମୟ ମଧ୍ୟରେ ଖଣିରୁ ପ୍ରାୟ ୪୦ ଫୁଟରୁ ଅଧିକ ଗଭୀର, ୩ ଏକରରୁ ଅଧିକ ଜମିରୁ ପ୍ରାୟ ୪ ଲକ୍ଷ ସେମି ପଥର ଲୁଟ୍ ହୋଇଥିବା କୁହାଯାଉଛି। ଦୋଷ ଲୁଚାଇବାକୁ ଚିକଲପଦର ରାଜସ୍ବ ବିଭାଗ ପକ୍ଷରୁ ଭାରତମାଳା ପ୍ରକଳ୍ପ ପାଇଁ କମ୍ପାନି ପ୍ରାୟ ୮୫ ହଜାର ସେମିର ପଥର ବାହାର କରିଥିବା ନେଇ ଗତ ଜୁନ୍ ୨୩ରେ ଉମରକୋଟ ତହସିଲକୁ ଚିଠି କରାଯାଇଥିଲା। ଆର୍ଆଇ ଦେଇଥିବା ରିପୋର୍ଟକୁ ଆଧାର କରି ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କୁ ଚଳିତ ମାସ ୧୪ରେ ଚିଠି ହୋଇଛି। ଏହି ଚିଠିରେ କମ୍ପାନି କେତେ ପରିମାଣର ପଥର ଖନନ କରିଛି, ଜାଣିବାକୁ କର୍ମଚାରୀ ପଠାଇ ମାପଚୁପ କରିବାକୁ ନିବେଦନ କରାଯାଇଛି। ତହସିଲଦାରଙ୍କୁ ପଚାରିବାରୁ ଖଣି ବନ୍ଦ କରାଯାଇଛି ଓ କେତେ ପଥର ଯାଇଛି ଜାଣିବାକୁ ଖଣି ବିଭାଗକୁ ଚିଠି ହୋଇଥିବା କହିଛନ୍ତି।