ଫାଇନାନ୍‌ସ କର୍ମଚାରୀଙ୍କଠାରୁ ଲୁଟ୍‌

ରିଆମାଳ : ରିଆମାଳ ଥାନା କଂସର ଫାଣ୍ଡି ଅଂଚଳରୁ ମହିଳା ଗୋଷ୍ଠୀଙ୍କଠାରୁ ଋଣ ସଂଗ୍ରହ କରି ଫେରୁଥିବା ବେଳେ ଜଣେ ଫାଇନାନ୍‌ସ କର୍ମଚାରୀ ଲୁଟ୍‌ର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଦେବଗଡ଼ ସମସ୍ତା ଫାଇନାନ୍‌ସ ସଂସ୍ଥାର କର୍ମଚାରୀ ବିଜୟ ସାହୁ ମଙ୍ଗଳବାର ରିଆମାଳ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଶ୍ରୀ ସାହୁ କଂସର ଚନ୍ଦ୍ରପୁର ଗ୍ରାମର ମହିଳା ଗ୍ରୁପଗୁଡ଼ିକରୁ ୨୬ ହଜାରରୁ ଅଧିକ ଟଙ୍କା ଧରି ଫେରିବା ବେଳେ ଚନ୍ଦ୍ରପୁର ଗାଁଠାରୁ କିଛି ଦୂରରେ ଏକ ଜଙ୍ଗଲରେ କୌଣସି କାମ ପାଇଁ ରହିଥିଲେ। ସେତିକି ବେଳେ ଏକ ସ୍କୁଟିରେ ୨ ଜଣ ଆସି ତାଙ୍କୁ ଧମକ ଦେଇ ଟଙ୍କା ଛଡ଼ାଇ ନେଇଥିଲେ। ଏ ନେଇ ଶ୍ରୀ ସାହୁ ରିଆମାଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନମ୍ବର ୬୫ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଫାଇନାନ୍‌ସ କର୍ମଚାରୀମାନେ ବିଭିନ୍ନ ଗ୍ରାମକୁ ଯାଇ ଅର୍ଥ ଆଦାୟ କରୁଥିବା ବେଳେ ବିପଦରେ ରହିଥାନ୍ତି। ସୁରକ୍ଷା ଦୃଷ୍ଟିରୁ ଦେବଗଡ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜିଲ୍ଲାର ସମସ୍ତ ଫାଇନାନ୍‌ସ କମ୍ପାନିକୁ ନେଇ ବୈଠକ କରିଥିଲେ। ବୈଠକରେ ୩୦ ହଜାରରୁ ଅଧିକ ଅର୍ଥରାଶି ନେଇ ଆସୁଥିବା ବେଳେ ସଂପୃକ୍ତ ଫାଇନାନ୍‌ସ କର୍ମଚାରୀ ନିକଟସ୍ଥ ଥାନାକୁ ଜଣାଇବା କଥା। ପୁଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ତେବେ କେଉଁ ପରିସ୍ଥିତିରେ ଶ୍ରୀ ସାହୁ ଲୁଟ୍‌ର ଶିକାର ହୋଇଛନ୍ତି ତାର ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର