ଚିକିଟି : ବ୍ରହ୍ମପୁର, ଛତ୍ରପୁର, ପୁରୁଷୋତ୍ତମପୁର, ବେଲଗୁଣ୍ଠା ପରେ ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅଧୀନ ଚିକିଟିରେ ଜୁଏଲାରୀ ଲୁଟେରା ଘଟାଇଛନ୍ତି ବଡ଼ ଲୁଟ୍। ଚିକିଟିପେଣ୍ଠ ସ୍ଥିତ ଶିବାଜୀ ଜୁଏଲର୍ସରେ ଦୁର୍ବୃତ୍ତ ମାନେ ଗତକାଲି ରାତିରେ କଳାକନା ବୁଲାଇଛନ୍ତି। ସଟର୍ ଭାଙ୍ଗି ଭିତରେ ପଶିଥିଲେ। ଲକର୍ ତାଡ଼ିବାରେ ବିଫଳ ହୋଇ ଶେଷରେ ଦେଢ଼ କିଲୋ ରୁପା ଲୁଟି ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତମାସରେ ଚିକିଟି ନିକଟ ଧାନଘର ଟିଭିଏସ୍ ସୋ’ରୁମ୍ର ପଛପଟ କବାଟ ତାଡ଼ି ୨ ଲକ୍ଷ ୭୭ ହଜାର ଟଙ୍କା ଲୁଟ୍ ଘଟଣାରେ ଏଯାବତ୍ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନି। ଏଭଳି ପରିସ୍ଥିତିରେ ପୁଣି ଜୁଏଲାରୀ ଲୁଟ୍ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇଛି।
ଚିକିଟିପେଣ୍ଠ ବଜାରରେ ମହାଲକ୍ଷ୍ମୀ ସିନେମାହଲ୍ ନିକଟରେ ଶିବାଜୀ ଜୁଏଲର୍ସର ମାଲିକ ପି.ବିଷ୍ଣୁ ବାଗଲ୍ ସବୁଦିନ ଭଳି ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଦୁର୍ବୃତ୍ତ ମାନେ ଅତି ସତର୍କତାର ସହ ସଟର୍ଟିକୁ ଭାଙ୍ଗି ବାହାରୁ ଯେମିତି କେହି ନଦେଖିପାରିବେ ଏଥିପାଇଁ ତା’ ଆଗରେ ଏକ ତାର୍ପୋଲିନ୍ ଢାଙ୍କି ଦେଇଥିଲେ। ଆଉ ପ୍ରାୟ ଦେଢ଼କିଲୋ ରୁପା ଅଳଙ୍କାର ଲୁଟି ନେଇଯାଇଥିଲେ। ଯାହାର ମୂଲ୍ୟ ପ୍ରାୟ ୯୦ହଜାର ଟଙ୍କା ହେବ। ଏହାସହ ସୁନାଗହଣା ଥିବା ଲକର୍କୁ ଭାଙ୍ଗି ଲୁଟ୍ ଉଦ୍ୟମ କରିଥିଲେ ହେଁ, ସଫଳ ହୋଇପାରିନାହାନ୍ତି।
ଆଜି ସକାଳେ ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ଓ କେ.ନୂଆଗାଁ ଥାନାଧିକାରୀ ପ୍ରମୁଖ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଛାନଭିନ କରିଥିଲେ। ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରାଯାଇଥିବା ଥାନାଧିକାରୀ କହିଛନ୍ତି। ତେବେ ବଜାର ଉପରେ ଏଭଳି ଏକ ଘଟଣା ବ୍ୟବସାୟୀଙ୍କ ମହଲରେ ଆତଙ୍କ ସୃଷ୍ଟି କରିଛି। ଏହାସହ ବାରମ୍ବାର ଲୁଟ୍ ଓ ଚୋରି ପୁଲିସ ପ୍ରଶାସନକୁ ଅଡ଼ୁଆରେ ପକାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/IMG_20210123_114548.jpg)