ସାଙ୍ଗ ପରିଚୟ ଦେଇ ହକି ଖେଳାଳିଙ୍କ ବାପାଙ୍କ ଠାରୁ ସୁନା, ଟଙ୍କା ଲୁଟ୍

ଗଣ୍ଡଗୋଳ ମାମଲାରେ ସମ୍ପୃକ୍ତ ଥିବା କହି ପତ୍ନୀଙ୍କୁ ଡରାଇଥିଲେ

ଭୁବନେଶ୍ୱର : ରେଳବାଇରେ କାର୍ଯ୍ୟରତ ଜଣେ ହକି ଖେଳାଳିଙ୍କ ପରିବାର ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ହକି ଖେଳାଳି ଜୋସେଫ୍ ଟପ୍ପୋଙ୍କ ପତ୍ନୀ ସୀମାରାଣୀ ଏକ୍କା ଏ ନେଇ ମଞ୍ଚେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଲୁଟେରାର ଟେର୍ ପାଇପାରି ନାହିଁ ପୁଲିସ। ଅଭିନବ ଉପାୟରେ ହୋଇଥିବା ଲୁଟ୍ ଘଟଣା ପୁଲିସକୁ ମଧ୍ୟ ଅଡ଼ୁଆରେ ପକାଇଛି।

ମିଳିଥିବା ସୂଚନା ଅନୁସାରେ, ଜୋସେଫ୍ ରେଳବାଇରେ ଚାକିରି କରନ୍ତି। ହକି ଖେଳିବା ପାଇଁ ସେ ଏବେ ପଞ୍ଜାବ ଯାଇଛନ୍ତି। ଗତ ୩ ତାରିଖରେ ଜଣେ ଯୁବକ ମଞ୍ଚେଶ୍ବରସ୍ଥିତ ତାଙ୍କ ରେଳବାଇ କ୍ବାର୍ଟର୍ସରେ ପହଞ୍ଚି ଘର କବାଟ ବାଡ଼େଇଥିଲେ। ପତ୍ନୀ ସୀମାରାଣୀ ବାହାରକୁ ଆସିବା ପରେ ଯୋସେଫ୍ ଅଛନ୍ତି କି ବୋଲି ଲୁଟେରା ପଚାରିଥିଲା। ସେ ହକି ଖେଳିବାକୁ ପଞ୍ଜାବ ଯାଇଥିବା କହିଥିଲେ ପତ୍ନୀ। ଲୁଟେରା ଜଣଙ୍କ କହିଥିଲା ଯୋସେଫଙ୍କର ୪ ଜଣ ସାଙ୍ଗଙ୍କ ସହ ଗଣ୍ଡଗୋଳ ହୋଇଛି। ଏ ନେଇ ପୁଲିସରେ ଅଭିଯୋଗ ମଧ୍ୟ ହୋଇଛି। ସେମାନଙ୍କର ସାମଗ୍ରୀ ଚୋରି ମଧ୍ୟ ହୋଇଯାଇଛି। ପୁଲିସ ଏ ନେଇ ଖୁବଶୀଘ୍ର ଘର ଛାନଭିନ୍ କରିବାକୁ ଆସିବ। ତେଣୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ସୁନା ଅଳଙ୍କାର, ଟଙ୍କା ଲୁଚାଇ ରଖିବା ପାଇଁ ଲୁଟେରା ସୀମାରାଣୀଙ୍କୁ କହିଥିଲା। ଏପରିକି ତା’ର କଟକରେ କାମ ଥିବା ବେଳେ ସେ ସବୁକୁ ବାତିଲ କରି ସେ ଏହି ଖବର ଦେବା ପାଇଁ ଆସିଥିବା କହି ବିଶ୍ବାସ ଜନ୍ମାଇଥିଲା।

ସୀମାରାଣୀ ୧ ଲକ୍ଷ ୨୦ ହଜାର ଟଙ୍କାର ଅଳଙ୍କାର, ୧୫ ହଜାର ଟଙ୍କା, କାଗଜପତ୍ର ଏକ ବ୍ୟାଗରେ ପୂରାଇ ଜଣେ ପଡ଼ୋଶୀଙ୍କ କ୍ବାର୍ଟର୍ସକୁ ରଖିବା ପାଇଁ ଯାଉଥିଲେ। ପଡ଼ୋଶୀଙ୍କ କ୍ବାର୍ଟର୍ସ ମଧ୍ୟ ସର୍ଚ୍ଚ ହେବ ବୋଲି କହି ଯୋସେଫଙ୍କ ବାପାଙ୍କୁ ବୁଲେଟରେ ବସାଇ ଏକ କ୍ୟାମ୍ପସକୁ ନେଇ ଯାଇଥିଲା। ନିଜେ ବ୍ୟାଗ ଧରିବା ସହ ପାଚେରି କଡ଼ରେ ବାପାଙ୍କୁ ଲୁଚିବାକୁ ପରାମର୍ଶ ଦେଇଥିଲା। କିଛି ସମୟ ପରେ ପୁଲିସ ପଳାଇ ଥିବା କହି ତାଙ୍କୁ ବ୍ୟାଗ ଧରାଇ ଲୁଟେରା ବୁଲେଟରେ ପଳାଇଥିଲା। ଘରକୁ ଆସି ବ୍ୟାଗ ଖୋଲିବା ପରେ ସେଥିରେ ସୁନା ଅଳଙ୍କାର, ଟଙ୍କା ନ ଥିବା ସେ ଦେଖିବାକୁ ପାଇଥିଲେ। ଏ ନେଇ ପୁଲିସ ଠକେଇ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର