ଭୁବନେଶ୍ବର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ୨୯୩୦ ଟଙ୍କାକୁ ବୃଦ୍ଧି ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। କିନ୍ତୁ କଟ୍ନି-ଛଟ୍ନି ବନ୍ଦ ହେଉନଥିବା କାରଣରୁ ଦିନ ଦି'ପହରରେ ଚାଷୀ ସବୁଠାରୁ ବଡ ଲୁଟ୍ର ଶିକାର ହେଉଛି। ସମସ୍ତଙ୍କ ସାମ୍ନାରେ ମିଲ୍ ମାଲିକ ଧାନର ମାନ ଖରାପ ଥିବା କହି ସେଥିରୁ କଟ୍ନି-ଛଟ୍ନି କରିଦେଉଛନ୍ତି। କେଉଁଠି କ୍ବିଣ୍ଟାଲ ପିଛା ୨ କେଜି ତ ଆଉ କେଉଁଠି ୮ କେଜି। ରାଜ୍ୟ ସରକାର ଓ ଚାଷୀଙ୍କ କାରବାର ମଧ୍ୟରେ ତୃତୀୟ ପକ୍ଷ (ମିଲ୍ ମାଲିକ)ଙ୍କ ଏ ପ୍ରକାର ଶକ୍ତିଶାଳୀ ଭୂମିକା ଆଶ୍ଚର୍ଯ୍ୟଜନକ ହୋଇଥିଲେ ହେଁ ଦଳମତ ନିର୍ବିଶେଷରେ ରାଜନୈତିକ ନେତା ଚୁପ୍। ରବି ହେଉ କି ଖରିଫ; ବରଗଡ଼ଠାରୁ କୋରାପୁଟ ପର୍ଯ୍ୟନ୍ତ ରାଜ୍ୟର ଏଭଳି କୌଣସି ଜିଲ୍ଲା ନାହିଁ କି ବର୍ଷ ନାହିଁ, ଯେଉଁଠି ଧାନର ମାନ ନାଁରେ ଧାନ ସଂଗ୍ରହ ସମୟରେ ଚାଷୀଙ୍କ ଧାନର କଟ୍ନି-ଛଟ୍ନି ହୁଏ ନାହିଁ। ସମସ୍ତଙ୍କ ଜାଣତରେ ଏହି କେଳେଙ୍କାରୀ ଜାରି ରହିଛି।
ଧାନ ସଂଗ୍ରହ ବ୍ୟବସ୍ଥାରେ ମିଲ ମାଲିକଙ୍କ ଭୂମିକାକୁ ଗୌଣ କରିବା ପାଇଁ ସରକାର ୨୦୦୩ ମସିହାରୁ ଚାଷୀଙ୍କଠାରୁ ସିଧାସଳଖ ଧାନ କିଣିଲେ। କିନ୍ତୁ ୧୯ବର୍ଷ ପରେ ୪୯ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଚାଷୀ ତା’ ହକ୍ ପାଇପାରିନାହିଁ। ପୂର୍ବଭଳି ମିଲ୍ ମାଲିକ ହିଁ ସର୍ବେସର୍ବା ହୋଇ ରହିଛି। ମିଲ୍ ମାଲିକମାନେ ସିଧାସଳଖ ଏମ୍ଏସପିଠାରୁ କମ୍ ମୂଲ୍ୟରେ ଧାନ କିଣିପାରିବେ ନାହିଁ। ତେଣୁ ଗୁଣାତ୍ମକ ମାନକୁ ଆଳ କରି କେଜି ହିସାବରେ ଧାନ କାଟି ନିଜ ପାଖରେ ରଖି ଦିଅନ୍ତି। କେନ୍ଦ୍ର ସରକାରଙ୍କ ଖାଦ୍ୟନୀତି ଅନୁଯାୟୀ, ଧାନ ସଂଗ୍ରହ ବ୍ୟବସ୍ଥାରେ ଅଣଏଫଏକ୍ୟୁ ଧାନକୁ ଏଫଏକ୍ୟୁ କରିବା ପାଇଁ ଏମ୍ଏସ୍ପିର ୧ ପ୍ରତିଶତ ଟଙ୍କା କେନ୍ଦ୍ର ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ଦେଇଥା’ନ୍ତି। ଧାନର କୌଣସି ସମସ୍ୟା ଥିଲେ, ତାକୁ ଏଫଏକ୍ୟୁ କରିବା ପାଇଁ ଏଭଳି ବ୍ୟବସ୍ଥା ରହିବ ଯେ ଚାଷୀ ମଣ୍ଡିରେ ଧାନ ଶୁଖାଇ ପାରିବ। ମାତ୍ର ୧୯ବର୍ଷ ପରେ ମଧ୍ୟ ରାଜ୍ୟରେ ଏଭଳି କୌଣସି ମଣ୍ଡି ନାହିଁ, ଯେଉଁଠି ଚାଷୀଙ୍କ ଧାନ ଶୁଖାଯାଇ ପାରିବ। ତେଣୁ ଏଭଳି ସ୍ଥିତିରେ ଧାନ ଶୁଖାଇବା ପାଇଁ ପ୍ରତିବର୍ଷ କେନ୍ଦ୍ରରୁ ଆସୁଥିବା ଅନୁଦାନକୁ ରାଜ୍ୟ ସରକାର କେଉଁଠି ଖର୍ଚ୍ଚ କରୁଛନ୍ତି, ତାହାକୁ ନେଇ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ପ୍ରଶ୍ନ ଉଠାଇଛି।
ସମିତିର ଆବାହକ ଅଶୋକ ପ୍ରଧାନ କହିଛନ୍ତି, ଓଡ଼ିଶା ଚାଷୀଙ୍କୁ ଏମଏସପି(୨୦୨୧ର ୧୯୪୦ କିମ୍ବା ୨୦୨୨ର ୨୦୪୦) ମିଳିବା ଦୂରର କଥା; ପ୍ରତିବର୍ଷ କଟନି-ଛଟନି ନାଁରେ ଯେତେ ଧାନ କଟାଯାଉଛି, ହାରାହାରି ହିସାବ କଲେ ଚାଷୀ କ୍ବିଣ୍ଟାଲ ପିଛା ୧୫୦୦ଟଙ୍କା ପାଉଛି କି ନାହିଁ, ତାହା ମଧ୍ୟ ସନ୍ଦେହରେ ରହିଛି। ଏପରିକି କମ୍ବାଇନ ହାର୍ଭେଷ୍ଟ ଭଳି ଉଚ୍ଚମାନର ମେସିନ୍ ଜରିଆରେ କଟାଯାଇ ଶୁଖାଯାଉଥିବା ଧାନକୁ ମଧ୍ୟ ମିଲ ମାଲିକ ଅଣ-ଏଫଏକ୍ୟୁ କହି କଟ୍ନି-ଛଟ୍ନି କରିଦିଅନ୍ତି। ମାର୍କେଟ ୟାର୍ଡ ବଦଳରେ ମିଲରେ ଓଜନ ହେଉଥିବାରୁ ମିଲ ମାଲିକଙ୍କୁ ଏହା ସୁବିଧା ହୁଏ। ୧୦୦ କେଜିର ଧାନକୁ ୭୦ କିମ୍ବା ୮୦କେଜି ଦର୍ଶାନ୍ତି।
ଦ୍ବିତୀୟତଃ, ମିଲ ମାଲିକ ଯେତେ ଯାହା କାଟିଲେ ମଧ୍ୟ ଚାଷୀ ମୁହଁ ଖୋଲିପାରେ ନାହିଁ। ଅନ୍ୟଥା ଚାଷୀକୁ ତାର ପ୍ରାପ୍ୟ ମିଳିବ ନାହିଁ। ଆରଏମ୍ସି ବା ପ୍ୟାକ୍ସ ଆଦିରେ ସରକାର ଏତେ ଖର୍ଚ କରୁଛନ୍ତି। କିନ୍ତୁ ସେଠାରେ ମାନ ନିର୍ଣ୍ଣୟ ନ କରି ଆଜି ପର୍ଯ୍ୟନ୍ତ ଜାଣିଶୁଣି ମିଲ ମାଲିକଙ୍କୁ ଚାଷୀ ଶୋଷଣର ବଡ଼ ହତିଆର ଦେଇଛନ୍ତି। ୨୦୦୩ ମସିହାରୁ, ଧାନ ସଂଗ୍ରହ ପ୍ରଥମ କିଛି ବର୍ଷ ସମ୍ବଲପୁର ଜିଲ୍ଲାର କିଛି ମଣ୍ଡିରେ ଆରଏମସିରେ ମାନ ନିର୍ଣ୍ଣୟ ହେଉଥିବାରୁ କଟନି-ଛଟନିର କୌଣସି ପ୍ରଶ୍ନ ନଥିଲା। କିନ୍ତୁ ବର୍ତ୍ତମାନର ଧାନ ସେତେବେଳର ଧାନଠାରୁ ଆହୁରି ଉତ୍କୃଷ୍ଟ ହୋଇ ମଧ୍ୟ କଟନି-ଛଟନି ହେଉଛି। ଚାଷୀ ସଙ୍ଗଠନ କହିଛି, ଯେଉଁଠି ରାଜ୍ୟ ସରକାର ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଧାରିତ ଏମଏସ୍ପି ଦେଇ ପାରୁନାହାନ୍ତି, ସେଠି ଏମ୍ଏସ୍ପି ବୃଦ୍ଧି ସଂକଳ୍ପର ଡ୍ରାମା କାହିଁକି କରୁଛନ୍ତି?