ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଲୁଟ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବେହେରାମାଲ ଗ୍ରାମରେ ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଘରେ ପଶି ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଆଦି ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁସାରେ, ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା ବେଳେ ଉକ୍ତ ଗ୍ରାମର ଗୁରେଖ ବେହେରା ଘରେ ଖାଉଥିବା ବେଳେ ତାଙ୍କ ଝିଅ ଘର ବାହାରେ ବସି ପାଠ ପଢୁଥିଲେ। ଏହି ସମୟରେ ୪ ଜଣ ଦୁର୍ବୃତ୍ତ ହେଲମେଟ ଓ ମୁଖା ପିନ୍ଧି ଆସି ପେଟ୍ରୋଲ କେଉଁଠି ମିଳିବ ବୋଲି ପଚାରିଥିଲେ। ଫଳରେ ଝିଅଟି ବାପାଙ୍କୁ ପଚାରିବା ପାଇଁ ଘର ଭିତରକୁ ଯାଇଥିଲା।

ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘର ଭିତରକୁ ପଶି ଯାଇ ଗୁରେଖଙ୍କୁ ମାଡ଼ ମାରିବା ସହ ଟଙ୍କା ମାଗିଥିଲେ। ମାତ୍ର ସେ ମନା କରିବାରୁ ପରିବାରର ସମସ୍ତଙ୍କୁ ଏକ କୋଠରିରେ ବନ୍ଦ କରି ଦେଇଥିଲେ। ଗୁରେଖଙ୍କ ଦେହ ଅସୁସ୍ଥ ଥିବାରୁ ‘ମୋ ଜୀବନ ଚାଲିଯିବ, ମତେ ବାହାର କର’ ବୋଲି ସେ ଚିତ୍କାର କରିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ବାହାରକୁ ଆଣି ବାକି ସମସ୍ତଙ୍କୁ ଭିତରେ ବନ୍ଦ କରିଦେବା ପରେ ଗୁରେଖଙ୍କୁ ବନ୍ଧୁକ ଦେଖାଇ ଘରେ ଥିବା ନଗଦ ୨୬ ହଜାର ଟଙ୍କା, ଗୋଟିଏ ମଙ୍ଗଳସୂତ୍ର ସମେତ ଅନ୍ୟାନ୍ୟ ସୁନା ଏବଂ ଗୋଟିଏ ମୋବାଇଲ ଧରି ଫେରାର ମାରିଥିଲେ। ଏହି ଘଟଣା ପରେ ପରିବାର ଲୋକେ ଭୟଭୀତ ହୋଇପଡିଛନ୍ତି। ଏ ନେଇ ଗୁରେଖ ଉଲୁଣ୍ଡା ଥାନାରେ ଲିଖତ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତନାଘନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର