ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଓ ବଡ଼ଗଡ଼ ଥାନା ଅଧୀନ ବାହାରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଜଣେ ଯୁବକ ଧସେଇ ପଶି ମହିଳା ଯୋଗାଣ ସହାୟିକାଙ୍କୁ ଧମକ ଦେବା ସହ ଖଣ୍ଡା ଦେଖାଇ ଚାଉଳ ବସ୍ତା ଲୁଟି ନେଇଛି। ଏନେଇ ଯୋଗାଣ ସହାୟିକା ସମିତା ସାହୁ ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ ହୋଇଛି।
ମିଳିଥିବା ସୂଚନାନୁସାରେ, ସମିତା ଆଜି ପଞ୍ଚାୟତ ଅଫିସ୍ ପରିସର ଗୋଦାମଗୃହରେ ରାସନକାର୍ଡ଼ ହିତାଧିକାରୀଙ୍କୁ ଚାଉଳ ଓ ମାଣ୍ଡିଆ ବଣ୍ଟନ କରୁଥିଲେ। ଏହି ସମୟରେ ପଦ୍ମପୁର ଗ୍ରାମର ମିଟୁ ଗୌଡ଼ ନାମକ ଜଣେ ଯୁବକ ମୋପେଡ଼୍ରେ ଆସିଥିଲା। କାର୍ଯ୍ୟାଳୟ ଭିତରେ ପଶି ସମିତାଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରିବା ସହ ହିତାଧିକାରୀଙ୍କ ଉପସ୍ଥିତିରେ ଗୋଦାମଗୃହରୁ ଜୋର୍ ଜବରଦସ୍ତି ଏକ ଚାଉଳ ବସ୍ତା ନେଇ ମୋପେଡ଼୍ରେ ଲୋଡ଼୍ କରି ପଳାଇଥିଲା। କେହିବି ତାକୁ ରୋକିବାକୁ ସାହସ ଜୁଟାଇ ପାରି ନଥିଲେ। ଏନେଇ ଯୋଗାଣ ସହାୟିକା ବଡ଼ଗଡ଼ ପୁଲିସ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ ଓ ସମିତିସଭ୍ୟଙ୍କୁ ଅବଗତ କରିଥିଲେ। ଏହାସହ ଥାନାରେ ଏତଲା ଦେଇଥିଲେ। ମିଟୁ ଗତ ଦୁଇଦିନ ତଳେ ନିଜ ରାସନକାର୍ଡ଼ରେ ଚାରିମାସର ୪୦ କେଜି ଚାଉଳ ନେଇଥିଲା। ଆଜି ପୁଣି ଆସି ଚାଉଳ ମାଗିବାରୁ ତାକୁ ଯୋଗାଣ ସହାୟିକା ମନା କରିଥିଲେ। ଫଳରେ ସେ ଏହି ଉନ୍ମତ୍ତ କାଣ୍ଡ ଘଟାଇଥିବା ଜଣାପଡ଼ିଛି।