ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌

କୁତ୍ରା:  କୁତ୍ରା ଥାନା ଅନ୍ତର୍ଗତ ଡାହିଜିରା ଜଉରାମୁଣ୍ଡା ରାସ୍ତାରେ ବିକ୍ରମ ମାଝୀ ନାମକ ଜଣେ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ପଲସରରେ ଆସିଥିବା ୩ ଯୁବକ ୫୦ ହଜାର ଟଙ୍କା ଓ ୨ ଟି ମୋବାଇଲ ଲୁଟି ନେଇଛନ୍ତି। ଘଟଣାରୁ ଜଣାପଡିଛି ଯେ ବଲିଆକାନି ଗ୍ରାମର ବିକ୍ରମ ମାଝୀ ନାମକ ଯୁବକ କୁତ୍ରା ମାର୍କେଟରେ ଏକ ଆଲମିରା ଦୋକାନ କରିଛନ୍ତି। ପ୍ରତିଦିନ ପରି ଆଜି ସଂଧ୍ୟାରେ ଦୋକାନ ବନ୍ଦ କରି କୁତ୍ରାରୁ ୧୨ କିଲୋମିଟର ଦୂରରେ ଥିବା ନିଜ ଘରକୁ ବାଇକ ଯୋଗେ ଏକୁଟିଆ ଫେରୁଥିଲେ। ସଂଧ୍ୟା ୭ ଟା ସମୟରେ ଡାହିଜିରା ଜଉରାମୁଣ୍ଡା ରାସ୍ତା ମଝିରେ ରାସ୍ତା ଅବରୋଧ କରି ୩ ଜଣ ଯୁବକ ତାଙ୍କୁ ଅଟକାଇଥିଲେ।

ପରେ ବନ୍ଧୁକ ମୂନରେ ଧମକ ଦେଇ ସେଠାରୁ ବାଇକରେ ବସାଇ ରାସ୍ତା କଡର ଏକ ନିଛାଟିଆ ସ୍ଥାନକୁ ନେଇ ଧମକ ଚମକ ଦେଇ ସେ ଧରିଥିବା ପ୍ରାୟ ୫୦ ହଜାର ଟଙ୍କା ଏବଂ ୨ ଟି ମୋବାଇଲ ଲୁଟି ନେଇ ପଲସର ବାଇକ ଯୋଗେ ୩ ଜଣ ଲୁଟେରା ଫେରାର ହୋଇଯାଇଥିଲେ।ଲୁଟେରା ମାନଙ୍କ ମଧ୍ୟରେ ଜଣେ ହେଲମେଟ ପିନ୍ଧିଥିବା ବେଳେ ଅନ୍ୟ ୨ ଜଣ ମୁହଁକୁ ଘୋଡାଇ ରଖିଥିଲେ।ପରେ ବିକ୍ରମ କୁତ୍ରା ଥାନାକୁ ଆସି ଏନେଇ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର