ବେକାର ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ୍‌ କରି ଲୁଟ୍, ଜିଓ ଟେଲିକମରେ ନିଯୁକ୍ତି ନାଁରେ ଇଣ୍ଟରନେଟର ଆସୁଛି ଲିଙ୍କ୍

ଏସ୍‌ଏମ୍‌ଏସ୍‌ ପଠାଇ ମାସକୁ ୧୮ ହଜାର ରୋଜଗାର ଲୋଭ
କରୋନା କାଳରେ ଚାକିରି ଜାଲ ବିଛାଇଛନ୍ତି ସାଇବର ଠକ

ଭୁବନେଶ୍ବର : କରୋନା କାଳରେ ଜାଲ ବିଛାଇଛନ୍ତି ସାଇବର ଠକ। ବିଭିନ୍ନ ଉପାୟରେ ଲୁଟି ଚାଲିଛନ୍ତି। ବେକାର ହୋଇ ବସିଥିବା ଛାତ୍ରଛାତ୍ରୀ ଓ ଚାକିରି ହରାଇଥିବା ଯୁବକଯୁବତୀଙ୍କୁ ଟାର୍ଗେଟ କରୁଛନ୍ତି। ଏମିତି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଘରେ ବସି ଏସଏମ୍‌ଏସ ପଠାଇ ମାସକୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ଲୋଭ ଦେଖାଇ ସାଇବର ଠକ ଲୁଟିଥିବା ଘଟଣା ସାମ୍ନାକୁ ଆସିଛି। ରିଲାଏନ୍ସ ଜିଓ ଟେଲିକମ୍‌ରେ ନିଯୁକ୍ତି ନାଁରେ ଠକ ଠକେଇ କରିଥିବା ଅଭିଯୋଗ ହୋଇଛି। କେତେକ ଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆଶିଷ କୁମାର ସାହୁ ନାମକ ଜଣେ ଛାତ୍ରଙ୍କ ଅଭିଯୋଗ ଅନୁସାରେ, ସେ କଟକ ଜଗତପୁରର ଏକ ସେଣ୍ଟରରେ କମ୍ପିଟେଟିଭ୍ ଚାକିରି ପାଇଁ କୋଚିଂ ନେଉଛନ୍ତି। ଏବେ ଅନଲାଇନ୍ କ୍ଲାସ୍ ଚାଲୁଥିବା ବେଳେ ଗତ କିଛିଦିନ ତଳେ ତାଙ୍କ କମ୍ପ୍ୟୁଟରରେ ଜିଓ ଟେଲିକମରେ ନିଯୁକ୍ତି ନାଁରେ ଏକ ଲିଙ୍କ୍ ଆସିଥିଲା। ସେହି ଲିଙ୍କ୍ ଖୋଲିବା ପରେ ଘରେ ବସି ଏସଏମଏସ୍ ପଠାଇ ରୋଜଗାର କରିବା ପାଇଁ ଉଲ୍ଲେଖ ରହିଥିଲା। ସେଥିଲେ ମୋବାଇଲ ନମ୍ବର, ଇମେଲ୍ ଆଇଡି ଦିଆଯାଇଥିଲା। ସେହି ନମ୍ବରରେ ସେ ଯୋଗାଯୋଗ କରିବା ପରେ ତାଙ୍କୁ ରୋଜଗାର ସମ୍ପର୍କରେ ଲୋଭ ଦେଖା ଯାଇଥିଲା। ହ୍ବାଟସଆପ୍ ମାଧ୍ୟମରେ ଏକ ଫଟୋ, ଆଧାର କାର୍ଡ, ଦଶମ ଓ ମାଟ୍ରିକ ମାର୍କସିଟ୍ ମଗା ଯାଇଥିଲା। ଏହା ପରେ ଠକ ଏକ ପରିଚୟପତ୍ର ତିଆରି କରି ପଠାଇଥିଲା। ସେହିପରି ଏସଏମଏସ ପଠାଇବା ପାଇଁ ମୋବାଇଲ ଫୋନ୍ ଭଳି ଏକ ଡିଭାଇସ୍ କୋରିଅରରେ ପଠାଯିବ ବୋଲି ଠକ କହିଥିଲା। ଏଥିପାଇଁ ଆଗୁଆ ୨୧୦୦ ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ। ଏକ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଦେଇଥିଲା। ପରିଚୟପତ୍ର ପାଇବା ପରେ ଆଶିଷଙ୍କର ବିଶ୍ବାସ ବଢ଼ି ଯାଇଥିଲା। ସେ ତୁରନ୍ତ ବେଙ୍ଗାଲୁରୁରେ ରହୁଥିବା ତାଙ୍କ ଭାଇଙ୍କୁ ଜଣାଇଥିଲେ। ତେବେ ତାଙ୍କ ଭାଇଙ୍କ ମନରେ ସନ୍ଦେହ ହୋଇଥିଲା। ସାଇବର ସୁରକ୍ଷା ଦିଗରେ କାମ କରୁଥିବା ଜଣେ ବିଶେଷଜ୍ଞଙ୍କ ସହ ପରାମର୍ଶ କରିଥିଲେ। ଏହା ସାଇବର ଠକଙ୍କ କାମ ବୋଲି ସେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଆଶିଷ ସାଇବର ଥାନାର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଆଶିଷ ବର୍ତ୍ତି ଯାଇଥିଲେ ଆଉ କେତେକ ଠକାମିର ଶିକାର ହୋଇଥିବା ଜଣାପଡ଼ିଛି। ତେବେ ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି, ଯେଉଁ ସଂସ୍ଥା ଚାକିରି ପାଇଁ ଟଙ୍କା ମାଗୁଛନ୍ତି ସେମାନେ ଠକ। ଏମାନଙ୍କ ଠାରୁ ଦୂରେଇ ରହିଲେ ଠକାମିରୁ ବର୍ତ୍ତି ଯାଇପାରିବେ।

ସମ୍ବନ୍ଧିତ ଖବର