କଟକ : କୁଟୀର ଶିଳ୍ପ ନାଁରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଗାଁ ଗାଁରେ ସ୍ବୟଂ ସହାୟକ ଗୋଷ୍ଠୀ କରି ପାଖାପାଖି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛି। ଏଭଳି ଠକେଇରେ ପ୍ରାୟ ଏକ ହଜାରୁ ଅଧିକ ଗୃହିଣୀ ଶିକାର ହୋଇଛନ୍ତି। ଗଲା ୫ ବର୍ଷ ହେବ ଠକି ଆସୁଥିବା ଏହି କରିତକର୍ମାକୁ ବାଦାମବାଡ଼ି ଥାନା ପୁଲିସ ଶେଷରେ ଗିରଫ କରିଛି। ଠକ ହେଉଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଳାକଣର ସଂଜିତ କୁମାର ପରିଜା (୩୫)। ପୁଲିସ ଠକ ନିକଟରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ପଢ଼ିବା ପରେ ସଂଜିତ ୫ ବର୍ଷ ତଳେ ଏଚ୍ପି ଏଣ୍ଟରପ୍ରାଇଜର୍ସ ଓ ପିପି ଏଣ୍ଟରପ୍ରାଇଜର୍ସ ନାଁରେ ଜଗତସିଂହପୁର ସମେତ କଟକ, ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, କେନ୍ଦୁଝର ଇତ୍ୟାଦି ଜିଲ୍ଲାରେ ସଂସ୍ଥା ଖୋଲିଥିଲା। ଗ୍ରାମାଞ୍ଚଳର ମହିଳାଙ୍କୁ ସଂଜବତୀ ତିଆରି ମେସିନ, ବଫେ ପ୍ଲେଟ୍ ତିଆରି ମେସିନ, ଧୂପକାଠି ତିଆରି ମେସିନ୍ ଯୋଗାଇବା ସହିତ ଏଥିରେ ସାମଗ୍ରୀ ପ୍ରସ୍ତୁତ ହେଲା ପରେ ତାକୁ ବଜାରରେ ବିକ୍ରି କରି ସମ୍ପୃକ୍ତ ମହିଳାଙ୍କୁ ଟଙ୍କା ଦିଆଯିବା ନେଇ ବିଜ୍ଞାପନ ପ୍ରକାଶ କରିଥିଲା। ପ୍ରତି ୫ ଜଣ ମହିଳାଙ୍କୁ ନେଇ ଗୋଟିଏ ଗ୍ରୁପ କରାଯାଇଥିଲା। ପ୍ରତି ଗ୍ରୁପର ସଦସ୍ୟଙ୍କ ନିକଟରୁ ସଦସ୍ୟତା ରାଶି ୨ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିଲା। କଟକରେ ବାଦାମବାଡ଼ି ଥାନା ଅନ୍ତର୍ଗତ ଶଙ୍କରପୁର ଦାସ ସାହିରେ ଏହି ଠକ ଏକ ଅଫିସ ଖୋଲିଥିଲା। ମେସିନ୍ ଯୋଗାଇବା ବାବଦରେ କଟକର ୬୦ଟି ଗ୍ରୁପ୍ର ମହିଳାଙ୍କ ନିକଟରୁ ୬ ଲକ୍ଷ ପାଖାପାଖି ଟଙ୍କା ଆଦାୟ କରିଥିଲା। କିନ୍ତୁ ମେସିନ୍ ଗ୍ରୁପର ସଦସ୍ୟଙ୍କ ନିକଟରେ ନ ପହଞ୍ଚିନଥିଲା। ଏ ନେଇ ସଂସ୍ଥାର ମାଲିକ ସଂଜିତଙ୍କୁ ଭେଟିବାରୁ ସେ ମହିଳାଙ୍କୁ ଗାଳି ଗୁଲଜ କରୁଥିଲେ। ଗଲା ଜୁନ୍ ୩୦ ତାରିଖରେ ଶଙ୍କରପୁର ଦାସ ସାହିର ତପସ୍ବିନୀ ପାତ୍ର ପ୍ରଥମ ଥର ପାଇଁ ସଂଜିତଙ୍କ ନାମରେ ବାଦାମବାଡ଼ି ଥାନାରେ ଏତଲା ଦେଇଥିଲେ। ଏହା ପରେ ପୁଣି ଆଉ ଦୁଇଟି ମାମଲା ଚଳିତ ମାସରେ ରୁଜୁ ହୋଇଛି। ପୁଲିସ ଏହି ତିନିଟି ମାମଲା ରୁଜୁ କରିଥିବା ବେଳେ ଆଜି ଭୁବନେଶ୍ବରରୁ ଆହୁରି ୧୫ଟି ଏଭଳି ଠକେଇ ମାମଲା ଥାନାରେ ପହଞ୍ଚିଛି। ରାଜ୍ୟରେ ଏଭଳି ପ୍ରାୟ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ପୁଲିସ ଆକଳନ କରୁଛି। ବାଦାମବାଡ଼ି ଥାନା ପୁଲିସ ସଂଜିତକୁ ଗିରଫ କରିବା ସହ ସମସ୍ତ କାଗଜପତ୍ର ଓ ସାର୍ଟିଫିକେଟ୍ ଜବତ କରିଛି। ଏହି ମାମଲାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/loot-aaa.jpg)