ପୁରୀ: ଚତୁର୍ଦ୍ଧାବିଗ୍ରହଙ୍କ ଆଡ଼ପପହଣ୍ଡି ବେଳେ ଆଜି ବଡ଼ଠାକୁରଙ୍କ ତାଳଧ୍ବଜ ରଥରେ ବଡ଼ ଅଘଟଣ ଘଟିଛି। ପହଣ୍ଡି ଆରମ୍ଭ ପୂର୍ବରୁ ଚାରମାଳରୁ ଖସି ପଡ଼ିଛନ୍ତି ସ୍ବୟଂ ଶେଷନାଗ ବଡ଼ଠାକୁର ଶ୍ରୀବଳଭଦ୍ର। ପହଣ୍ଡିରେ ଏତେ ଅବହେଳା କରାଯାଇଛି ଯେ ରଥ ଉପରୁ ତଥା ଚାରମାଳ ଉପରିଭାଗରୁ ଖସି ଆସି ଚାରମାଳ ତଳ ଭାଗରେ ମୁହଁମାଡ଼ି ପଡ଼ିଥିଲେ ବଡ଼ଠାକୁର। ନିକଟ ଅତୀତରେ କେବେ ବି ଏଭଳି ଅଘଟଣ ଘଟିନଥିଲା, ଯାହା ଆଜି ଦେଖିବାକୁ ମିଳିଲା। ଏହି ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଭୀଷଣ ଆଘାତ ଦେଇଛି। ସମସ୍ତେ ଏହି ଘଟଣାକୁ ଛି ଛି କରିବା ଆରମ୍ଭ କରିଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୂରା ଘଟଣାର ଦୃଢ଼ ନିନ୍ଦା କରିଛନ୍ତି। ଏଥିପାଇଁ ସେବାୟତଙ୍କୁ ଦାୟୀ କରିଛନ୍ତି। ସଂଖ୍ୟାଠାରୁ ଅଧିକ ସେବକ ଓ ଅଣସେବକ ରଥ ଉପରେ ଚଢ଼ିବାରୁ ଏଭଳି ଅଘଟଣ ଘଟିଲା ବୋଲି ଗୁରୁତର ଅଭିଯୋଗ ଉଠିଛି। ହେଲେ ସବୁ ବଡ଼ବଡ଼ିଅା ଅଧିକାରୀ ଉପସ୍ଥିତ ଥିବା ବେଳେ ଏତେ ସଂଖ୍ୟକ ଅଣସେବକ କିଭଳି ରଥ ଉପରକୁ ଉଠିଲେ। ସୂଚନାଯୋଗ୍ୟ ଯେ ୧୯୮୭ ମସିହାରୁ ନିଷ୍ପତ୍ତି ହୋଇଛି ଯେ ସର୍ବାଧିକ ୪୦ ଜଣ ସେବକ ରଥ ଉପରେ ରହିବେ। କିନ୍ତୁ ଆଜି ଏହି ନିଷ୍ପତ୍ତିକୁ କେହି ମାନି ନାହାନ୍ତି। ଏହା ଦେଖି ମଧ୍ୟ ପୁଲିସ ଓ ଜିଲ୍ଲା ପ୍ରଶାସନ କାହିଁକି ରୋକିଲା ନାହିଁ, ତାହା ବୁଝାପଡ଼ୁନାହିଁ। ପ୍ରତିବର୍ଷ ରଥଯାତ୍ରାରେ ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ଠୋସ୍ ପଦକ୍ଷେପ ନେଉନଥିବାରୁ ବୁଦ୍ଧିଜୀବୀ ମହଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସବୁଠାରୁ ବଡ଼ କଥା େହଲା ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗ ସହିତ ଓଡ଼ିଆ ଅସ୍ମିତା କଥା କହି ନୂଆ ସରକାର କ୍ଷମତାକୁ ଆସିଛନ୍ତି। ଏଣୁ ବଡ଼ଠାକୁର ପଡ଼ିବା ଘଟଣାକୁ ସରକାର କିଭଳି ଗ୍ରହଣ କରୁଛନ୍ତି, କାହା ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ େହଉଛି, ତାକୁ ସାରା ବିଶ୍ବର ଶ୍ରୀଜଗନ୍ନାଥ ପ୍ରେମୀ ଅପେକ୍ଷା କରୁଛନ୍ତି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ରାଜ୍ୟ ସରକାର କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଅନ୍ୟପକ୍ଷରେ ବଡ଼ଠାକୁର ପଡ଼ିଯିବା ପରେ ଶ୍ରୀଅଙ୍ଗକୁ ଆଘାତ ପହଞ୍ଚିବା ସୂଚନା ମିଳିଛି। ବଳଦେବଙ୍କ ଡାହାଣ ଆଖି ଓ ନାକରେ ଆଘାତ ଲାଗିଛି।

Advertisment

ଏହି ଘଟଣାରେ ୧୨ରୁ ଅଧିକ ସେବାୟତ ଆହତ ହୋଇଛନ୍ତି। ଏଥିରେ ଦଇତାପତି ନିଯୋଗର ସ୍ଥାୟୀ ସଭାପତି ନବକିଶୋର ପତିମହାପାତ୍ର ବି ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଆଘାତ ଲାଗିଛି ଓ ସେ ଖଣ୍ଡିଆଖାବରା ହୋଇଛନ୍ତି। ଯେହେତୁ ପହଣ୍ଡି ବେଳେ ପତି ମହାପାତ୍ରଙ୍କ ସେବା ରହିଛି, ସେ ଦୃଷ୍ଟିରୁ ନବକିଶୋର ପତିମହାପାତ୍ର ଦେବୀ ସୁଭଦ୍ରାଙ୍କ ପାଦ ତଳେ ପଡ଼ି ମୁଣ୍ଡିଆ ମାରି କ୍ଷମା ପ୍ରାର୍ଥନା କରିବା ପରେ ତାଙ୍କ ଦ୍ବାରା ହେବାକୁ ଥିବା ନୀତି ସଂପାଦନ କରିଛନ୍ତି। ଅନେକ ଦଇତାପତି ସେବକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଅବକାଶ ପୂଜାପଣ୍ଡା(୫୦), ମାଧବ ଚନ୍ଦ୍ର ମହାପାତ୍ର(୬୨), ଆର୍ତ୍ତତ୍ରାଣ ପତିମହାପାତ୍ର(୩୦), ଶିବାନୀ ଦାସମହାପାତ୍ର(୪୦), ଚନ୍ଦନ ପତିମହାପାତ୍ର(୩୦), ବିନୟ ଦାସମହାପାତ୍ର(୩୦), ନୂତନ ଦାସମହାପାତ୍ର(୪୦), ଜଗଦୀଶ ଦାସମହାପାତ୍ର(୪୦), ଅଜୟ ଦାସମହାପାତ୍ର(୪୪), ରାମ କୁମାର ଦାସମହାପାତ୍ର(୨୮), ସବ୍ୟସାଚୀ ଦାସମହାପାତ୍ର(୬୦), ବିଶ୍ବଜିତ ଦାସମହାପାତ୍ର(୨୬)। ଅଧିକାଂଶଙ୍କ ଗୋଡ଼ରେ ଆଘାତ ଲାଗିଛି। ଦୁଇଜଣଙ୍କ ଗୋଡ଼ ଭାଙ୍ଗିଥିବାବେଳେ ଅନ୍ୟମାନେ ଖଣ୍ଡିଆଖାବରା ହୋଇଛନ୍ତି। ଦୁଇ ତିନି ଜଣ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଯାଇଥିବାବେଳେ ବାକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରଥଯାତ୍ରା ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। କିଛି ସେବାୟତ ଗଣମାଧ୍ୟମ ସାମ୍ନାରେ ସ୍ବୀକାର କରିଛନ୍ତି ଯେ ମାତ୍ରାଧିକ ସେବକଙ୍କ ଉପସ୍ଥିତି କାରଣରୁ ଏଭଳି ଘଟଣା ଘଟିଲା।

ପ୍ରତିବର୍ଷ ଅପରାହ୍ଣ ପ୍ରାୟ ୩ଟାରୁ ୪ଟା ଭିତରେ ଆଡ଼ପପହଣ୍ଡି ଆରମ୍ଭ ହୋଇଯାଏ। କିନ୍ତୁ ଚଳିତବର୍ଷ ଆଡ଼ପପହଣ୍ଡି ଅହେତୁକ ବିଳମ୍ବ କରାଯାଇଥିଲା। ରାତି ପ୍ରାୟ ସାଢ଼େ ୭ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ପରେ ବଡ଼ଠାକୁରଙ୍କ ପହଣ୍ଡି ଚାଲିଥିଲା। ରାତି ପ୍ରାୟ ୮ଟା ୨୦ରେ ବଡ଼ଠାକୁର ରଥ ଉପରେ ବିଦ୍ୟମାନ ଥିଲେ। ତଳକୁ ଓହ୍ଲାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ସାମାନ୍ୟ ବର୍ଷା ହୋଇଯାଇଥିବାରୁ ଚାରମାଳ ଓଦା ରହିଥିଲା। ହଠାତ୍‌ ବଡ଼ଠାକୁର ଚାରମାଳରେ ତଳକୁ ଖସି ପଡ଼ିଥିଲେ। ମସ୍ତକରେ ଲାଗିଥିବା କୁସୁମୀ ଡୋରି ବି ଖସି ଯାଇଥିଲା। ଫଳରେ ଯେଉଁମାନେ ଠାକୁରଙ୍କ ପଛପଟେ ଥିଲେ, ସେମାନେ ଆଉ ଠାକୁରଙ୍କୁ ଟାଣି ଧରି ପାରିନଥିଲେ। ଯେଉଁଥିପାଇଁ ଠାକୁର ଚାରମାଳ ଉପରେ ରଥ ଉପରି ଭାଗରୁ ପିଠି ପଟ ଦେଇ ଖସି ଆସି ଚାରମାଳ ତଳ ଭାଗରେ ମୁହଁମାଡ଼ି ସେବାୟତଙ୍କ ଉପରେ ପଡ଼ିଥିଲେ। ଏହି ସମୟରେ ତଳେ ଥିବା ଦଇତାପତି ସେବକମାନେ ଆହତ ହୋଇଛନ୍ତି। ବଡ଼ଠାକୁର ପ୍ରାୟ ୩ରୁ ୪ ମିନିଟ୍‌ ସେହିଭଳି ମୁହଁମାଡ଼ି ପଡ଼ି ରହିବା ପରେ ଯାଇ କୁସୁମୀ ଡୋରି ଲଗାଇ ଟଣାଯାଇଥିଲା। ପରେ ବଡ଼ଠାକୁର ସିଧା ହୋଇଥିଲେ। ପରେ ବଡ଼ଠାକୁର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସଂପନ୍ନ କରାଯାଇଛି।

ରଥ ଉପରେ ସଂଖ୍ୟାଧିକ ସେବକ ଥିବାରୁ ଅଘଟଣ ଘଟିଲା: ଦଇତାପତି ନୂତନ ଦାସମହାପାତ୍ର
ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ଅଳ୍ପରେ ରକ୍ଷା ପାଇଯାଇଛୁ। ଶ୍ରୀବିଗ୍ରହଙ୍କ ପଛରେ ଡୋର ଧରିଥିବା ସେବକମାନଙ୍କ ହାତରୁ ଡୋର ଖସିଯିବାରୁ ରଥ ଉପରେ ଏ ଅଘଟଣ ଦେଖିବାକୁ ମିଳିଲା। ପହଣ୍ଡି ବେଳେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟା ଯୋଗୁଁ ଏପରି ଅଘଟଣ ଘଟିଲା। ଏସମ୍ପର୍କରେ ଆମେ ପୂର୍ବରୁ ପ୍ରଶାସନକୁ ଅବଗତ କରାଇଛୁ, ତଥାପି କିଛି ଲାଭ ହୋଇନାହିଁ। ଯେତିକି ସେବାୟତ ପହଣ୍ଡି କରିବା ପାଇଁ ନିୟୋଜିତ କେବଳ ସେଇମାନେ ହିଁ ରହିବାର ବ୍ୟବସ୍ଥା କରାଯିବା ଉଚିତ୍‌। ସେବା ନଥିବା ସେବକ ରଥ ଉପରେ ଚଢ଼ିଥିଲେ: ସୁଆର ମହାସୁଆର ସେବକ ନାରାୟଣ ମହାପାତ୍ର ଯେତିକି ସଂଖ୍ୟକ ସେବକ ରଥରେ ପହଣ୍ଡି ବେଳେ ଚଢ଼ିବା କଥା, ଆଜି ଏହାଠାରୁ ଢେର୍‌ ଅଧିକ ରଥ ଉପରେ ଚଢ଼ିଥିଲେ। ସେବା ନ ଥିବା ସେବକ, ଅଙ୍ଗାରୁଆ, ତୁଣିଆ, ପାଣିଆ ଆଦି ରଥ ଉପରେ ଚଢ଼ିଥିଲେ। ଯେଉଁଥିପାଇଁ ଚାରମାଳ ଉପରେ ଠିଆ ହେବା ସମ୍ଭବପର ନ ଥିଲା। ଏଭଳି ସ୍ଥିତିରେ ବଡ଼ଠାକୁରଙ୍କ ପହଣ୍ଡିକୁ କେହି ଅନାଇ ନଥିଲେ। ଯେଉଁଥିପାଇଁ ଏତେବଡ଼ ବିଶୃଙ୍ଖଳା ଘଟିଗଲା।

ଜନ୍ମବେଦିରେ ଠାକୁରେ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହ ଜନ୍ମବେଦି (ଆଡ଼ପମଣ୍ଡପ)କୁ ବିଜେ କରିଛନ୍ତି। ଗତକାଲିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କୁ ଦର୍ଶନ ଦେଉଥିଲେ। ଆଜି ବିଳମ୍ବିତ ରାତିରେ ଗୋଟିପହଣ୍ଡିରେ ଜନ୍ମବେଦିକୁ ଯାଇଥିଲେ ଠାକୁରେ। ଏହି ସମୟରେ ଘଣ୍ଟଘଣ୍ଟା ସାଙ୍ଗକୁ ହରିବୋଲ, ଜୟ ଜଗନ୍ନାଥ ଡାକରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଥିଲା। ବୁଧବାରଠାରୁ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ପାଇବେ ଭକ୍ତ। ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା। ଏଥିପାଇଁ ଆଜି ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଡ଼ପମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ଆଜି ଆଡ଼ପମଣ୍ଡପରୁ ଚାରମାଳ ଫିଟାଯାଇଛି। ବୁଧବାରଠାରୁ ଆଡ଼ପଦର୍ଶନ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ଗତକାଲି ସନ୍ଧ୍ୟାରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ରଥ ଉପରେ ଦୈନିନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରେ ଚନ୍ଦନଲାଗି ଶେଷ ପରେ ବଡ଼ସିଂହାର ବେଶ ଆରମ୍ଭ ହୋଇଥିଲା। ରାତି ୧ଟା ୧୦ରେ ବଡ଼ସିଂହାର ବେଶ ଶେଷପରେ ୧ଟା ୩୫ରେ ବଡ଼ସିଂହାର ଭୋଗ ହୋଇଥିଲା। ଭୋଗ ନୀତି ସଂପନ୍ନ ପରେ ରାତି ୨ଟା ୧୦ରେ ରଥ ଉପରେ ରାତ୍ର ପହୁଡ଼ ହୋଇଥିଲା। ଆଜି ସକାଳ ୬ଟା ୩୫ରେ ମଙ୍ଗଳଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ରଥ ଉପରେ ଗୋପାଳବଲ୍ଲଭ ଓ ଅନ୍ୟାନ୍ୟ ଭୋଗ ନୀତି ସଂପନ୍ନ ହୋଇଥିଲା। ତିନି ରଥରେ ମଇଲମ, ମହାସ୍ନାନ, ସର୍ବାଙ୍ଗ, ବେଶ ପରେ ମଧ୍ୟାହ୍ନଧୂପ ନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାଧୂପ ପରେ ଆଜି ରାତି ପ୍ରାୟ ସାଢ଼େ ୭ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀରାମ, ଶ୍ରୀକୃଷ୍ଣ ଓ ମଦନମୋହନ ଆଡ଼ପମଣ୍ଡପକୁ ବିଜେ କରିଥିଲେ। ପରେ ପ୍ରଭୁ ସୁଦର୍ଶନ ମଧ୍ୟ ବିଜେ କରିଥିଲେ। ମାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି ସମୟରେ ଘଟିଥିଲା ଅଘଟଣ। ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ଖସିପଡ଼ିବା ପରେ ପହଣ୍ଡିରେ ବାଧା ସୃଷ୍ଟି ହୋଇଥିଲା। ତେବେ ବଡ଼ଠାକୁର ଆଡ଼ପମଣ୍ଡପରେ ବିଜେ କରିବା ପରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟିପହଣ୍ଡିରେ ଜନ୍ମବେଦିକୁ ବିଜେ କରିଥିଲେ। ସୂଚନାଯୋଗ୍ୟ, ଜୁଲାଇ ୧୧ ତାରିଖରେ ହେରାପଞ୍ଚମୀ ନୀତି, ୧୨ ତାରିଖରେ ରଥ ଦକ୍ଷିଣ‌ମୋଡ଼, ୧୪ ତାରିଖରେ ସନ୍ଧ୍ୟା ଦର୍ଶନ, ୧୫ ତାରିଖରେ ବାହୁଡ଼ାଯାତ୍ରା, ୧୭ ତାରିଖରେ ସୁନାବେଶ, ୧୮ ତାରିଖରେ ଅଧରପଣା ନୀତି ଓ ୧୯ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉ ରତ୍ନ ସିଂହାସନକୁ ବିଜେ କରିବେ।