ଢେଙ୍କାନାଳ/ଗଁଦିଆ/ଯୋରନ୍ଦା: ଦୁଇଦିନ ଧରି ଉପବାସରେ ପ୍ରଭୁ ଚନ୍ଦ୍ରଶେଖର। ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଦୁଇ ଦିନ ହେବ ଉପବାସରେ ଅଛନ୍ତି ଠାକୁର। ଶ୍ରୀ ଚନ୍ଦ୍ରଶେଖର ଜିଉଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ରୋଷଘରେ ମଧ୍ୟ ତାଲା ଝୁଲୁଛି। ଠାକୁରଙ୍କର ସେବା ପାଇଁ ଆବଶ୍ୟକ ଅନୁଯାୟୀ ସୁଆର ନଥିବାରୁ ଏଭଳି ଅବ୍ୟବସ୍ଥା ହୋଇଥିବା ଦେବୋତ୍ତର ବିଭାଗ କହିଛି।

Advertisment

ସୋମବାର ବାବା ଚନ୍ଦ୍ରଶେଖରଙ୍କୁ ଭୋଗ ଲାଗି ବିଳମ୍ବରେ ହୋଇଥିଲା। କିନ୍ତୁ ଆଜି କୌଣସି ସୁଆର ନଥିବା ହେତୁ ରୋଷଘରେ ତାଲା ପଡ଼ିଥିବାର ଦେଖିବାକୁ ମିଳିଥିଲା। ଯାହାଫଳରେ ବାବା ଚନ୍ଦ୍ରଶେଖରଙ୍କର ନୀତି ବନ୍ଦ ରହିଥିଲା। ଶ୍ରୀଜିଉଙ୍କ ସେବାନୀତି କରିବା ପାଇଁ ସୁଆର ବିଳମ୍ବରେ ପୀଠରେ ପହଞ୍ଚିବାରୁ ଏପରି ନୀତି ବିଭ୍ରାଟ ହେଉଥିବା ବରିଷ୍ଠ ସେବାୟତ ସତ୍ୟାନନ୍ଦ ପତି ଅଭିଯୋଗ କରିଛନ୍ତି। ଶ୍ରୀ ପତି କହିଛନ୍ତି, ପୀଠରେ ସୁଆର ନଥିବାରୁ ଦିନ ୨ଟା ବେଳକୁ ନୀତିକାନ୍ତି କରାଗଲା। କପିଳାସରେ ଦେବୋତ୍ତର ବିଭାଗ ଦ୍ୱାରା ୬ ଜଣ ସୁଆର ନିଯୁକ୍ତ ହୋଇଛନ୍ତି। ସେମାନେ ଭାଗ ବାଣ୍ଟି ପାଳିରେ ଠାକୁରଙ୍କ ପାଇଁ ଭୋଗ ରାନ୍ଧନ୍ତି। ଗତକାଲିଠାରୁ ଜଣେ ସୁଆର ସେବାୟତ ନାନା ରକମରେ ପ୍ରସାଦ ରାନ୍ଧିବାରେ ସକ୍ଷମ ହୋଇ ପାରୁ ନଥିବାରୁ ଠାକୁର ଉପାସ ରହୁଛନ୍ତି। କପିଳାସ ପୀଠକୁ ଦେବୋତ୍ତର ବିଭାଗ ଯେତିକି ଗୁରୁତ୍ୱ ଦେବାକଥା ଦେଉନି। ସେଠାରେ ଜିମାଦାର ନାହାନ୍ତି କିମ୍ବା ନିରୀକ୍ଷକ ଜମା ଯାଉ ନାହାନ୍ତି। ଫଳରେ ପୀଠରେ ପ୍ରାୟ ସମୟ ନୀତି ବିଭ୍ରାଟ ହେଉଛି। ଏ ସମ୍ପର୍କରେ ବଡ଼ ପୂଜାପଣ୍ଡା ବିଜୟ ମିଶ୍ର କୁହନ୍ତି, ପାଳିରେ ଥିବା ସୁଆରଙ୍କ ଦେହ ଖରାପ ଥିବାରୁ ସେ ଆସି ପାରୁନାହାନ୍ତି। ଫଳରେ ଠାକୁରଙ୍କ ବିଭିନ୍ନ ପ୍ରକାରର ଭୋଗ ଜଣେ କରିବା ଯୋଗୁଁ ବିଳମ୍ବ ହେଉଛି।

ଅନ୍ୟପଟେ ଏ ସମ୍ପର୍କରେ ଦେବୋତ୍ତର ନିରୀକ୍ଷକ ବସନ୍ତ ରଥ କହିଛନ୍ତି, କେବଳ କପିଳାସ ପୀଠ ପାଇଁ ଜଣେ ନିରୀକ୍ଷକ ରହିବା ସ୍ଥାନରେ ମୋତେ ଏକ ସମୟରେ କାମାକ୍ଷାନଗର, ଭୁବନ, ଗଁଦିଆ ଓ କପିଳାସ ପୀଠର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ୁଛି। ତଥାପି ଦେଢ଼ ବର୍ଷ ହେଲା କାର୍ଯ୍ୟକ୍ରମ ଚଳାଇ ଆସୁଥିଲୁ। କିନ୍ତୁ ଗତ ଦୁଇ ଦିନ ହେଲା ଜଣେ ସୁଆରଙ୍କ ଦେହ ଖରାପ ଥିବାରୁ ଏପରି ବିଶୃଙ୍ଖଳା ଦେଖାଦେଉଛି। ଖୁବ୍‌ଶୀଘ୍ର ପ୍ରଶାସନର ବୈଠକ ବସି ଏହାର ସମାଧାନ ହେବ ବୋଲି ସେ କହିଥିଲେ। ସେହିପରି, ପ୍ରଭୁ ଚନ୍ଦ୍ରଶେଖର ଉପାସ ରହିବା କଥା ସଂପୂର୍ଣ୍ଣ ମିଥ୍ୟା ବୋଲି ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କହିଛନ୍ତି।