ଜ୍ୱରରେ ମହାପ୍ରଭୁ, ପୂଜା ପାଇଲେ ପଟିଦିଅଁ

ସୁସ୍ଥତା ପାଇଁ ଦିଆଗଲା ପଥି ଭୋଗ
ଅନ୍ଧକାରରେ ଚାଲିଛି ଗୋପନ ଉପଚାର
ଶ୍ରୀଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼

ପୁରୀ/ବ୍ରହ୍ମଗିରି : ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅସୁସ୍ଥତା କାରଣରୁ ଅଣସର ବାସରେ ରହିଛନ୍ତି ଶ୍ରୀଜିଉ। ଗତକାଲି ରାତିରେ ସ୍ନାନବେଦିରୁ ବାହୁଡ଼ା ପହଣ୍ଡିରେ ଯିବାବେଳେ ଅଣସର ପିଣ୍ଡିରେ ଅଟକିଛନ୍ତି ତିନି ଠାକୁର। ଚାଲିଛି ମହାପ୍ରଭୁଙ୍କ ଜ୍ବରର ଉପଚାର। କେବଳ ଏକ ଦୀପକୁ ଛାଡ଼ିଦେଲେ ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ଚାଲିଛି ଗୁପ୍ତ ନୀତି। ବୈଦ୍ୟଙ୍କ ପରାମର୍ଶକ୍ରମେ ଜ୍ୱର ପୀଡ଼ିତ ଶ୍ରୀଜିଉଙ୍କୁ ସୁସ୍ଥ ହେବା ପାଇଁ ପଥି ଦିଆଯାଇଛି। ଘଣ୍ଟଘଣ୍ଟା ବାଜିବା, ଉଚ୍ଚଶଦ୍ଦ, ସବୁକିଛି ବାରଣ କରାଯାଇଛି। ଛପନ ପଉଁଟି ଭୋଗ ବଦଳରେ ଆଜି ଫଳ, ଫୁଲରି ଲାଗି ହୋଇଛି। ଦଇତାପତି ସେବକଙ୍କ ଦ୍ବାରା ଆଜି ମହାପ୍ରଭୁଙ୍କ ଏହି ଗୁପ୍ତନୀତି କରାଯାଇଛି। ବିନା ବାଧାରେ ଗୁପ୍ତନୀତି ସଂପନ୍ନ ପାଇଁ ଅଣସର ବାସ ପିଣ୍ଡି ସମ୍ମୁଖରେ ଅଣସର ତାଟି ପଡ଼ିଛି।

ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଣସର ତାଟି ସମ୍ମୁଖରେ ପଟ୍ଟି ଦିଅଁ ବିଜେ କରିଛନ୍ତି। ଆଜି ଭୋରରୁ ପଟିଦିଅଁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଅଣସର ତାଟି ନିକଟରେ ପୂଜା ଆରମ୍ଭ ହୋଇଛି। ପଟିଦିଅଁ ରୂପେ ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ର ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରା ଭୁବନେଶ୍ୱରୀ ରୂପରେ ପୂଜା ପାଇଛନ୍ତି। ଏହିଠାରେ ଛପନ ପଉଟି ଭୋଗ ଅନ୍ନ, ପିଠାପଣା ଆଦି ଲାଗି କରାଯାଇଛି। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମକୃଷ୍ଣ ଓ ନୃସିଂହ ବି ଏଠାରେ ପୂଜା ପାଉଛନ୍ତି। ପଟି ଦିଅଁଙ୍କ ନିକଟରେ ଆଜିଠାରୁ ଛପନ ପଉଟି ଭୋଗ ଲାଗି ହୋଇଛି। ଅନ୍ୟପଟେ ପତିତପାବନଙ୍କର ବି ଅଣସର ନୀତି ଚାଲିଛି। ପତିତପାବନଙ୍କ ବଦଳରେ ପଟିଦିଅଁ ଭାବେ ଅନନ୍ତ ନାରାୟଣ ପୂଜା ପାଇଛନ୍ତି।

ସେପଟେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ପରେ ଆଜିଠାରୁ ପୁରୀ ଜିଳ୍ଲା ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଅଣସର ଦର୍ଶନ ଆରମ୍ଭ ହୋଇଛି। ଅଣସରର ୧୫ ଦିନ ମହାପ୍ରଭୁ ଏଠାରେ ଦର୍ଶନ ଦେଇଥାନ୍ତି। ଏଣୁ ଆଜିଠାରୁ ଅଲାରନାଥଙ୍କ ପୀଠରେ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ଭିଡ଼ ଲାଗିଛି। ଦୁଇବର୍ଷ ପରେ ପ୍ରଭୁ ଶ୍ରୀଅଲାରନାଥଙ୍କ ପ୍ରସିଦ୍ଧ ଅଲଣା କ୍ଷୀରି ପ୍ରସାଦ ପାଇ ଭକ୍ତ ଆତ୍ମତୃପ୍ତି ଲାଭ କରିଛନ୍ତି। ଆଜି ଦିନତମାମ ୪୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ସେଠାରେ ଶ୍ରୀଜିଉଙ୍କ ଦର୍ଶନ କରିଥିବା ଜଣାପଡ଼ିଛି। ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ କରାଯାଇ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର