ପୁରୀ: ସରିଛି ୧୫ ଦିନର ପ୍ରତୀକ୍ଷା। ଜ୍ବର ଉପଶମ ପରେ ନବଯୌବନ ରୂପରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ବିଗ୍ରହ। ଦୈନନ୍ଦିନ ଦର୍ଶନ କରୁଥିବା ଭକ୍ତଙ୍କୁ ୧୫ ଦିନର ପ୍ରତୀକ୍ଷା ଯେମିତି ୧୫ ବର୍ଷ ଭଳି ପ୍ରତୀୟମାନ ହୋଇଛି। ଦର୍ଶନର ଭୋକ ଅନ୍ତରରେ ଚାପି ରଖିଥିବା ଭକ୍ତଟିଏ ଦର୍ଶନ ମାତ୍ରେ ଆଖି ଛଳଛଳ ହୋଇଯାଇଛି। ନବଯୌବନ ରୂପ ସଂଦର୍ଶନ କରି ବିଭୋର ହୋଇଛନ୍ତି ଲକ୍ଷାଧିକ ଭକ୍ତ। ମହାପ୍ରଭୁ ବି ଯେମିତି ଭକ୍ତର ମନ କଥା ବୁଝିପାରିଥିଲେ। ନିର୍ଦ୍ଧାରିତ ସମୟର ୨୦ ମିନିଟ ପୂର୍ବରୁ ଆରମ୍ଭ ହୋଇଯାଇଥିଲା ଦର୍ଶନ। ପରିମାଣିକ ଦର୍ଶନ ସରିବା ପରେ ଅଢ଼େଇ ଘଣ୍ଟା ସର୍ବସାଧାରଣ ଦର୍ଶନର ସୁଯୋଗ ପାଇଥିଲେ ଭକ୍ତ।
ପ୍ରତ୍ୟୁଷରୁ ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ, ଆରକ୍ଷୀ ଅଧୀକ୍ଷକ, ଶ୍ରୀମନ୍ଦିର ପ୍ରଶାସକ ଉପସ୍ଥିତ ରହି ପ୍ରତିଟି ନୀତିକାନ୍ତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ। ଫଳରେ ନିର୍ଦ୍ଧାରିତ ସମୟ ଆଗରୁ ଦର୍ଶନ ଆରମ୍ଭ ହୋଇଥିଲା। ଭିତର କାଠ ନିକଟରେ ପରିମାଣିକ ଦର୍ଶନ ଓ ସାହାଣମେଲା ଦର୍ଶନ ହୋଇଥିଲା। ଭୋଗ ସମୟ ବ୍ୟତୀତ ଅନ୍ୟ ସମୟରେ ଜୟ ବିଜୟ ଦ୍ବାର ଖୋଲା ରହି ଦର୍ଶନ ସୁବିଧା ହୋଇଥିଲା। ଆଜି ସକାଳେ ଅଣସର ତାଟି ଫିଟିବା ସହ ପଟିଦିଅଁଙ୍କ ବାହୁଡ଼ା ବିଜେ ନୀତି ପରେ ଦକ୍ଷିଣଦ୍ବାର ଦେଇ ପରିମାଣିକ ଦର୍ଶନ ଆରମ୍ଭ ହୋଇଥିଲା। ସକାଳ ୮ଟାରୁ ପରିମାଣିକ ଦର୍ଶନ ସମୟ ଧାର୍ଯ୍ୟ ହୋଇଥିଲେ ହେଁ ୭ଟା ୪୦ରେ ପରିମାଣିକ ଟିକେଟ୍ଧାରୀ ଭକ୍ତମାନେ ନବଯୌବନ ଦର୍ଶନର ସୁଯୋଗ ପାଇଥିଲେ। ପରିମାଣିକ ଦର୍ଶନ ସଅଳ ଶେଷ ହୋଇଯିବାରୁ ଆଜି ସାହାଣମେଲା ଦର୍ଶନ ବି ସଅଳ ହୋଇଥିଲା। ସକାଳ ୯ଟାରେ ସିଂହଦ୍ବାର ଦେଇ ସର୍ବସାଧାରଣ ସାହାଣମେଲା ଦର୍ଶନ ଆରମ୍ଭ ହେବାକୁ ସ୍ଥିର ହୋଇଥିଲେ ହେଁ ୮ଟାରୁ ଆରମ୍ଭ ହୋଇଥିଲା।
ମାର୍କେଟ୍ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି ଲାଗି ରହିଥିଲା। ଦର୍ଶନ ବନ୍ଦ ପରେ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ ଅସୁସ୍ଥ ଶ୍ରୀଅଙ୍ଗକୁ ସୁସ୍ଥ କରିବା ପାଇଁ ୧୫ ଦିନ ଧରି ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ, ଖଳି ବିଜେ, ଖଡ଼ି ପ୍ରସାଦ ବିଜେ ଆଦି ଗୁପ୍ତ ନୀତି ସଂପନ୍ନ ହୋଇଥିଲା। ବନକଲାଗି ଜରିଆରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦିର ମିଶ୍ରଣରେ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା। ଜୁଣ ବାହାରି ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ପରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ବାରା ବିଳମ୍ବିତ ରାତି ବନକଲାଗି ନୀତି ଆରମ୍ଭ ହୋଇଥିଲା। ବନକଲାଗି ନୀତି ସାରି ଆଜି ଭୋର ସାଢ଼େ ୫ଟାରେ ଦତ୍ତ ମହାପାତ୍ର ସେବକ ବାହାରିବା ପରେ ଭୋର ୫ଟା ୫୦ରେ ଚକା ଅପସର ନୀତି ଅନୁଷ୍ଠିତ ହୋଇ ଜୟ-ବିଜୟ ଦ୍ବାର ଖୋଲିଥିଲା। ମଙ୍ଗଳ ଆଳତି, ଅବକାଶ ପୂଜା ପରେ ମଇଲମ ହୋଇ ସକାଳ ୭ଟା ୫ରେ ପଟଦିଅଁ(ଦଶାବତାର)ଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ୭ଟା ୨୫ରେ ଅଣସର ତାଟି ଫିଟିବା ପରେ ମହାପ୍ରଭୁଙ୍କ ନବଯୌବନ ବେଶରେ ଦର୍ଶନ ଦେଇଥିଲେ। ୧୦ଟା ୩୫ରେ ଦର୍ଶନ ବନ୍ଦ କରି ଚୂନ ପାଣି ପଡ଼ିଥିଲା। ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା ପରେ ମଧ୍ୟାହ୍ନ ୧୨ଟା ୨୦ରେ ନେତ୍ରୋତ୍ସବ ବନ୍ଦାପନା ହୋଇଥିଲା। ରୋଷହୋମ, ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ତଡ଼ପଲାଗି ନୀତି ସଂପନ୍ନ ହୋଇ ଅନ୍ୟ ନୀତି ବଢ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/27/sfhfsfshsfxbv-2025-06-27-01-33-06.jpg)