ପୁରୀ: ରତ୍ନବେଦି ଛାଡ଼ି ଜନ୍ମବେଦି ଅଭିମୁଖେ ଆସିଛନ୍ତି ଚତୁର୍ଦ୍ଧା ବିଗ୍ରହ। ଶ୍ରୀମନ୍ଦିରର ଲୀଳାଖେଳାକୁ କିଛି ସମୟ ବିରତି ଦେଇ ଗୁଣ୍ଡିଚାରେ ରଚିଛନ୍ତି ଲୀଳାଖେଳା। ଜନ୍ମବେଦିରେ ବିରାଜିବା ପୂର୍ବରୁ ରଥାରୂଢ଼ ରହି ଭକ୍ତଙ୍କ ଦର୍ଶନ ଦେଇଛନ୍ତି। ଗତକାଲି ରଥ ବେଶି ବାଟ ଗଡ଼ିନଥିଲା। ଏହି ଖବର ଭକ୍ତଙ୍କ ପାଖରେ ପହଞ୍ଚି ଯାଇଥିଲା। ଗୁଣ୍ଡିଚା ଯାତ୍ରାରେ ଏହି ମୁହୂର୍ତ୍ତକୁ ସଂଦର୍ଶନ କରିପାରିନଥିବା ଭକ୍ତ ଆଜି ଛୁଟି ଆସିଥିଲ। ଆବାଳ ବୃଦ୍ଧ ବନିତା ରଥ ଟାଣିବାକୁ ଉତ୍ସୁକ ନେତ୍ରରେ ଚାହିଁ ବସିଥିଲେ। ମାତ୍ର ୩ ଘଣ୍ଟା ୩୫ ମିନିଟ୍‌ ମଧ୍ୟରେ ତିନି ରଥ ଶରଧାବାଲିରେ ପହଞ୍ଚିବା ପରେ ଲାଗିଛି ଗହଳି ଚହଳି।

Advertisment

ସକାଳ ୯ଟା ୩୦ରୁ ଗଡ଼ିଥିଲା ତାଳଧ୍ବଜ ରଥ। ପରେ ଅନ୍ୟ ରଥ ଗଡ଼ିଥିଲା। ୧ଟା ୫ ସୁଦ୍ଧା ସମସ୍ତ ରଥ ଗୁଣ୍ଡିଚା ଚକଡ଼ାରେ ପହଞ୍ଚିବା ପରେ ଦର୍ଶନ ପାଇଁ ଛୁଟିଥିଲା ସ୍ଥାନୀୟ ବାସିନ୍ଦାଙ୍କ ସୁଅ। ଆଜି ମହାପ୍ରଭୁ ଗୁଣ୍ଡିଚା ଚକଡ଼ାରେ ପହଞ୍ଚିଥିବାରୁ ରାତି ଯାକ ରଥରେ ରହିଥିଲେ। ତେଣୁ ରଥାରୂଢ଼ ମହାପ୍ରଭୁଙ୍କୁ ଗୁଣ୍ଡିଚା ବାଡ଼ିରେ ଦେଖିବା ପାଇଁ ଦୂରଦୂରାନ୍ତରରୁ ରାତି ତମାମ ଭକ୍ତଙ୍କ ସୁଅ ଛୁଟିଥିଲା। ମହାପ୍ରଭୁ ଜନ୍ମମାଟିରେ ପହଞ୍ଚିବା ଲାଗି ଯେମିତି ସଅଳ ସଅଳ ରଥକୁ ଗଡ଼େଇ ନେଉଥିଲେ। ରଥ ପହଞ୍ଚିବା କ୍ଷଣି ଭକ୍ତ ସେହିପରି ଉଚ୍ଛ୍ବସିତ ହୋଇ ତାଳି ମାରି-ଗୁହାରିଆ ପଡ଼ି ଶରଧାବାଲିରେ ଲୋଟି ଯାଉଥିଲେ। ଭକ୍ତଙ୍କୁ ସୁବିଧା ଦେବା ଲାଗି ବିଭିନ୍ନ ସଂଗଠନ ପାଣି ସହ ଖାଦ୍ୟ ବିତରଣ କରି ଭକ୍ତଙ୍କ ତୃଷା ସହ ଭୋକ ମେଣ୍ଟାଇଥିଲେ। ବିଶେଷକରି ରଥଯାତ୍ରା ଦିନ ଏଭଳି ସୁବିଧା ଯୋଗାଇ ଦେଉଥିଲେ ହେଁ ଏଥର ବହୁ ଅନୁଷ୍ଠାନ ଦ୍ବିତୀୟ ଦିନ ମଧ୍ୟ ଭକ୍ତଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ଦେଇଛନ୍ତି।

ବିଦେଶରୁ ବି ଆଜି ଭକ୍ତଙ୍କ ଭିଡ଼ ଛୁଟିଛି। ସୁଦୂର ରୁଷିଆରୁ ନେଇ ଆମେରିକା ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କେବଳ ହିନ୍ଦୁମାନଙ୍କ ପ୍ରବେଶ ଅନୁମତି ଥିବାରୁ କେବଳ ରଥରେ ମହାପ୍ରଭୁଙ୍କୁ ଦେଖିବାର ସୁଯୋଗ ପାଆନ୍ତି ବିଦେଶୀ ତଥା ଅନ୍ୟ ଧର୍ମର ଭକ୍ତ। ତେଣୁ ଆଜି ପାବନ କ୍ଷେତ୍ରରେ ମହାପ୍ରଭୁଙ୍କ ସାନ୍ନିଧ୍ୟ ଟିକେ ପାଇବା ପାଇଁ ଛୁଟି ଆସିଛନ୍ତି। ରଥ ଟାଣିବା ପରେ ଯେମିତି କୋଟିନିଧି ପାଇଯାଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାବଦରେ କେବଳ ଶୁଣିଥିଲେ ହେଁ ପ୍ରଥମ ଥର ଅନେକ ବିଦେଶୀ ଭକ୍ତ ରଥଯାତ୍ରାର ଅନୁଭବ ନେଇ ଫେରିଛନ୍ତି। ଗତକାଲି ଅପେକ୍ଷା ଆଜି ଭିଡ଼ କମ୍‌ ଥିବାରୁ କୌଣସି ବଡ଼ ଅଘଟଣ ଘଟିନାହିଁ। ଭକ୍ତମାନେ ମଧ୍ୟ ରଥ ଟାଣିବା ସହ ସୁରୁଖୁରୁରେ ଦର୍ଶନ କରି ଫେରିଛନ୍ତି। ବିଶେଷକରି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଜିଲ୍ଲା ପାର୍ଶ୍ବବର୍ତ୍ତୀ ଜିଲ୍ଲାର ଭକ୍ତମାନଙ୍କ ଆଗମନ ବଢ଼ିଥିଲା। ପାଗ ଭଲ ଥିବାରୁ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମେଳା ବୁଲିବାକୁ ବି ଲୋକଙ୍କ ଆଗମନ ବଢ଼ିଛି। ଗୁଣ୍ଡିଚା ମନ୍ଦିର ନିକଟରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଦୁଇ ପାର୍ଶ୍ବ ଷ୍ଟଲ୍‌ରେ ମଧ୍ୟ ଲୋକଙ୍କ ସମାଗମ ଜମିଛି। ସେହିଭଳି ସମୁଦ୍ର କୂଳରେ ବେଳାଭୂମିରେ ଏଥର ପଲ୍ଲିଶ୍ରୀ ମେଳା ଖୋଲିଥିବାରୁ ମହାପ୍ରଭୁଙ୍କ ଦର୍ଶନ ପରେ ଭକ୍ତମାନେ ବେଳାଭୂମିରେ ଭିଡ଼ ଜମାଇଥିଲେ।