ଖୋର୍ଦ୍ଧା: ସେ ଖୋର୍ଦ୍ଧାରେ ଥାନ୍ତୁ କିମ୍ବା ସମ୍ବଲପୁର, ମାଲକାନଗିରି କିମ୍ବା ବାଲେଶ୍ବର କିମ୍ବା ଓଡ଼ିଶାରେ ଥାନ୍ତୁ କିମ୍ବା ଗୁଜରାଟ, ଭାରତରେ ଥାନ୍ତୁ କିମ୍ବା ବିଦେଶରେ ଓଡ଼ିଆଙ୍କ ଆରାଧ୍ୟ ଓ ପ୍ରିୟ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ। ଏହି କଥାକୁ ଖୋର୍ଦ୍ଧା ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯାଇ ଜର୍ମାନୀର ଫୁର୍ଥ ସହରରେ ବସବାସ କରୁଥିବା ଓଡ଼ିଆମାନେ ଦର୍ଶାଇଛନ୍ତି। ନବରାତ୍ରୀରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ପ୍ରଥମ ଥର ପାଇଁ ସହରରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ପ୍ରତିମା ସ୍ଥାପନ କରିଛନ୍ତି।

Advertisment

ଫୁର୍ଥ, ନର୍ନବର୍ଗ ଓ ଇର୍ଲାନଜେନ ସହରରେ ରହୁଥିବା ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ଦ୍ବାରା ପ୍ରତିଷ୍ଠିତ ଶିବ-ବିଷ୍ଣୁ ମନ୍ଦିରରେ ଶ୍ରୀଜଗନ୍ନାଥ ସେବା ଜର୍ମାନ୍‌ ଅର୍ଗନାଇଜେସନ୍‌ ଦ୍ବାରା ୨୧ ତାରିଖରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଚତୁର୍ଦ୍ଧା ମୂର୍ତି ସ୍ଥାପନ କରାଯାଇଥିଲା। ସନ୍ଥ ସ୍ବାମୀ ସତ୍ୟପ୍ରଜ୍ଞା ସରସ୍ବତୀ ପୁରୋହିତ ଭାବେ ଯୋଗ ଦେଇଥିଲେ। ଅନୁଷ୍ଠିତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ, ୩ଶହରୁ ଉର୍ଧ୍ବ ସେଠାରେ ଥିବା ଓଡ଼ିଆଙ୍କ ଓ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ। ହୋମ, ଅଧିବାସ, ପ୍ରବଚନ, ଭଜନ ଓ ମହାପ୍ରସାଦ ସେବନ ଆଦି ଅନୁଷ୍ଠିତ ହୋଇଥିଲା।