ପୁରୀ: ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସହ ରଥଯାତ୍ରା ପାଇଁ ଦଇତାପତି ସେବକଙ୍କ ସେବା ଆରମ୍ଭ ହୋଇଛି। ପ୍ରାରମ୍ଭିକ ସେବା ସ୍ବରୂପ ସେନାପଟା ଲାଗି କାମ ସମ୍ପନ୍ନ ପରେ ଆଜିଠାରୁ ଶୁଦ୍ଧପୁତ ଭାବେ ପହଣ୍ଡି ସହ ଅନ୍ୟାନ୍ୟ ନୀତି ସମ୍ପନ୍ନ କରିଛନ୍ତି। ଏଥିପାଇଁ ଆଜିଠାରୁ ଦଇତାପତି ସେବକମାନେ ହବିଷ୍ୟାନ୍ନ ସେବନ କରିଛନ୍ତି। ଘର ଚୁଲି ଜଳିବା ବାରଣ ଥିବାରୁ ହବିଷ୍ୟାନ୍ନ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ଚୁଲି ତିଆରି ହୋଇଛି। ମହାପ୍ରଭୁଙ୍କ ସ୍ନାନଜଳ ହାଣ୍ଡିରେ ପଡ଼ିବା ପରେ ଏହି ସ୍ବତନ୍ତ୍ର ଚୁଲିରେ ଆଜି ପ୍ରଥମ ଦିନର ହବିଷ୍ୟାନ୍ନ ପ୍ରସ୍ତୁତ କରି ପୂରା ପରିବାର ସେବନ କରିଛନ୍ତି।
ସ୍ନାନଜଳରେ ହେଲା ପ୍ରଥମ ରୋଷେଇ
ବାହାର ଅନ୍ନଜଳ ଗ୍ରହଣ ମନା
ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ସେବା କାର୍ଯ୍ୟ ପାଇଁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶୁଦ୍ଧପୂତ ଜୀବନ ଅତିବାହିତ କରିବୁ। ସେବା କରୁଥିବା ପ୍ରତି ଦଇତାପତିଙ୍କ ଘରେ ସ୍ବତନ୍ତ୍ର ଚୁଲିରେ ଖାଦ୍ୟ ପ୍ରସ୍ତୁତ ହେବ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଅର୍ଥାତ୍ ଗତକାଲି ଦଇତାପତି ସେବକମାନେ ସ୍ନାନ, ଶୌଚାଦି କାମ ଶେଷ କରିଥିଲେ। ସ୍ତ୍ରୀ, ପୁରୁଷ, ଛୁଆପିଲା, ସମସ୍ତେ ନଖ, ଚୁଟି ଆଦି କାଟିଥିଲେ। ପରେ ସ୍ନାନ ସାରି ନିଷ୍ଠାର ସହ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଛନ୍ତି। ଅନ୍ନଗ୍ରହଣ ବି ବନ୍ଦ ରଖିଛନ୍ତି। ସେବାରେ ନିୟୋଜିତ ପୁରୁଷ ସେବକଙ୍କ ସହ ପୂରା ପରିବାର ବି ମାସେ ଧରି ଶୁଦ୍ଧପୂତ ଜୀବନ ଅତିବାହିତ କରିବେ। ଏହା ପରଠାରୁ ଦଇତାପତି ସେବକ ଓ ସେମାନଙ୍କ ପରିବାରର କୌଣସି ସଦସ୍ୟ ବାହାରେ ଅନ୍ନଜଳ ଗ୍ରହଣ କରିବେ ନାହିଁ। କାହାରିକୁ ଅନ୍ନଜଳ ବି ନିଜ ଘରେ ଗ୍ରହଣ କରିବାକୁ ଦେବେନି। ଏହି ସମୟରେ ଦଇତାପତି ସେବକଙ୍କ ଘରେ ଅଶୌଚ ପାଳନ ହୁଏନାହିଁ। ଏହି ସମୟରେ ଘରକୁ କୁଣିଆ ଆସିବା ବାରଣ କରାଯାଇଛି।
ଏପରିକି ଝିଅଜ୍ବାଇଁ ବି ଘରକୁ ପ୍ରବେଶ ନିଷେଧ। ମାସେ ଧରି ଦଇତାପତି ସେବକ ଓ ସେମାନଙ୍କ ପରିବାର ହବିଷ୍ୟାନ୍ନ ପାଳନ କରିଥାନ୍ତି। ନୀଳାଦ୍ରି ବିଜେ ପରେ ହବିଷ୍ୟାନ୍ନ ପାଳନ ଭାଙ୍ଗିଥାନ୍ତି। ଏଥିପାଇଁ ଘର ଚୁଲି ଖାଦ୍ୟ ପ୍ରସ୍ତୁତି ବନ୍ଦ ହୋଇ ନୂଆ ଚୁଲି ତିଆରି ହୋଇଥାଏ। ରୋଷେଇ ପାଇଁ ନୂଆହାଣ୍ଡିରେ ସ୍ନାନଜଳ ପଡ଼ି ହବିଷ୍ୟାନ୍ନ ରନ୍ଧା ଯାଇଥାଏ। ମାସେ ଧରି ବେଳିକିଆ ଖାଇଥାନ୍ତି ପୂରା ପରିବାର ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ମାସେ ଧରି ଏହି ହବିଷ୍ୟାନ୍ନ ପାଳନ ବେଳେ ଭିକ୍ଷୁକଙ୍କୁ ଭିକ୍ଷା ଦେବା ବି ବାରଣ ରହିଛି। ଦଇତାପତି ଓ ସେମାନଙ୍କ ପରିବାରର ବୁଢ଼ାଠାରୁ ପିଲା ପର୍ଯ୍ୟନ୍ତ, ସମସ୍ତେ ମାସେ ଧରି ହବିଷ୍ୟାନ୍ନ ପାଳନ କରିବେ। ବେଳିକିଆ ଖାଇବେ। ରାତିରେ ମହାପ୍ରସାଦ ଆସିଲେ, ପରିବାର ସଦସ୍ୟ ଖାଇବେ। ସେବାରେ ଥିବା ଦଇତାପତିମାନେ ରାତିରେ ଶ୍ରୀମନ୍ଦିରରେ ଚକଟା ଭୋଗ ଖାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/dadaggdaagdgd.jpg)