ମହାପ୍ରଭୁଙ୍କ ନବାଙ୍କ ବେଶ : ଶ୍ରୀମନ୍ଦିରକୁ ଗଲା ମକର ମାଳ ଓ ତାଡ଼

ପୁରୀ :‌ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ ନୀତି ଅନୁଷ୍ଠିତ ହୋଇଛି। ସେପଟେ ମାସେ ଧରି ଚାଲିଥିବା ପହିଲି ଭୋଗ ନୀତି ବି ଶେଷ ହୋଇଛି। ପହିଲି ଭୋଗର ଶେଷ ଦିନରେ ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଆସନ୍ତାକାଲି ମକର ସଂକ୍ରାନ୍ତି ନୀତି ଥିବାରୁ ଶ୍ରୀମନ୍ଦିରକୁ ଆଜି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ମକର ମାଳ ଓ ମକର ତାଡ଼ ନିଆଯାଇଛି। ପ୍ରତିବର୍ଷ ମକର ସଂକ୍ରାନ୍ତି ପୂର୍ବଦିନ ନବାଙ୍କ ନୀତି ଅନୁଷ୍ଠିତ ହୋଇଥାଏ। ନବାଙ୍କ ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ଫୁଲ ମେଲାଣ ନୀତି ଅନୁଷ୍ଠିତ ହୋଇଥିଲା। ବଡ଼ଓଡ଼ିଆ ମଠରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ବିରାଟ ମାଳକୁ ଶ୍ରୀମନ୍ଦିର ନିଆଯାଇଥିଲା। ମାଳିମାନେ ବାଘମୁହାଁ ବାନ୍ଧି ମାଳ, ଚୁଳ, ଜଳକବରମାନ ଘେନି ପଟୁଆରରେ ଘଣ୍ଟ, ଛତା, କାହାଳି ଆଦି ସହ ବଡ଼ଦେଉଳକୁ ଯାଇଥିଲେ। ବଡ଼ଦେଉଳ ବେଢ଼ାରେ ପ୍ରଦକ୍ଷଣ କରି ବେହରଣ ଦ୍ବାରଠାରେ ମହାପ୍ରଭୁଙ୍କ ବେଶ ପାଇଁ ପାଳିଆ ଖୁଣ୍ଟିଆଙ୍କୁ ମାଳ, ଚୁଳ ଆଦି ଦେଇଥିଲେ। ସଂଧ୍ୟା ଆଳତି ବେଶରେ ଏହି ମାଳଗୁଡିକ ମହାପ୍ରଭୁଙ୍କ ଲାଗି ହୋଇଥିଲା। ଚନ୍ଦନଲାଗି ବଢ଼ିବା ପରେ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥାଏ। ଭଦ୍ରାସନ ଉପରେ ମୁରୁଜ ପକାଯିବା ପରେ ତିନିଗୋଟି ବାଉଁଶିଆରେ ଚାଉଳ ଭର୍ତି କରି ରଖାଯାଇଥିଲା। ସେଥିରେ ଫୁଲ, ଚନ୍ଦନ, ଚେନେଡ଼ି ପତନି ଦିଆଯାଇ ଅଧିବାସ କରାଯିବା ପରେ ଦୁଆରମାନ ମୁଦ ହୋଇଥିଲା। ପରେ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆଜି ଆଲାମଚଣ୍ଡୀ ମନ୍ଦିରରୁ ୫ଟି ମକର ତାଡ଼ ଆସିଥିଲା। ଆସନ୍ତାକାଲି ମକର ସଂକ୍ରାନ୍ତିରେ ଏହି ତାଡ଼ରେ ମକର ଚାଉଳ ଭୋଗ କରାଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର