ପୁରୀ : ଶ୍ରୀବିଗ୍ରହଙ୍କ ନୀତି ସଂସ୍କାର ଆଳରେ ସରକାରୀ ହସ୍ତକ୍ଷେପକୁ ସେବାୟତମାନେ ବିରୋଧ କରିଛନ୍ତି। ସକାଳ ଧୂପ ଓ ଭୋଗମଣ୍ଡପ ନୀତି ଏକାଠି କରିବା ନିଷ୍ପତ୍ତି ଉପରେ ସେମାନେ ଆପତ୍ତି ଉଠାଇବା ସହ ଧାର୍ମିକ ବ୍ୟବସ୍ଥା ଉପରେ ସରକାରୀ ହସ୍ତକ୍ଷେପକୁ ବିରୋଧକରି ଜିଲ୍ଲା ଜଜ୍ଙ୍କ ନିକଟରେ ଦାଖଲ ସତ୍ୟପାଠ କରିଛନ୍ତି।
ନୀତି ସହଳ କରିବା ଆଳରେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ଏକସଙ୍ଗେ କରିବାକୁ ଧାର୍ଯ୍ୟ କରିଛନ୍ତି। ଏହି ନିଷ୍ପତ୍ତି ସେବାୟତ ଓ ଗବେଷକଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଠାକୁରଙ୍କ ନୀତିରୀତି ଅନୁଯାୟୀ ସକାଳ ଧୂପ ସମୟରେ ୩ ଜଣ ପୂଜାପଣ୍ଡା ରତ୍ନସିଂହାସନରେ ଷଢ଼ୋପଚାରରେ ପୂଜା କରିଥାନ୍ତି। ଏହାପରେ ଠାକୁରଙ୍କର ମଇଲମ(ବେଶ ପରିବର୍ତ୍ତନ) ହୋଇଥାଏ। ତାହାପରେ ଭୋଗମଣ୍ଡପ ଘରେ ଭୋଗ ରହିବା ପରେ ଜଣେ ପୂଜାପଣ୍ଡା ସେବକ ପଞ୍ଚୋପଚାରରେ ପୂଜା କରିଥାନ୍ତି। ମାତ୍ର ଏବେ ଏହି ଦୁଇ ଭୋଗକୁ ଏକତ୍ର କରିବାକୁ ଯୋଜନା କରିଛି ପ୍ରଶାସନ। ଏହାଦ୍ବାରା ଠାକୁରଙ୍କ ମଇଲମ ନୀତି ବନ୍ଦ ହୋଇଯିବ। ଏହାବ୍ୟତୀତ ଏକସଙ୍ଗେ ଦୁଇଟି ସ୍ଥାନରେ ଭିନ୍ନ ଭିନ୍ନ ଉପଚାରରେ ପୂଜା ହେବ କିପରି ସେ ନେଇ ଆପତ୍ତି ଉଠାଇଛନ୍ତି।
ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ, ଧର୍ମିୟ ପ୍ରସଙ୍ଗରେ ପ୍ରଶାସନିକ ହସ୍ତକ୍ଷେପ ହେବ ନାହିଁ। ମାତ୍ର ଏଠାରେ ସିଧା ସଳଖ ପ୍ରଶାସନ ଶ୍ରୀବିଗ୍ରହଙ୍କ ରୀତିନୀତି ଉପରେ ହସ୍ତକ୍ଷେପ କରୁଛି। ଏ ନେଇ ଆଜି ପ୍ରତିହାରୀ ଏବଂ ପଣ୍ଡା ସେବକ ଜିଲ୍ଲା ଜଜଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି। ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ଦାଖଲ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଜିଲ୍ଲା ଜଜ୍ଙ୍କୁ ଶ୍ରୀମନ୍ଦିର ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ କ୍ଷମତା ଦେଇଛନ୍ତି। ତଦନୁଯାୟୀ ତାଙ୍କ ନିକଟରେ ପ୍ରତିହାରୀ ସେବକ ସତ୍ୟପାଠ ଦାଖଲ କରିଛନ୍ତି।