ପୁରୀ: ଜନ୍ମବେଦିରେ ଲୀଳା ରଚିଛନ୍ତି ମହାପ୍ରଭୁ। ଯେଉଁଠି ଦିନେ ଆବିର୍ଭାବ ହୋଇଥିଲେ, ଆଜି ସେହି ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନର ଅବକାଶ ପାଇଛନ୍ତି ଭକ୍ତବୃନ୍ଦ। ନବଦିନାତ୍ମକ ଯାତ୍ରାରେ ଆସିଥିବା ଚତୁର୍ଦ୍ଧା ବିଗ୍ରହଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ପାଇଁ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭିଡ଼ ଏତେ ଯେ, ଧାଡ଼ି ବଡ଼ଶଙ୍ଖ ଛୁଇଁଥିଲା। ଦର୍ଶନ ଶୃଙ୍ଖଳିତ କରିବା ପାଇଁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ନାକଚଣା ଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି।
ଆଡ଼ପମଣ୍ଡପରେ ଦର୍ଶନ ସହ ଆଜି ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ସେବନର ସୁଯୋଗ ହାତଛଡ଼ା କରିନାହାନ୍ତି ଭକ୍ତ। ଆଜି ମହାପ୍ରଭୁଙ୍କୁ କୋଠଭୋଗରେ ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ଭୋଗ କରାଯାଇଛି। ଆଜି ଦିନ ଦ୍ବିପ୍ରହର ୧ଟା ୪୫ରେ ସକାଳ ଧୂପ ଶେଷ ହୋଇଥିଲା। ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ଆଜି ୨୦ରୁ ୨୫ ହଜାର ଭକ୍ତଙ୍କ ପାଇଁ ବରାଦୀ ଅବଢ଼ା ପ୍ରସ୍ତୁତ ହୋଇଥିଲା। ରାତି ୯ଟା ସୁଦ୍ଧା ବନକଲାଗି ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି କମ୍ ଅବଢ଼ା ଅର୍ଥାତ୍ ୩୦ରୁ ୪୦ ହଜାର ଭକ୍ତଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଆଡ଼ପ ଅବଢ଼ା ପାଇବାରେ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ଆଗନ୍ତୁକ ଭକ୍ତମାନେ ନଜର ରଖିଥିବାରୁ ସେହି ଅନୁଯାୟୀ ମୋଟ ୬୦ ହଜାର ଭକ୍ତଙ୍କ ପେଟ ପୂରିବା ଲାଗି ଅବଢ଼ା ଅନ୍ନ ପ୍ରସ୍ତୁତ ହୋଇଥିଲା।
ଅନ୍ୟପଟେ ଆଜି ବନକଲାଗି ନୀତି ପାଇଁ ଦ୍ବିତୀୟ ଭୋଗମଣ୍ଡପ ପରେ ଦର୍ଶନ ବନ୍ଦ ରଖାଯାଇଛି। ପରେ ଶ୍ରୀମୁଖ ଶୃଙ୍ଗାର ପାଇଁ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରା କାଳରେ ତିନିଦିନ ଧରି ଚତୁର୍ଦ୍ଧା ବିଗ୍ରହ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଗତକାଲି ସଂଧ୍ୟାରେ ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡିରେ ବିଜେ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ୧ଟା ୪୦ରେ ରୁନ୍ଧା ଶେଷ ହୋଇଥିଲା। ରାତି ୨ଟାରେ ଦଇତାପତି ସର୍ବାଙ୍ଗ କରିଥିଲେ। ସମୟ ଅଭାବରୁ ବିନା ରାତ୍ର ପହୁଡ଼ରେ ଆଜି ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଥିଲା। ସକଳ ୭ଟା ୪୦ରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତି ବଢ଼ିବା ପରେ ଆଜି ପୂର୍ବାହ୍ଣ ୧୦ଟା ୧୦ରେ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇ ସାଢ଼େ ୧୦ଟା ସୁଦ୍ଧା ଶେଷ ହୋଇଥିଲା। ପୂର୍ବାହ୍ଣ ୧୧ଟା ୨୦ରେ ବେଶ ଶେଷ ହୋଇଥିଲା। ଏଥିପାଇଁ ସକାଳୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଭିଡ଼ ଲଗାଇଥିଲେ।