ପୁରୀ: ଲୀଳାମୟ ଠାକୁର ଆଷାଢ ଶୁକ୍ଳପକ୍ଷ ଚଦୁର୍ଦ୍ଦଶୀ ତିଥିରେ ଆଜି ନୀଳାଦ୍ରି ବିଜେ କରିଛନ୍ତି। ନବଦିନ ଘୋଷଯାତ୍ରାରୁ ବାହୁଡ଼ି ସିଂହଦ୍ୱାରରେ ଚାରିଦିନ ଧରି ରଥାରୁଢ ଥିବା ତିନି ଠାକୁର ଚତୁର୍ଦ୍ଦଶୀ ତିଥିରେ ରତ୍ନବେଦୀକୁ ଫେରିଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଝୁଲି ଝୁଲି ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି। ଭକ୍ତଙ୍କ ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର ଫାଟି ପଡ଼ିଛି।
ଏଥି ସହିଚ ଚଳିତ ବର୍ଷର ରଥଯାତ୍ରାର ପରିସମାପ୍ତି ଘଟିଛି। ତିନି ଠାକୁର ରତ୍ନ ସିଂହାସନ ବିରାଜମାନ କରିବା ପରେ କାଲିଠାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦୈନନ୍ଦିନ ନୀତି ଅନୁଷ୍ଠିତ ହେବ। ସେହିପରି କାଲିଠୁ ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ମିଳିବ।
/sambad/media/post_attachments/wp-content/uploads/2020/07/niladri-bije-1.jpg)
ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ପରମ୍ପରା ଅନୁଯାୟୀ ମହାପ୍ରଭୁ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଛନ୍ତି। ସେପଟେ ସଅଳ ପହଣ୍ଡିରେ ବି ଏଥର ରେକର୍ଡ଼ ହୋଇଛି। ରାତି ସାଢେ ୯ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତି ରତ୍ନବେଦୀରେ ବିଜେ ହୋଇଛନ୍ତି। ବିଜେ ନୀତି ସଂପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ କାର୍ଯ୍ୟ ଶ୍ରୀମନ୍ଦିର ଭିତରେ ସଂପନ୍ନ ହୋଇଛି।
/sambad/media/post_attachments/wp-content/uploads/2020/07/b26506cc-45c7-41d0-9c85-e8fd89a6d41f-1024x682.jpg)
ନୀଳାଦ୍ରି ବିଜେ ଉପଲକ୍ଷେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ତିନି ରଥ ଉପରେ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶ ଶେଷ ପରେ ଗୋପାଳବଲ୍ଲଭ ନୀତି ସଂପନ୍ନ ହୋଇଥିଲା। ପରେ ସକାଳ ଧୂପ, ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥିଲା। ବେଶ ଶେଷ ପରେ ମଧ୍ୟାହ୍ନ ଧୂପ, ମଇଲମ ଓ ବେଶ, ସଂଧ୍ୟା ଆଳତି, ସଂଧ୍ୟା ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା।
/sambad/media/post_attachments/wp-content/uploads/2020/07/Puri-1024x682.jpg)
ଅପରାହ୍ଣ ସାଢେ ଗୋଟାଏରୁ ସାଢେ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢେ ୩ଟାରେ ସିଂହାସନ ମାଜଣା କରାଯାଇଥିଲା। ସାଢେ ୩ଟାରେ ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ରାମ-କୃଷ୍ଣ, ମଦନମୋହନ ଏବଂ ତାଙ୍କ ପରେ ସୁଦର୍ଶନ ନୀଳାଦ୍ରି ବିଜେ କରିଥିଲେ। ଅପରାହ୍ଣ ୪ଟା ୫୦ରେ ବଡ଼ଠାକୁର ବଳଭଦ୍ରଙ୍କୁ ନୀଳାଦ୍ରି ବିଜେ କରାଯାଇଥିଲା। ରତ୍ନବେଦୀରେ ବଡ଼ଠାକୁର ବିଜେ କରିବା ପରେ ସଂଧ୍ୟା ୬ଟାରେ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ମା’ ସୁଭଦ୍ରା ରତ୍ନବେଦୀରେ ବିଜେ କରିବା ପରେ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କର ରାତି ୬ଟା ୪୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ସମୟରେ ଚାରମାଳ ଉପରେ ତିନି ଠାକୁରଙ୍କୁ ଟାହିଆ ଲାଗି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/niladribije-2.jpg)